News
WhatsApp Image 2023-10-04 at 17.25.00
samparksetu

ବନ୍ଦ ହେବା ସ୍ଥିତିରେ ଆଇ.ଆଇ.ଏମ.ସି ଢେଙ୍କାନାଳ !

ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇ.ଆଇ.ଏମ.ସି) ର ପ୍ରଥମ ଶାଖା ଓଡିଶାର ଢେଙ୍କାନାଳରେ ରହିଛି । ଏଠାରୁ ଉତ୍ତୀର୍ଣ୍ଣ ହୋଇ ଛାତ୍ରଛାତ୍ରୀ ଅନେକ ପ୍ରତିଷ୍ଠିତ ଗଣମାଧ୍ୟମ ଓ ସରକାରୀ ସଂସ୍ଥାରେ କାର୍ଯ୍ୟ କରୁଛନ୍ତି । ହେଲେ ପୂର୍ବ ଭାରତର ଏହି ପ୍ରଥମ ଶାଖା ବନ୍ଦ ହେବା ସ୍ଥିତିରେ ପହଞ୍ଚିଲାଣି । ଦିନେ ଏଠାରେ ପଢିବାକୁ କଡା ପ୍ରତିଯୋଗିତା ହେଉଥିବାବେଳେ ଏବେ ସିଟ୍ ଖାଲି ପଡୁଛି । ଶିକ୍ଷକ ଅଭାବ ଓ ଦୁର୍ବଳ ଭିତ୍ତି ଭୂମି ଯୋଗୁଁ ପାଠପଢାର ମାନ କମୁଛି । ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀର ଅଣଦେଖା ଓ ଅବହେଳାର ଶିକାର ହୋଇ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି । କୌଣସି ସମୟରେ ବନ୍ଦ ହେବାର ଆଶଙ୍କା ଭିତରକୁ ଠେଲି ହୋଇଗଲାଣି ଆଇଆଇଏମସି ଢେଙ୍କାନାଳ ।

କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆଇ.ଆଇ.ଏମ.ସି ପରିଚାଳିତ । ୧୯୯୩ ମସିହାରେ ଢେଙ୍କାନାଳରେ ଏହାର ପ୍ରଥମ ଶାଖା ଖୋଲିଥିଲା । ପ୍ରଥମେ କେବଳ ଇଂରାଜୀ ସାମ୍ବାଦିକତାରେ ଶିକ୍ଷା ଦିଆଯାଉଥିଲା । ୨୦୦୧-୨୦୦୨ରେ ଦେଶର ପ୍ରଥମ ଭାଷାଭିତ୍ତିକ ସାମ୍ବାଦିକତା ପାଠ୍ୟକ୍ରମ ଭାବେ ‘ଓଡିଆ ସାମ୍ବାଦିକତାରେ ସ୍ନାତକୋତ୍ତର ପାଠ୍ୟକ୍ରମ’ ୧୫ଟି ସିଟକୁ ନେଇ ଆରମ୍ଭ ହୋଇଥିଲା । ଏଥିପାଇଁ ପ୍ରବେଶିକା ପରୀକ୍ଷା ହେଉଥିଲା । ପ୍ରଥମେ ୭୫ ମାର୍କର ଲିଖିତ ପରୀକ୍ଷାରେ ପ୍ରାୟ ଦେଢ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ । ସେଥିରୁ କିଛି ଛାତ୍ରଛାତ୍ରୀଙ୍କୁ ସର୍ଟ-ଲିଷ୍ଟେଡ୍ କରାଯାଉଥିଲା । ପରେ ୨୫ ମାର୍କର ଦଳଗତ ଆଲୋଚନା ଓ ବ୍ୟକ୍ତିଗତ ସାକ୍ଷାତକାର ମାଧ୍ୟମରେ ମେଧା ତାଲିକା ପ୍ରକାଶ ପାଉଥିଲା । କିଛି ବର୍ଷ ହେବ ଓଡିଆ ସାମ୍ବାଦିକତାର ସିଟ୍ ସଂଖ୍ୟା ବଢି ୨୫ ହୋଇଛି । ମାତ୍ର ପ୍ରବେଶିକା ପରୀକ୍ଷାର ଢାଞ୍ଚା ବଦଳାଇ ଦିଆଯାଇଛି । ଏବେ କେବଳ ଲିଖିତ ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନାମଲେଖା ହେଉଛି । ଯାହା ମେଧା ଛାତ୍ରଛାତ୍ରୀ ବାଛିବାରେ ସମସ୍ୟା ସୃଷ୍ଟି କରୁଛି ।

ବର୍ଦ୍ଧିତ ଚାହିଦାକୁ ଦେଖି ରାଜ୍ୟର ବହୁ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟ ଓ ଘରୋଇ ଶିକ୍ଷାନୁଷ୍ଠାନରେ ସାମ୍ବାଦିକତା ଓ ଗଣଯୋଗାଯୋଗ ପାଠ୍ୟକ୍ରମ ଖୋଲୁଛି । ହେଲେ ଜାତୀୟ ଶିକ୍ଷାନୁଷ୍ଠାନ ଆଇ.ଆଇ.ଏମ.ସି ରେ ସିଟ୍ ଖାଲି ପଡିବା ଆଶ୍ଚର୍ଯ୍ୟ ଜନକ । ଗତ ୨ ବର୍ଷ  ହେଲା ଓଡିଆ ସାମ୍ବାଦିକତା ପାଠ୍ୟକ୍ରମରେ ଅତି ନୈରାଶ୍ୟଜନକ ସ୍ଥିତି ସୃଷ୍ଟି ହୋଇଛି । ଗତବର୍ଷ ୬ଟି ସିଟ୍ ଖାଲି ପଡିଥିଲା । ସେହିପରି ଚଳିତ ବର୍ଷର ପାଠପଢା ମଙ୍ଗଳବାର ଠାରୁ ଆରମ୍ଭ ହେଇଥିବା ବେଳେ ୧୦ଟି ସିଟ୍ ଖାଲି ପଡିଛି । ସୂଚନା ଅନୁସାରେ, ୨୫ଟି ସିଟ୍ ପାଇଁ ଚଳିତ ବର୍ଷ ମାତ୍ର ୨୨ଜଣ ଆବେଦନ କରିଥିଲେ । ସେଥିମଧ୍ୟରୁ ୨୦ ଜଣ ପ୍ରବେଶିକା ପରୀକ୍ଷା ଦେଇଥିଲେ । ୧୮ ଜଣ ଯୋଗ୍ୟ ବିବେଚିତ ହୋଇଥିଲେ ବି ୪ ନାମ ଲେଖାଇନଥିଲେ । ୧୧ଟି ସିଟ୍ ଖାଲି ପଡିବାରୁ ପୁଣି ସ୍ପଟ୍ ନାମଲେଖା ହୋଇଥିଲା । 

ସେଥିରେ ମାତ୍ର ଜଣେ ପରୀକ୍ଷା ଦେଇ ନାମ ଲେଖାଇଛନ୍ତି । ୧୦ ସିଟ୍ ଖାଲି ପଡିବା ଲଜ୍ୟାଜନକ ସ୍ଥିତି ସୃଷ୍ଟି କରିଛି ।
ଶିକ୍ଷା ବ୍ୟବସ୍ଥା ବି ଅତି ନୈରାଶ୍ୟଜନକ ସ୍ଥିତିରେ ପହଞ୍ଚିଛି । ସ୍ଥାୟୀ ଆସୋସିଏଟ୍ ପ୍ରଫେସର ଓ ଆସିଷ୍ଟାଣ୍ଟ୍ ପ୍ରଫେସର କେହି ନାହାନ୍ତି । ମାତ୍ର ୨ଜଣ ଆସିଷ୍ଟାଣ୍ଟ୍ ପ୍ରଫେସର ବର୍ଷକ ପାଇଁ ଠିକାରେ ରହିଛନ୍ତି । ସେହିପରି ଇଂରାଜୀ ଓ ଓଡିଆ ପାଠ୍ୟକ୍ରମ ପାଇଁ ୩ ଜଣ ଆକାଡେମିକ୍ ଆସୋସିଏଟ୍ ରହିଥାନ୍ତି । ହେଲେ ଚଳିତ ବର୍ଷ କେହି ଜଣେ ବି ନାହାନ୍ତି । ଏହାସହ ୧୦ଟି ବିଷୟ ପାଇଁ ଦେଶର ବିଭିନ୍ନ ସ୍ଥାନ ଓ କ୍ଷେତ୍ରରୁ ଅତିଥି ଅଧ୍ୟାପକ ଆସନ୍ତି । ପାଠପଢା ଆରମ୍ଭ ହୋଇଥିଲେ ମଧ୍ୟ କେହି ଅତିଥି ଅଧ୍ୟାପକ ଆସିନାହାନ୍ତି । ଆସିବେକି ନାହିଁ ତାହା ମଧ୍ୟ ଆଶା ଓ ଆଶଙ୍କା ଭିତରେ ରହିଛି । ଏଣୁ କେବଳ ୨ଜଣ ଠିକା ଶିକ୍ଷକରେ ପାଠପଢା କେମିତି ହେବ ସେ ନେଇ ଛାତ୍ରଛାତ୍ରୀ ଓ ଅଭଭାବକ ଚିନ୍ତାରେ । ଏଠାରେ କରାଯାଉଥିବା ପ୍ରାକ୍ଟିକାଲ (ଦୈନିକ ଟିଭି ଖବର ଉପସ୍ଥାପନା, ଖବରକାଗଜ ପ୍ରସ୍ତୁତି, ରେଡିଓ ପ୍ରସାରଣ ଓ ରିପୋର୍ଟିଂ, ଏଡିଟିଂ ଅଭ୍ୟାସ ଆଦି) କିପରି ହେବ ତାହାକୁ ନେଇ ଆଶଙ୍କା ଦେଖାଯାଇଛି ।

ସେହିଭଳି ଭିତ୍ତିଭୂମି ମଧ୍ୟ ଦୁର୍ବଳ ସ୍ଥିତିରେ । ଟେଲିପ୍ରମ୍ପଟର ନଥିବାବେଳେ ପୁରୁଣା କ୍ୟାମେରା ଆଦିରେ ପ୍ରଶିକ୍ଷଣ ଦିଆଯାଉଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଢେଙ୍କାନାଳ କ୍ୟାମ୍ପସ ହାତରୁ ଆର୍ଥିକ କାରବାର କ୍ଷମତା ବି ପ୍ରତ୍ୟାହାର କରିନିଆଯାଇଛି । କାଗଜ ଖଣ୍ଡିଏ କିଣିବାକୁ ହେଲେ ନୂଆଦିଲ୍ଲୀ ମୁଖ୍ୟାଳୟର ଅନୁମତି ଲୋଡା ପଡୁଛି । ଫଳରେ କ୍ୟାମ୍ପସର କୌଣସି ଉନ୍ନୟନ ହୋଇପାରୁନାହିଁ । ଏହିପରି ବିଭିନ୍ନ ସମସ୍ୟା ଭିତରେ ଆଇ.ଆଇ.ଏମ.ସି ଢେଙ୍କାନାଳ ଗତି କରୁଛି ।

new life
You might also like
error: Content is protected !!