ଦେଶର ୧୩୧ଟି ସହରରେ ଅଧିକ ବାୟୁ ପ୍ରଦୁଷଣ ରହିଥିବା ବେଳେ ଏଥିରେ ଓଡ଼ିଶାର ଭୁବନେଶ୍ୱର, କଟକ, ବାଲେଶ୍ୱର, ରାଉରକେଲା, ଅନୁଗୁଳ ଓ କଳିଙ୍ଗନଗର ରହିଛି । ବିଶେଷ କରି ଖଣି ଖାଦାନ, ଶିଳ୍ପ ଓ ବେଆଇନ ନିର୍ମାଣ ପାଇଁ ପ୍ରଦୂଷିତ ଗ୍ୟାସ ବାୟୁମଣ୍ଡଳକୁ ଯାଉଥିବା ବେଳେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଅନ୍ୟପଟେ ଶୀତ ଦିନରେ ପୋଡ଼ୁ ଚାଷ ଓ ନିଆଁ ଜଳିବା ଯୋଗୁଁ ମଧ୍ୟ ବଢ଼ୁଛି ପ୍ରଦୁଷଣ ।
ତେବେ ଏନେଇ ଚିନ୍ତାରେ ଅଛନ୍ତି ଢେଙ୍କାନାଳ ବାସୀ କାରଣ କଟକ, ଅନୁଗୁଳ ଉଭୟ ଢେଙ୍କାନାଳର ପଡୋଶୀ ଜିଲ୍ଲା ଏବଂ ଉଭୟ ରହିଛନ୍ତି ଏହି ପ୍ରଦୂଷଣର ତାଲିକାରେ । ସେହିପରି ଭୁବନେଶ୍ୱର ମଧ୍ୟ ଢେଙ୍କାନାଳ ନିକଟବର୍ତ୍ତୀ ସହର ହୋଇଥିବାରୁ ଏହା ଆହୁରି ଚିନ୍ତା ଜନକ ବିଷୟ ପାଲଟିଛି । ଗତକିଛି ଦିନ ତଳେ ଅନୁଗୁଳରେ ଏୟାର କ୍ୱାଲିଟୀ ଇନଡେକ୍ସ ବା ବାୟୁ ମାନକ ସୂଚକାଙ୍କ ସର୍ବାଧିକ ୩୫୨ ରହିଥିଲା, ଯାହାକି ଦିଲ୍ଲୀର ୩୪୫ ତୁଳନାରେ ଅଧିକ । ସେହିପରି କଟକରେ ଏକ୍ୟୁଆଇ ୩୪୦ ଏବଂ ଭୁବନେଶ୍ୱରରେ ୩୩୪ ରହିଥିଲା ଯଦି ଏଭଳିପ୍ରଦୂଷଣ ର ମାତ୍ରା ବଡ଼ଗିଚାଲିବ ତେବେ ଏହାର ପ୍ରଭାବ ଢେଙ୍କାନାଳ ପରିବେଶ ଉପରେ ନିଶ୍ଚିତ ପଡିବ ବୋଲି ପରିବେଶବିତ୍ ମାନେ ଚିନ୍ତା ପ୍ରକଟ କରିଛନ୍ତି । ଅନ୍ୟପଟେ ପ୍ରଦୁଷଣକୁ ନିୟନ୍ତ୍ରଣ କରିବା ପାଇଁ ସମ୍ପୃକ୍ତ କମିଶନର ମାନଙ୍କୁ ଚିଠି ଲେଖିଛି ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ । ଶୀତ ଦିନ ହୋଇଥିବାରୁ ବାୟୁର ବେଗ କମୁଛି । ଦୂଷିତ ଗ୍ୟାସ ବାୟୁମଣ୍ଡଳ ବାହାରକୁ ଯାଇପାରୁନାହିଁ । ଫଳରେ ପ୍ରଦୁଷଣ ବଢ଼ୁଛି ଓ ନିକଟସ୍ଥ ଅଞ୍ଚଳ ଗୁଡ଼ିକରେ ଅତ୍ୟଧିକ ପ୍ରଦୁଷଣ ଅନୁଭୂତ ହେଉଛି । ଆଇକ୍ୟୁ ଏୟାର ରିପୋର୍ଟ ଅନୁଯାୟୀ ଗତ ଗୁରୁବାର ସକାଳ୯ ଟା ସୁଦ୍ଧା ଢେଙ୍କାନାଳର ମାତ୍ରା ୧୬୭ ଥିବା ବେଳେ ଅନୁଗୁଳ ୧୬୭ ଏବଂ କଟକ ରେ ୧୬୬ , ଭୁବନେଶ୍ୱର ରେ ୧୬୨ ରହିଥିଲା ।
ବିଶେଷଜ୍ଞଙ୍କ ମତ ଅନୁଯାୟୀ ଓଡ଼ିଶା ଉପକୂଳ ବଙ୍ଗୋପସାଗରରୁ କେନ୍ଦ୍ରାଞ୍ଚଳ ପର୍ଯ୍ୟନ୍ତ ଗୁରୁଚାପ ବଳୟ ରହିଛି ତେଣୁ ବାୟୁଚଳାଚଳ ବାଧାପ୍ରାପ୍ତ ହେଉଛି । ପ୍ରଦୂଷିତ ଧୂଆଁ ଏବଂ ଧୁଳି ନିର୍ଦ୍ଦିଷ୍ଟ ଅଞ୍ଚଳରେ ବାନ୍ଧି ହୋଇ ରହୁଚି, ଉତ୍ତର – ପଶ୍ଚିମ ଦିଗରୁ ପବନ ନ ଆସୁଥିବାରୁ ପ୍ରଦୂଷଣର ମାତ୍ରା ବଢୁଛି ।
ସୂଚନା ଥାଉକି ପୂର୍ବରୁ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାବନ୍ଧ ଅଞ୍ଚଳରେ ଖଣିଖାଦାନ ଏକ ଅଭିଶାପ ପାଲଟିଛି, ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ଗଣ୍ଡାଗଣ୍ଡା ଷ୍ଟୋନ କ୍ରସର କାରଖାନା ହେତୁ ଅଞ୍ଚଳର ପିଇବା ପାଣି ଦୂଷିତ ହୋଇଯାଇଛି ତେଣୁ କିଡିନୀ ରୋଗରେ ପଡ଼ି ଅକାଳରେ ଗ୍ରାମବାସୀ ମୃତ୍ୟୁବରଣ କରୁଛନ୍ତି । ସମାନ ଅବସ୍ଥା କାମାକ୍ଷାନଗର ବ୍ଲକର କିଛି ଅଞ୍ଚଳରେ ଦେଖାଦେଇଛି । ହେଲେ ସବୁ ଜାଣିଶୁଣି ସରକାର ଚୁପ୍ ରହୁଥିବା ସ୍ଥାନୀୟ ଅଞ୍ଚଳରେ ଏକ ଅସନ୍ତୋଷର ବାତାବରଣ ସୃଷ୍ଟି କରୁଛି । ଯଦି ଏଭଳି ଲାଗିରୁହେ ତେବେ ପ୍ରଦୂଷିତ ସହର ଭିତରେ ଢେଙ୍କାନାଳର ନାମ ଖୁବଶୀଘ୍ର ଆସିଜିବ ବୋଲି ବୁଦ୍ଧିଜୀବି ମାନେ ମତପ୍ରକାଶ କରୁଛନ୍ତି ।
