ଗ୍ରାହକଙ୍କ ସ୍ୱାସ୍ଥ୍ୟ ସହ ଖେଳୁଥିଲେ ହୋଟେଲ ପରସୁଥିଲେ ୩ମାସ ଅବଧି ଶେଷ ହୋଇଥିବା ମୃଦୁ ପାନୀୟ ଜଳ । ୨ମାସ ଅବଧି ଶେଷ ହୋଇଥିବା ସସ୍ ରେ ତିଆରି କରୁଥିଲେ ସୁସ୍ୱାଦୁ ବ୍ୟଞ୍ଜନ । ହେଲେ ହଠାତ ମାଡ଼ି ବସିଥିଲେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ।
ଢେଙ୍କାନାଳ ଜିଲ୍ଲାର ପରିସୀମାକୁ ଲାଗିଥିବା ବିଭିନ୍ନ ଜିଲ୍ଲାରେ ଡାଇରିଆ ବ୍ୟପିଥିବା ବେଳେ ଏବେ ଚିନ୍ତାରେ ଜିଲ୍ଲାପ୍ରଶାସନ । ତେବେ ଜିଲ୍ଲାବାସୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେବାକୁଯାଇ ବିଭିନ୍ନ ପଦକ୍ଷେପ ନେବା ସହ ପାନୀୟ ଏବଂ ଖାଦ୍ୟ ସୁରକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଜିଲ୍ଲା ପ୍ରଶାସନ । ତେବେ ସହରରେ ଥିବା ବିଭିନ୍ନ ହୋଟେଲରେ ଚଢ଼ାଉ କରିଛନ୍ତି ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ । ଚଢ଼ାଉ ବେଳେ ବିଭିନ୍ନ ହୋଟେଲର ରନ୍ଧାସ୍ଥଳରେ ଅପରିଷ୍କାର ଥିବାର ଦେଖିବାକୁ ମିଳିଥିବା ବେଳେ ଖାଦ୍ୟ ତିଆରି ହେଉଥିବାର ମାନ ମଧ୍ୟ ନିମ୍ନମାନର ଥିବାର ଦେଖିବାକୁ ମିଳିଥିଲା । ସର୍ବମୋଟ ୪୦ ହଜାରରୁ ଉର୍ଦ୍ଧ୍ବ ବାସୀ ଏବଂ ରଙ୍ଗମିଶା ଖାଦ୍ୟ ନଷ୍ଟ କରାଯାଇଥିବା ବେଳେ ୩୦.୦୦୦ ଜରିମାନା ଆଦାୟ କରାଯାଇଛି ।
ଦକ୍ଷିଣକାଳୀ ରୋଡ଼ରେ ଥିବା କାଫିଲ୍ସ ପ୍ଲାଜାରେ ବହୁମାତ୍ରାରେ ବାସି ଖାଦ୍ୟ ମିଳିଥିବା ବେଳେ ଗୋଟିଏ କଂସାରେ ପନୀର ଏବଂ ଅଣ୍ଡା ଥୁଆ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ଖାଦ୍ୟ ତିଆରି ହେଉଥୁବା ସ୍ଥାନରେ ଡ୍ରେନେଜ ବ୍ୟବସ୍ଥା ସଠିକ ନଥିବା ସହ ଅପରିଷ୍କାର ଥିବାର ଖାଦ୍ୟ ସୁରକ୍ଷା ଅଧିକାରିଣୀ ଲୋପାମୁଦ୍ରା ନାୟକ କହିଛନ୍ତି । ଅନ୍ୟପଟେ ଗ୍ରାହକଙ୍କୁ ପରସା ଯାଉଥିବା ମୃଦୁ ପାନୀୟ ଜଳ ଅପ୍ରେଲ ମାସରୁ ଅବଧି ସାରିଥିବା ବେଳେ ଦୁଇମାସର ଅବଧି ଶେଷ ହୋଇଥିବା ସସ୍ ଥିବାର ଦେଖିବାକୁ ମିଳିଥିଲା । ତେଣୁ ଉକ୍ତ ହୋଟେଲକୁ ପାଞ୍ଚ ହଜାର ଜରିମାନା କରାଯାଇଥିଲା । ଯଦି ସମ୍ପୃକ୍ତ ହୋଟେଲ ବାରମ୍ବାର ଗ୍ରାହକଙ୍କଙ୍କୁ ଏଭଳି ଖାଦ୍ୟ ପରସୁଥିବାର ଦେଖିବାକୁ ମିଳେ ତେବେ ମାଲିକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଉକ୍ତ ହୋଟେଲକୁ ସିଲ୍ କରାଯିବ ବୋଲି ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ ସୂର୍ଯ୍ୟ ହୋଟେଲଏବଂ ନୀଳଚକ୍ରକୁ ୭୦୦୦, ମେଘମାଳାକୁ ୫୦୦୦ ଟଙ୍କା ଜରିମାନା କରାଯାଇଛି । ତେବେ ଉକ୍ତ ଚଢାଉ ବାରମ୍ବାର ଆବଶ୍ୟକ ବୋଲି ପ୍ରତିକ୍ରିୟା ରଖିଛନ୍ତି ବୁଦ୍ଧିଜୀବୀ । ଡାଇରିଆ ଆତଙ୍କ ସମୟରେ ନୁହେଁ ଏହା ପ୍ରତି ମାସରେ ଅଚାନକ ଏଭଳି ଚଢ଼ାଉ ହେଲେ ଗ୍ରାହକଙ୍କୁ ଠକୁଥିବା ଏଭଳି ହୋଟେଲ ସାବାର୍ଡ ହେବେ ବୋଲି ସହର ବାସୀ ପ୍ରତିକ୍ରିୟା ରଖିଛନ୍ତି ।
