କୋହଳ ହୋଇଛି କରୋନା କଟକଣା । ଆଜିଠାରୁ ସକାଳ ୬ରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର । ୫୦% କ୍ଷମତାରେ ଖୋଲିବ ମଲ, ହଲ ଓ ହୋଟେଲ । ନାଇଟ କର୍ଫ୍ୟୁ ବଳବତର, ମନ୍ଦିର ଖୋଲିବା ନିଷ୍ପତି ନେବେ ସ୍ଥାନୀୟ ପ୍ରଶାସନ । ମାସ ମାସ ଧରି କଟକଣା ଜାରି ରହିଥିବାରୁ, ଜୀବନ ଜୀବିକା ବିପର୍ଯ୍ୟସ୍ତ ହୋଇପଡିଥିବାରୁ, ଅଗଷ୍ଟ ମାସରେ ଅନେକ କଟକଣାକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର ।
ସେହିପରି ପରିଦର୍ଶକଙ୍କ ପାଇଁ ଆଜିଠାରୁ ଖୋଲିଛି ଢେଙ୍କାନାଳ ଓ କପିଳାସ ବିଜ୍ଞାନ କେନ୍ଦ୍ର । ସୁରକ୍ଷା ନିମନ୍ତେ ସାନିଟାଇଜ ହୋଇଛି ସମ୍ପୂର୍ଣ୍ଣ କେନ୍ଦ୍ର, ମାସ୍କ ଓ ସାମାଜିକ ଦୂରତା ଉପରେ ଫୋକସ ଦେଇଛନ୍ତି କର୍ତ୍ତୃପକ୍ଷ । ସଂକ୍ରମଣ ହେତୁ ଦୀର୍ଘ ଦିନ ପରେ ବିଜ୍ଞାନ କେନ୍ଦ୍ର ଖୋଲିଥିବାରୁ ଛାତ୍ରଛାତ୍ରୀ ତଥା ଜିଲ୍ଲା ବାସୀ ବେସ୍ ଉତ୍ସାହିତ ଥିବାର ଦେଖାଦେଇଛି । ଆଜିଠାରୁ ସକାଳ ୯.୩୦ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ବିଜ୍ଞାନ କେନ୍ଦ୍ର ଖୋଲା ରହିବା ବେଳେ କେବଳ ହୋଲି ଏବଂ ଦିପାବଳୀ ସମୟରେ ବନ୍ଦ୍ ରହିବ ବୋଲି ଜଣାଯାଇଛି ଅନ୍ୟପଟେ ସାଧାରଣ ପରିଦର୍ଶକଙ୍କ ସହ କୋଭିଡ ନିୟମ ମାନି ସାମୁହିକ ଛାତ୍ରଛାତ୍ରୀ ପରିଦର୍ଶନ କରିପାରିବେ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ତେବେ ପ୍ରଥମ ଦିନରେ ପରିଦର୍ଶକ ଙ୍କ ସଂଖ୍ୟା ଅପେକ୍ଷାକୃତ କମ ଥିବା ବେଳେ ଧୀରେଧୀରେ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ସେହିପରି ଆଜି ଆସିଥିବା ପରିଦର୍ଶକ ଦୀର୍ଘଦିନ ପରେ କେନ୍ଦ୍ରକୁ ଆସିଥିବାରୁ ବେସ୍ ଖୁସି ଜାହିର କରିଥିବା ବେଳେ କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ଦେଖି ପରିଦର୍ଶନ ପାଇଁ ନିଜକୁ ସୁରକ୍ଷିତ ମନେ କରିଛନ୍ତି ।
