News
lipub
samparksetu

।। ଜୀବନ ।।

ଏକ ଉତପ୍ତ ସଞ୍ଜରେ
ତପ୍ତିତ ଲୁହର ପରିସୀମାକୁ
ମାପିବା ଏତେ ସହଜ ନଥିଲା
ଖୋଜୁଥିଲି ନିରୋଳା ଆକାଶ
ହେଲେ ମିଳିଥିଲା
ସଦ୍ୟ ଢାଙ୍କୁଣି ଘୋଡ଼ାଇ
ହୋଇ ଆସୁଥିବା
ଧଳା ବଦଲର ଆସ୍ତରଣ
ଚାହୁଥିଲି କିଚିରି ମିଚିରି କରି
ଗୀତ ଗାଉଥିବା ବିହଙ୍ଗ ସମୂହ
ହେଲେ ଦିଶୁଥିଲା

ଘର ବାହୁଡ଼ା ଚଢ଼େଇ
ଓ ଏକ ଅନ୍ଧାରୁଆ ସଞ୍ଜ
ଫିକା ପଡୁଥବା ଲାଳିମା
ଯେତିକି ନିରାଶ କରୁଥିଲା
ଉଇଁ ଆସୁଥିଲା ଜହ୍ନ ଠାରୁ
ମିଳୁଥିଲା ସେତିକି ଆଶ୍ଵାସନା
ଗୋଟିଏ ପଟେ ଅସ୍ତରାଗର କଷ୍ଟ
ଓ ଅନ୍ୟପଟେ ଦିଶୁଥିଲା

ବଞ୍ଚିବାର ରାହା
ଗୋଟିଏ ପଟେ
ଜୀବନ ଅତିବାହିତ କରିବାର
ଘୋର ସଂଘର୍ଷ ଓ ଅନ୍ୟପଟେ
ଫୁଟି ଉଠୁଥିଲା ଏକ
ନୂତନ ସମ୍ଭାବନା ଓ ଆଶା
ପୂର୍ଣ୍ଣଚ୍ଛେଦ, ନୂତନ ଅୟମାରମ୍ଭ
ଓ ତାହାରି ଭିତରେ ମିଞ୍ଜି ମିଞ୍ଜି କରି
ଜଳୁଥିବା ଜୀବନ ଦୀପର ଶିଖା
ଶିଖେଇ ଦେଉଥିଲେ
ଏବେ ବି ଧକ୍ ଧକ କରୁଛି ହୃଦ ସ୍ପନ୍ଦନ
ସମ୍ପୂର୍ଣ୍ଣ କରିବାକୁ ଅଛି ଅନେକ ସ୍ଵପ୍ନ
ଲେଖିବାକୁ ଅଛି ଅନେକ ପୃଷ୍ଠା
ଏବେ ବି ଯିବାକୁ ଅଛି ଅନେକ ଦୂର ।

✍️ ମନୀଷା ତ୍ରିପାଠୀ

new life
You might also like
error: Content is protected !!