ଢେ଼ଙ୍କାନାଳ ଜିଲ୍ଲା ୫୫ ନମ୍ୱର ଜାତୀୟ ରାଜପଥର ହିନ୍ଦୋଳ ରୋଡ଼ ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅନୁଗୋଳ ରୁ ଢେ଼ଙ୍କାନାଳ ଆଡେ ଯାଉଥିବା ତେଲ ଟ୍ୟାଙ୍କର ସହିତ ମୁହାଁ ମୁହିଁ ଧକ୍କା ହୋଇଛି ଢେଙ୍କାନାଳ ଆଡୁ ଆସୁଥିବା ଏକ ବାର ଚକିଆ ପାଉଁଶ ବୋଝେଇ ଟ୍ରକ ।
ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରୁ ତେଲ ଟ୍ୟାଙ୍କର ଡ୍ରାଇଭର ଫେରାର ଥିବା ବେଳେ , ଗାଡ଼ି ଭିତରେ ଫସି ରହିଥିବା ଟ୍ରକ୍ ଡ୍ରାଇଭର କୁ ଉଦ୍ଧାର ପାଇଁ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ଟ୍ରକ ଡ଼୍ରାଇଭର ଜଣଙ୍କ ଗୁରୁତର ଥିବାରୁ ତାଙ୍କୁ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଏହି ଦୁର୍ଘଟଣା ପରେ ଜାତୀୟ ରାଜପଥର ଉଭୟ ପାର୍ଶ୍ଵରେ ଶହ ଶହ ଗାଡ଼ି ଅଟକି ରହିଥିବାରୁ ଯାତାୟତ ପୁରା ଠପ୍ ହୋଇଯାଇଥିବାର ଦେଖିବାକୁ ମିଳିଥିଲା ।
