ଢେଙ୍କାନାଳ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ର ୧୯୯୫ ବ୍ୟାଚ୍ର ଶତାଧିକ ଛାତ୍ରୀ,ଛାତ୍ର ମାନଙ୍କ ଏକ ‘ବନ୍ଧୁମିଳନ-ମୋ ସ୍କୁଲ ଅଭିଯାନ’ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ।
୧୯୯୫ ବ୍ୟାଚର ପୁରାତନ ଛାତ୍ରୀଛାତ୍ରମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଶିକ୍ଷା,କର୍ମକ୍ଷେତ୍ରର ବିବରଣୀ ସହ ସ୍ବପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦୀର୍ଘ ବର୍ଷର ମନଛୁଆଁ ଅଭୁଲା ଅନୁଭୂତି ସବୁର ସ୍ମୃତିଚାରଣ କରିଥିଲେ ।ଏହି ଅବସରରେ ଏକ ବର୍ଣ୍ଣାଢ୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ଦର୍ଶକ ମଣ୍ଡଳୀ ଦ୍ୱାରା ବେଶ ଉପଭୋଗ୍ୟ ହୋଇପାରିଥିଲା । ପ୍ରାକ୍ତନ ଛାତ୍ର ଅଶୋକ ସାମନ୍ତ ଶେଖର ପଟ୍ଟନାୟକ ଓ ଡାକ୍ତର ଦୀପ୍ତିଶ ସାହୁ ଯୁଗ୍ମ ଭାବରେକାର୍ଯ୍ୟକ୍ରମ ସଂଯୋଜନା ଓ ସଭା ପରିଚାଳନା କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦିବଂଗତ ଛାତ୍ରୀ,ଛାତ୍ର ଓ ଶିକ୍ଷିକା,ଶିକ୍ଷକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଓ ବର୍ତ୍ତମାନର ଅନେକ ଶିକ୍ଷୟିତ୍ରୀ, ଶିକ୍ଷକମାନଙ୍କ ମଧ୍ୟରେ ସର୍ବଶ୍ରୀ ରତ୍ନାକର ପାଣି,ତୀର୍ଥବାସୀ ବରାଳ,ଶିବ ପ୍ରସାଦ ଶତପଥୀ, ତ୍ରିଲୋଚନ କର,ମାୟାଧର ନାୟକ, ବିରଞ୍ଚି ନାରାୟଣ ମିଶ୍ର,ଭଗବାନ ମହାଖୁଡୁ,ରତ୍ନାକର ସାହୁ,ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ,ରବିନାରାୟଣ କର,ଆନନ୍ଦ ମହାରଣା,ଶ୍ରୀମତୀ ଗୀତା ମିଶ୍ର,ସ୍ଵର୍ଣମୟୀ ଶତପଥୀ,ଧ୍ୟାନଚାନ୍ଦ ମିଶ୍ର, ସୁଭାଷ କୁମାର ନନ୍ଦ,ଡ଼ଃ ଅନୁପମା ମିଶ୍ର,ଓ ଢେଙ୍କାନାଳ ଜିଲ୍ଲା ‘ମୋ ସ୍କୁଲ ଅଭିଯାନ କ୍ୟାମ୍ପେନ ଟିମ’ର ଦଳମୁଖ୍ୟ ଡା.ଦେବୀ ପ୍ରସାଦ ମିଶ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ଵୀୟ ବକ୍ତବ୍ୟରେ ‘ମୋ ସ୍କୁଲ ଅଭିଯାନ’ ଏକ ଅଭିନବ ପ୍ରୟାସ ଏବଂ ଏଥିରେ ଅର୍ଥ ପ୍ରଦାନ କଲେ ଓଡ଼ିଶା ସରକାର ଏହାର ଦୁଇଗୁଣ ଅର୍ଥରାଶି ପ୍ରଦାନ କରୁଛନ୍ତି ତେଣୁ ମୋଟ ଏହି ତିନିଗୁଣ ଅର୍ଥରାଶି ସୁବିନିଯୋଗ କରି ବିଦ୍ୟାଳୟର ବିଭିନ୍ନ ଆବଶ୍ୟକତା ପୂରଣ କରାଯାଇ ପାରିବ।
ଏହା ବ୍ୟତୀତ ସମସ୍ତେ ନିଜର ପ୍ରିୟ ବିଦ୍ୟାଳୟକୁ ବିଭିନ୍ନ ଆବଶ୍ୟକ ଦ୍ରବ୍ୟ ଓ ସେବା ପ୍ରଦାନ କରିପାରିବେ ବୋଲି ମଧ୍ୟ ଜଣାଇଥିଲେ। ପ୍ରାକ୍ତନ ଛାତ୍ରୀ, ଛାତ୍ରବୃନ୍ଦ ଗୁରୁ ପୂଜା ସହ ଗୁରୁବନ୍ଦନା ଗାନ କରି ଗୁରୁମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ,ମାନପତ୍ର ଓ ଭଗବତ ଗୀତା ପ୍ରଦାନ କରିବା ସହ ଗୁରୁ ଆଶୀର୍ବାଦ ଗ୍ରହଣ କରିଥିଲେ । ଶିକ୍ଷୟିତ୍ରୀ,ଶିକ୍ଷକ ମାନେ ମଧ୍ୟ ଛାତ୍ରୀ, ଛାତ୍ରଙ୍କ ଗହଣରେ ପୁରୁଣା ସ୍ମୃତି ସାଉଁଟିବା ସଙ୍ଗେ ସଙ୍ଗେ ସମସ୍ତେ ଭଲ ମଣିଷ ହେବା ସହିତ ମଣିଷ ତିଆରି କାରଖାନା ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ’ରେ ସାମିଲ ହୋଇ ଏହାର ସର୍ବାଙ୍ଗୀନ ଉନ୍ନତି କଳ୍ପେ ମନ ପ୍ରାଣ ଢ଼ାଳି ଦେବାକୁ ଦୃଢ଼ ଆହ୍ଵାନ ଜଣାଇଥିଲେ।
ସ୍କୁଲ ପାଠ ପଢା ସରିବା ପରେ ନିଜ ନିଜ କର୍ମକ୍ଷେତ୍ରରେ ଥାଇ କିଏ କେଉଁ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ । କିନ୍ତୁ,ଏହି ବନ୍ଧୁମିଳନ ଅବସରରେ ନିଜର ଅତିପ୍ରିୟ ସାଥୀମାନଙ୍କୁ ଓ ପୂଜନୀୟ ଗୁରୁମା,ଗୁରୁଜୀମାନଙ୍କୁ ପାଖରେ ପାଇ କେକ କାଟି ପରସ୍ପରକୁ ଖୁଆଇ ଅତ୍ୟନ୍ତ ଆନନ୍ଦରେ ଆତ୍ମବିଭୋର ହୋଇଯାଇଥିଲେ ।ତେବେ ଏହି କାର୍ଯ୍ୟକ୍ରମ ଅବସରରେ ସମସ୍ତ ଛାତ୍ରୀ,ଛାତ୍ରମାନେ ଆସନ୍ତା ବର୍ଷକୁ ଏହିପରି ଭାବରେ ପୁଣି ମହାସମାରୋହରେ ପାଳନ କରିବେ ଓ ‘ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ’ରେ ସାମିଲ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶର ସୂତ୍ରଧର ସାଜିବେ ବୋଲି ଦୃଢ଼ ପ୍ରତିଶୃତି ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମର ଅଭୂତପୂର୍ବ ସଫଳତା ପାଇଁ ଉପସ୍ଥିତ ଓ ଅନୁପସ୍ଥିତ ଶତାଧିକ ଛାତ୍ରୀ,ଛାତ୍ର କାୟମନୋବାକ୍ୟରେ ଅକ୍ଲାନ୍ତ ପରିଶ୍ରମ କରିଥିଲେ।ବିଦ୍ୟାଳୟର ନବନିଯୁକ୍ତ ପ୍ରଧାନ ଶିକ୍ଷକ ବ୍ରହ୍ମହୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷାସେବା, ଗ୍ରୁପ କ, କନିଷ୍ଠ ଓ ୫ ଟି,ସ୍କୁଲ ପୋଷ୍ୟ ଗ୍ରହଣ ଅନ୍ତର୍ଗତ ମୋ ସ୍କୁଲ ଅଭିଯାନ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକ ତଥା ୧୯୮୦ ବ୍ୟାଚର ଡା.ଦେବୀ ପ୍ରସାଦ ମିଶ୍ରଙ୍କ ହସ୍ତରେ କାନାରା ବ୍ୟାଙ୍କ ଚେକ ମାଧ୍ୟମରେ ୧ ଲକ୍ଷ ୭୫ହଜାର ଏକ ଶହ ଏକ ଟଙ୍କାର ଚେକ ବିଦ୍ୟାଳୟର ମୋ ସ୍କୁଲ ଅଭିଯାନ ପାଣ୍ଠି ନିମିତ୍ତ ପ୍ରଦାନ କରିଛନ୍ତି।ଏହି ପ୍ରକଳ୍ପ ପ୍ରସ୍ତାବ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ, ଢେଙ୍କାନାଲ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରେରିତ ହୋଇ ରାଜ୍ୟସ୍ତରରେ ଗୃହୀତ ହେଲେ ଏହାର ଦୁଇଗୁଣ ଅର୍ଥରାଶି ଅର୍ଥାତ ୩ ଲକ୍ଷ ୭୫ହଜାର ୫ ଶହ ୦୨ ଟଙ୍କା ଓଡ଼ିଶା ସରକାରଙ୍କ ରାଜ୍ୟ ସ୍ତରୀୟ ମୋ ସ୍କୁଲ ପରିଚାଳନା ସଂଗଠନରୁ ମ୍ୟାଚିଂ ଗ୍ରାଣ୍ଟ ହିସାବରେ ମିଳିପାରିବ।
ଫଳରେ ଏହି ବିଦ୍ୟାଳୟର ୧୯୯୫ ବ୍ୟାଚର ଛାତ୍ରଛାତ୍ରୀ ମାନେ ପ୍ରଦାନ କରିଥିବା ଅର୍ଥରାଶି ତିନିଗୁଣ ହୋଇ ୫ ଲକ୍ଷ ୨୫ ହଜାର ୦୩ ଶହ ୦୩ ଟଙ୍କାର ଟଙ୍କାର ମୋ ସ୍କୁଲ ପାଣ୍ଠି ସୃଷ୍ଟି କରିବାର ଉଜ୍ଜ୍ବଳ ସମ୍ଭାବନାର ବିରଳ ଗୌରବର ଅଧିକାରୀ ହୋଇଛନ୍ତି ।ଏହି ଅବସରରେ ପ୍ରଧାନ ଶିକ୍ଷକ ବ୍ରହ୍ମୋତ୍ରୀ ବିଶ୍ୱାଳ ନିଜ ବାର୍ତ୍ତା ମାଧ୍ୟମରେ ଓ ଦାୟିତ୍ବରେ ଥିବା ସହକାରୀ ଶିକ୍ଷକ ତଥା ୧୯୮୦ ବ୍ୟାଚର ପ୍ରାକ୍ତନ ଛାତ୍ର ଡା. ଦେବୀ ପ୍ରସାଦ ମିଶ୍ର ନିଜର ବକ୍ତବ୍ୟରେ ଅନ୍ୟମାନେ ମଧ୍ୟ ଏହି ଭଳି ଆଗେଇ ଆସିବାକୁ ଆହ୍ୱାନ ଜଣାଇ ସ୍ଵୀୟ ବକ୍ତବ୍ୟରେ କହିଛନ୍ତି :
“ଯିଏ ମୋତେ ଶିଖାଇଥିଲା ଅ… ସେ ମୋତେ ଆଜି ହାତଠାରି ଡାକୁଛି ଆ…..ତୋ ଋଣ ଶୁଝି ଦେଇ ଯା”
“ଅର୍ଥଦାନ ତ ମହାପୁଣ୍ୟ,ଏକଥା ରଖ ମନେ ଧ୍ୟାନ”
ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ,ଓଡ଼ିଶା ତଥା ଭାରତର ଗୋଟିଏ ଅଗ୍ରଣୀ ଅନୁଷ୍ଠାନର ପ୍ରାକ୍ତନ ଛାତ୍ର,ଛାତ୍ରୀ,ଶିକ୍ଷକ,ଶିକ୍ଷୟିତ୍ରୀ, କର୍ମଚାରୀ,ଏହି ଅନୁଷ୍ଠାନକୁ ଭଲପାଉଥିବା ଅଗଣିତ ବ୍ୟକ୍ତି ବିଶେଷ ଓ ସେମାନଙ୍କର ପରିବାରର ସଦସ୍ୟ ସଦସ୍ୟା ମାନଙ୍କୁ ବିନମ୍ର ନିବେଦନ କରାଯାଇଥିଲା।
ଆପଣମାନେ ଏହି ଶୁଭ ମୁହୂର୍ତ୍ତରେ ମୋ ସ୍କୁଲ ଅଭିଯାନ ଅନ୍ତର୍ଗତ ୫ଟି ଯୋଜନାରେ ସାମିଲ ହୋଇ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ ଭାରତୀୟ ଷ୍ଟେଟ ବ୍ୟାଙ୍କ ସଞ୍ଚୟ ଜମାଖାତା ନଂ ୩୭୮୩୯୩୫୭୩୯୭ ରେ ଆକାଉଣ୍ଟ ଜମା ଚେକ ଲେଖି ,ଫୋନ ପେ, ଗୁଗୁଲ ପେ, ଆରଟିଜିଏସ ଆଦି ଯେ କୌଣସି ଅର୍ଥ ପ୍ରଦାନ ମାଧ୍ୟମରେ ଯେକୌଣସି ପରିମାଣର ଅର୍ଥ ଦାନ କଲେ ତାହାର ଦୁଇଗୁଣ ଅର୍ଥ ସରକାର ପ୍ରଦାନ କରିବେ ଓ ତାହା ସହିତ ବିଦ୍ୟାଳୟକୁ ୩୫ ଲକ୍ଷ ଟଙ୍କାର ୫ ଟି ଗ୍ରାଣ୍ଟ ମିଳିବ।ଆମ ବିଦ୍ୟାଳୟକୁ ଅତି କମରେ ୫ ଲକ୍ଷ ଅର୍ଥରାଶି ଆଦାୟ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଏହାକୁ ସମ୍ପୂର୍ଣ୍ଣ କଲେ ବିଦ୍ୟାଳୟକୁ ମୋଟ ୫୦ ଲକ୍ଷ ଟଙ୍କାର ଅର୍ଥରାଶି ଓଡ଼ିଶା ସରକାରଙ୍କ ଠାରୁ ମିଳିପାରିବ ଯେଉଁଥିରେ କି ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ଭବ ହୋଇପାରିବ।
ଆସନ୍ତୁ ଯଥାଶୀଘ୍ର ଏଥିରେ ସାମିଲ ହେବା,ବିଦ୍ୟାଳୟର ଋଣ ସୁଝିବା ଓ ଏହାର ସର୍ବାଙ୍ଗୀନ ବିକାଶରେ ଭାଗିଦାରୀ ହେବା।ଏହି ଅବସରରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ତଥା ୧୯୭୯ ବ୍ୟାଚ ପ୍ରାକ୍ତନ ଛାତ୍ରୀ ସ୍ଵର୍ଣମୟୀ ଶତପଥୀ, ୧୯୮୦ ବ୍ୟାଚ ଛାତ୍ର ତଥା ବରିଷ୍ଠ ଶିକ୍ଷକ ଡ଼ା ଦେବୀ ପ୍ରସାଦ ମିଶ୍ର, ବର୍ତ୍ତମାନର ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ସମସ୍ତ ପ୍ରାକ୍ତନ ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତ୧୯୯୫ ବ୍ୟାଚର ଉପସ୍ଥିତ ଛାତ୍ରଛାତ୍ରୀ ପ୍ରମୁଖ ଚେକ ହସ୍ତାନ୍ତର ସମୟରେ ଉପସ୍ଥିତ ରହି ୧୯୯୫ ବ୍ୟାଚର ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ଧନ୍ୟବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ଅନ୍ୟମାନେ ମଧ୍ୟ ଏହିଭଳି ଅନୁପ୍ରାଣିତ ହୋଇ ମୋ ସ୍କୁଲ ଅଭିଯାନରେ ସାମିଲ ହୋଇ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ।ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,କର୍ମଚାରୀ ବୃନ୍ଦ,୧୯୯୫ ବ୍ୟାଚର ଡ଼ା. ଦୀପ୍ତିଶ ସାହୁ,ସାୟାଦ ରିୟାଜାତ ଅଲ୍ଲୀ, ସମୀର ପରିଡା, ଶୁଭାଶିଷ ମିଶ୍ର, ସଙ୍ଗୀତ ବରାଳ, ବନିତା ପଟ୍ଟନାୟକ,ଶିଳ୍ପୀ ସନ୍ତୋଷ ସାହୁ ପ୍ରମୁଖଙ୍କସହ ପ୍ରାୟ ଅର୍ଦ୍ଧ ଶତାଧିକ ଛାତ୍ର ଛାତ୍ରୀ ଓ ଅର୍ଦ୍ଧ ଶତାଧିକ ଶିକ୍ଷକ , ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ପରିଶେଷରେ ପ୍ରାକ୍ତନ ଛାତ୍ର ସନ୍ତୋଷ ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ।
