ଢେଙ୍କାନାଳ ଜିଲ୍ଲାର ନରେନ୍ଦ୍ରପୁର ସ୍ଥିତ ଟାଟା ଷ୍ଟିଲ୍ ବିଏସ୍ଏଲ୍ ପ୍ଲାଣ୍ଟ ଚତୁଃପାଶ୍ୱର୍ରେ ରହିଥିବା ଗ୍ରାମଗୁଡିକର ମହିଳାମାନଙ୍କୁ ନେଇ ଗଠିତ ଏବଂ କମ୍ପାନୀର ସାମାଜିକ ଦାୟିତ୍ୱବୋଧ ବିଭାଗ ସହଯୋଗରେ ଚାଲିଥିବା ଗୃହଲକ୍ଷ୍ମୀ ସମବାୟ ସମିତିର ଉତ୍ପାଦ ସାମଗ୍ରୀକୁ କମ୍ପାନୀ କ୍ରୟ କରିବା ଆରମ୍ଭ କରିଛି । କମ୍ପାନୀର ହାଉସିଂ କଲୋନୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ କର୍ପୋରେଟ୍ ସେବାର ଉପ ସଭାପତି ଚାଣକ୍ୟ ଚୌଧୁରୀ ଆନୁଷ୍ଠାନିକ ଭାବରେ ଏହି ବ୍ୟବସାୟିକ ସଂଯୁକ୍ତିକରଣର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଟାଟା ଷ୍ଟିଲ୍ ୟୁଟିଲିଟି ଆଣ୍ଡ୍ ଇନ୍ଫ୍ରାଷ୍ଟ୍ରକ୍ଚର ସର୍ଭିସେସ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଶ୍ରୀଯୁକ୍ତ ତରୁଣ ଡାଗା, ଟାଟା ଷ୍ଟିଲ୍ ବିଏସ୍ଏଲ୍ କର୍ପୋରେଟ୍ ସେବାର ମୁଖ୍ୟ ଶ୍ରୀଯୁକ୍ତ ମୋହିତ ଦାସ, ଟାଟା ଷ୍ଟିଲ୍ କର୍ପୋରେଟ୍ ଯୋଗାଯୋଗର ମୁଖ୍ୟ ଶ୍ରୀଯୁକ୍ତ ସର୍ବେଶ କୁମାର, ସମବାୟ ସମିତିର ଛଅ ଜଣ ପ୍ରତିନିଧି ଏବଂ କମ୍ପାନୀର ଅନ୍ୟ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
ଟାଟା ଷ୍ଟିଲ୍ ବିଏସ୍ଏଲ୍ର ଏତାଦୃଶ ପଦକ୍ଷେପକୁ ଧନ୍ୟବାଦ ଜ୍ଞାପନ କରି ସମବାୟ ସମିତିର ସଭାପତି ପ୍ରଣତୀ ନାୟକ କହିଥିଲେ ଯେ ଏହା ପୂର୍ବରୁ କେବେ ଆମେ ଭାବିନଥିଲୁ ଯେ ଆମର ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗ ଆରମ୍ଭ କରି ଟଙ୍କା ରୋଜଗାର କରିବାକୁ ସକ୍ଷମ ହେବ ବୋଲି । ଉପଯୁକ୍ତ ପ୍ରଶିକ୍ଷଣ, ମାର୍ଗଦର୍ଶନ, କଂଚାମାଲ ଯୋଗାଣରେ ସୁବିଧା ଏବଂ କମ୍ପାନୀ ଦ୍ୱାରା ବଜାର ସଂଯୁକ୍ତିକରଣର ସୁବିଧା ଦ୍ୱାରା ଆମେ ଆମର ଉତ୍ପାଦ ବଜାରରେ ବିକ୍ରି କରି ନିଜ ଆୟରେ ଉନ୍ନତି ଆଣିପାରିଛୁ ।
ଜନସାଧାରଣଙ୍କ ଅର୍ନ୍ତଭୁକ୍ତିକାରୀ ବିକାଶ ଦିଗରେ ଗ୍ରୁପ୍ର ପ୍ରତିବଦ୍ଧତାକୁ ଦୋହରାଇ ଚାଣକ୍ୟ ଚୌଧୁରୀ କହିଥିଲେ ଯେ ଦୀର୍ଘମିଆଦି ବ୍ୟବସାୟ ନିମନ୍ତେ ଯୋଜନା ପ୍ରସ୍ତୁତି ଏବଂ ସେହି ଅନୁଯାୟୀ କାମ କରିବାକୁ ମହିଳା ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ସମବାୟ ସମିତି ପକ୍ଷରୁ କମ୍ପାନୀକୁ ପ୍ରଥମ ପର୍ଯ୍ୟାୟରେ ବିକ୍ରୟ କରାଯାଇଥିବା ଉତ୍ପାଦ ଯେପରିକି ଫିନାଇଲ୍, ହ୍ୟାଣ୍ଡ୍ ୱାସ୍, ଧୂପକାଠି ଆଦିକୁ ଗ୍ରହଣ କରିବା ବେଳେ ସେ ଆହୁରି ମଧ୍ୟ କହିଥିଲେ ଯେ ଏହି ପଦକ୍ଷେପକୁ ଆହୁରି ଉପର ସ୍ତରକୁ ନେବା ନିମନ୍ତେ ସମବାୟ ସମିତିକୁ ଟାଟା ଷ୍ଟିଲ୍ ବିଏସ୍ଏଲ୍ ନିରନ୍ତର ସହାୟତା ପ୍ରଦାନ କରିବ । ଟାଟା ଷ୍ଟିଲ୍ ବିଏସ୍ଲ୍ମହିଳା ସଶକ୍ତିକରଣ ଏବଂ ଉଦ୍ୟମିତା (ଡବ୍ଲ୍ୟୁଇଇ) ପ୍ରକଳ୍ପର ଅଂଶ ଭାବରେ ଏହି ସମବାୟ ସମିତିକୁ ବିକଶିତ କରାଯାଇଛି, ଯାହା ଅନୁଷ୍ଠାନ ନିର୍ମାଣ ମାଧ୍ୟମରେ ନିରନ୍ତର ଜୀବିକା ପ୍ରୋତ୍ସାହନ ତଥା ମାଇକ୍ରୋ ଉଦ୍ୟୋଗ ସୃଷ୍ଟି ଦ୍ୱାରା ଜୀବନଶୈଳୀର ମାନକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛି ।
୨୦୨୦ ମସିହା ମାର୍ଚ୍ଚ ମାସଠାରୁ ଆରମ୍ଭ ହୋଇଥିବା ଗୃହଲକ୍ଷ୍ମୀ ସମବାୟ ସମିତିରେ ଢେଙ୍କାନାଳ ଜିଲ୍ଲା ନୂଆଗାଁ, ଶିବପୁର ଏବଂ କୁସୁପଙ୍ଗା ପଂଚାୟତର ୧୨ଟି ପାରିପାର୍ଶ୍ବିକ ଗ୍ରାମର ୧୩୮୦ରୁ ଅଧିକ ସଦସ୍ୟ ଅଛନ୍ତି । ଏଥିମଧ୍ୟରୁ ୩୨୬ ଜଣ ମହିଳା ବିଭିନ୍ନ ପ୍ରକାରର ଉଦ୍ୟୋଗ ଯେପରିକି ଛତୁ ଚାଷ, ଧୂପକାଠି ତିଆରି, ତେଜରାତି ଦୋକାନ, ଫିନାଇଲ୍ ତିଆରି, କୁକୁଡା ଚାଷ, ଗୋପାଳନ, ମତ୍ସ୍ୟ ଚାଷ, ଛେଳି ପାଳନ, ପରିବା ଦୋକାନ ଆଦି ବ୍ୟବସାୟର ବିକାଶ କରିଛନ୍ତି । ଆଗାମୀ ଦିନରେ ମଧ୍ୟ ଟାଟା ଷ୍ଟିଲ୍ ବିଏସ୍ଏଲ୍ ଆବଶ୍ୟକତା ଅନୁଯାୟୀ ଏହି ସମବାୟ ସମିତିରୁ ପ୍ରସ୍ତୁତ ଉତ୍ପାଦ କ୍ରୟ କରିବ ।
କମ୍ପାନୀର ସାମାଜିକ ଦାୟିତ୍ୱବୋଧ ବିଭାଗର କାର୍ଯ୍ୟନିର୍ବାହୀ ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଦିବ୍ୟହାସ ରାୟ ଏବଂ ବରିଷ୍ଠ ପ୍ରବନ୍ଧିକା ରେଣୁକା ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
