ଦଶ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା ବିଦ୍ୟାଳୟ ବନ୍ଦ ପଡ଼ିଛି। ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅର୍ଥରେ ନିର୍ମିତ ବିଦ୍ୟାଳୟର ଗୃହ ଏବେ ବାସଗୃହରେ ପରିଣତ ହୋଇଛି।
କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ପଞ୍ଚାୟତ ଧୋବାବାହାଳି ଗାଁ ରଘୁନାଥଜୀଉ ହାଇସ୍କୁଲ। ୧୯୯୩ ମସିହାରେ ଧୋବାବାହାଳି ଗ୍ରାମବାସୀ ଦ୍ଵାରା ସ୍ଥାପନା କରାଯାଇଥିଲା। ପ୍ରଥମେ ଚାଳଘରେ ବିଦ୍ୟାଳୟଟି ଆରମ୍ଭ କରାଯାଇଥିଲା। ପରବର୍ତ୍ତୀ ସମୟରେ ପିଲାଙ୍କ ଠାରୁ ନାମଲେଖା ଓ ଗାଁ ର ୫ ଜଣ ବ୍ଯକ୍ତି ୧୫,୦୦୦ ଟଙ୍କା ଲେଖାଏଁ ଋଣ କରି ଶ୍ରେଣୀ ଗୃହ ନିର୍ମାଣ କରିଥିଲେ।
ବିଦ୍ୟାଳୟର କାର୍ଯ୍ୟାଳୟ ପାଇଁ ତତ୍କାଳୀନ ଢେଙ୍କାନାଳ ସାଂସଦ ଶ୍ରୀ ତଥାଗତ ସତପଥୀଙ୍କ ଅନୁଦାନରୁ ୨,୦୦,୦୦୦ ଟଙ୍କା, ସ୍ଥାନୀୟ ବିଧାୟକ ଶ୍ରୀ ନୃସିଂହ ଚରଣ ସାହୁଙ୍କ ବିଧାୟକ ପାଣ୍ଠିରୁ ୩,୦୦,୦୦୦ ଟଙ୍କା ଓ BGRF(Backward Regions Grant Fund)ରୁ ୩,୦୦,୦୦୦ ଟଙ୍କାର ଅନୁଦାନ ମିଳିଥିଲା। ଏହି ୮,୦୦,୦୦୦ ଟଙ୍କାରେ ନିର୍ମିତ ବିଦ୍ୟାଳୟ କାର୍ଯ୍ୟାଳୟ ଏବେ କୌଣସି କାର୍ଯ୍ୟରେ ଆସୁ ନାହିଁ।
ବିଦ୍ୟାଳୟରେ ୧୯୯୩ ମସିହାରୁ ୨୦୦୯ ମସିହା ପର୍ଯ୍ୟନ୍ତ ଶିକ୍ଷା ଦାନ ଚାଲୁଥିଲା। ପରିଚାଳନା କମିଟିର ଅନ୍ତର୍ଦ୍ବନ୍ଦ ଯୋଗୁଁ ତାପର ଠାରୁ ବନ୍ଦ ରହିଛି। ନେତାମାନଙ୍କ ଦୂର ଦୃଷ୍ଟି ଅଭାବରୁ ଲୋକଙ୍କ ଝାଳବୁହା ଧନରେ ନିର୍ମିତ ଘର ଏବେ ବ୍ଯକ୍ତିଗତ ସମ୍ପତ୍ତି ହୋଇଛି।
ବିଭିନ୍ନ ସମୟରେ ଶ୍ରେଣୀ ଗୃହ ଗୁଡିକ ଭଡ଼ା ଦିଆଯାଉଥିବା ସୂଚନା ରହିଛି।
