ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ପାଲଟିଛି ହାତୀ ମାନଙ୍କ ନର ସଂହାର ର ପେଣ୍ଠସ୍ଥଳୀ। ହାତୀ ଆକ୍ରମଣରେ ଦୈନନ୍ଦିନ ଜଣେ ମୃତ୍ୟୁବରଣ କରିବା ନିର୍ବାଚନ ମଣ୍ଡଳୀ ପାଇଁ କୋଟା ହୋଇଯାଇଛି ସତେଯେପରି। ଖବରରୁ ପ୍ରକାଶ ଦିନେ ତଳେ ହିନ୍ଦୋଳ ବ୍ଲକ ଗୁଳେହି ପଂଚାୟତ ବଙ୍ଗୁ ଗ୍ରାମର ଜଣେ ବୃଦ୍ଧଙ୍କୁ ଘର ସାମ୍ନାରୁ ଘୋଷାଡ଼ି ଜଣକୁ ବଣୁଆ ହାତୀ ହତ୍ୟା କରିଥିବାର ଦୁଖଃଦ ଘଟଣା ମନରୁ ନଯାଉଣୁ ଆଜି ହିନ୍ଦୋଳ ବ୍ଲକ ପାଇକାପୁରୁଣାକୁଟ ପଂଚାୟତ କଙ୍କାଳୁ ଗ୍ରାମର ସତୁରି ବର୍ଷୀୟ ଗିରିଶ ଚନ୍ଦ୍ର ବେହେରା ଘର ନିକଟ ନିଜ ବିଲରେ କାମ କରୁଥିବାବେଳେ ଅପରାହ୍ନ ୪ଟା ବେଳେ ବଣୁଆ ହାତୀ ଆସି ଆକ୍ରମଣ କରିବା ସହ ଦଳି ଚକଟି ଦେବାରୁ ଘଟଣା ସ୍ଥଳରେ ଗିରିଶ ମୃତ୍ୟୁବରଣ କରିଥିଲେ।
ହୋହାଲ୍ଲା ଶୁଣି ଗ୍ରାମବାସୀ ଦୌଡ଼ି ଆସିବାରୁ ହାତିଟି ନିକଟସ୍ଥ ଜଙ୍ଗଲକୁ ପଳାଇଯାଇଥିଲା ଏବଂ ଖବର ପାଇ ବନବିଭାଗ ଅଧିକାରୀ ଓ କର୍ମଚାରୀ ପହଂଚି ଥିଲେ ମଧ୍ୟ ଶବ ଜଗି ରଖି ଗ୍ରାମବାସୀ ମାନେ କ୍ଷୋଭ ପ୍ରକାଶ କରିଥିଲେ ଏବଂ ସେଠାରେ ଚାପାଉତ୍ତେଜନା ଦେଖା ଯାଇଥିଲା। ତେବେ ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଏବେ ହାତୀ ଘେରରେ ଥିବାରୁ ବ୍ୟାପକ ଜନଜୀବନ ହାନି ସହ ଫସଲ ହାନି ହେଉଥିବାରୁ ଜନସାଧାରଣ ତ୍ରାହି ତ୍ରାହି ଡାକିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି। ସରକାର ଓ ବନବିଭାଗ ତୁରନ୍ତ ଠୋସ ପଦକ୍ଷେପ ନନେଲେ ହାତୀ ଉପଦ୍ରଵ ପାଇଁ ଖୁବ ଶୀଘ୍ର ହିନ୍ଦୋଳ ନିର୍ବାଚନ ମଣ୍ଡଳୀ ଜନ ବସତି ଶୂନ୍ୟ ହୋଇଯିବା ସହ ଅଞ୍ଚଳ ମରୁଭୂମିରେ ପରିଣତ ହୋଇଯିବ ବୋଲି ହିନ୍ଦୋଳ ଭୋଟର ଆଲୋଚନା କରିବା ସହ ସତର୍କ କରାଇଛନ୍ତି
