କିଛିଦିନ ଧରି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ସଦର ମହକୁମାରେ ବିଭିନ୍ନ ମନ୍ଦିରରୁ ଦେବାଦେବୀ ମୂର୍ତ୍ତି ସବୁ ଚୋରି ହେଉଥିବା ଘଟଣା ପାଇଁ ଅଞ୍ଚଳ ବାସିଙ୍କ ଚିନ୍ତା ବଢ଼ାଇ ଦେଇଥିବା ବେଳେ ଆଜି ଦୁଇ ନାବାଳକ ମୂର୍ତ୍ତି ଚୋରିକରି ଧରାପଡିବା ଚର୍ଚ୍ଚାର ବିଷୟ ପାଲଟିଛି।
ଖବରରୁ ପ୍ରକାଶ ଯେ , କିଛିଦିନ ତଳେ ହିନ୍ଦୋଳ ଜଗନ୍ନାଥ ମନ୍ଦିରରୁ ଦୁଇଟି ଲଷ୍ମୀମୂର୍ତ୍ତି ଚୋରି ହୋଇଯାଇଥିବା ଅଭିଯୋଗ ହୋଇଥିଲା। ତେବେ ଆଜି ହିନ୍ଦୋଳ ଏନଏସି ୱାର୍ଡନଂ୮ ରେ ଥିବା ଐତିହାସିକ ବହୁପୁରାତନ ରାଧାକୃଷ୍ଣ ମନ୍ଦିରରେ ପୂଜକ କୌଣସି କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ଦୁଇଜଣ ନାବାଳକ କଲେଜ ଛାତ୍ର ମନ୍ଦିରରେ ପଶି ଦୁଇଟି ମୂର୍ତ୍ତି, ମୁକୁଟ ଇତ୍ୟାଦି ଚୋରିକରି ନେଇ ପଳାଉଥିବା ବେଳେ ପୂଜକଙ୍କ ପରିବାରର ସଦସ୍ୟମାନେ ପାଟିକରିବାରୁ ସ୍ଥାନୀୟ ଅଞ୍ଚଳବାସି ନାବାଳକ ଦ୍ବୟଙ୍କୁ ଧରି ପୋଲିସ ଜିମା ଦେଇଥିଲେ। ଛାତ୍ର ଦ୍ବୟଙ୍କ ସ୍କୁଲ ବ୍ୟାଗ ତଦାରଖ କରିବାରୁ ଚୋରି ମୂର୍ତ୍ତି ସବୁ ସେଥିରୁ ଉଦ୍ଧାର କରିଥିଲେ ହିନ୍ଦୋଳ ପୋଲିସ ଏବଂ ପଚରାଉଚରା କରାଯିବାରୁ ପୂର୍ବରୁ ଜଗନ୍ନାଥ ମନ୍ଦିରରୁ ସେମାନେ ଚୋରାଇଥିବା ଲଷ୍ମୀମୂର୍ତ୍ତି ଦୁଇଟି ଛାତ୍ର ଦୁଇଜଣଙ୍କ ଘରୁ ଉଦ୍ଧାର କରାଯାଇଛି।ପୂଜକଙ୍କ ଏତଲା କ୍ରମେ ହିନ୍ଦୋଳ ଥାନା ପୋଲିସ ମାମଲା ରୁଜ୍ଜୁ କରି ସମ୍ପୃକ୍ତ ନାବାଳକ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ଏବଂ ସେମାନଙ୍କୁ କୋର୍ଟ ଚାଲାଣ କରାଯିବବୋଲି ପୋଲିସ ସୂତ୍ରରୁ ପ୍ରକାଶ। ତେବେ ଉଦ୍ଧାର ମୂର୍ତ୍ତି ସବୁ ଦେବୋତ୍ତର ବିଭାଗକୁ ହସ୍ତାନ୍ତର କରାଯିବା ପରେ ମନ୍ଦିର ମାନଙ୍କରେ ପୁଣି ସେହି ମୂର୍ତ୍ତି ସବୁ ପୂଜା ପାଇବେ ବୋଲି ପ୍ରଶାସନ ପକ୍ଷରୁ ପ୍ରକାଶ।ତେବେ ନାବାଳକ ମାନେ ଆଗରୁ କେତେ ମୂର୍ତ୍ତି ଚୋରି କରିଛନ୍ତି, ଚୋରି ମୂର୍ତ୍ତି ସବୁ କଣ କରନ୍ତି, ଆଉ କିଏ କିଏ ଏଥିରେ ସାମିଲ ଅଛନ୍ତି କିମ୍ବା ମୂର୍ତ୍ତି ଚୋରି ରାକେଟର କିଙ୍ଗପିନ କିଏ ଏସବୁ ତଦନ୍ତ ପରେ ସ୍ପଷ୍ଟ ହୋଇଯିବ ବୋଲି ହିନ୍ଦୋଳ ଉପଖଣ୍ଡ ଏସଡିପିଓ କହିଛନ୍ତି।
