ରାଜ୍ୟର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ଭାବରେ କପିଳାସ ମିନି ଚିଡିଆଖାନା ରାଜ୍ୟର ଦ୍ୱିତୀୟ ଚିଡିଆଖାନା ବା କପିଳାସ ମୃଗ ବିହାର ଭାବରେ ବେଶ ପରିଚିତ। କପିଳାସ ଚିଡିଆଖାନା ୪୫ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ସରକାରଙ୍କ ଉଦାସିନତା ଯୋଗୁ ଏହା ପୂର୍ଣ୍ଣ ଚିଡିଆଖାନାର ମାନ୍ୟତା ପାଇବାରୁ ବଞ୍ଚିତ ହୋଇଛି। ସେହିପରି ଏହି ଚିଡିଆଖାନାରେ ସମ୍ବର ପ୍ରଜନନ ପାଇଁ ବ୍ୟବସ୍ଥା ହୋଇଥିବା ବେଳେ ଏହା କେବଳ କାଗଜପତ୍ରରେ ରହିଥିବାର ଜଣାପଡିଛି।
କପିଳାସ ଚିଡିଆଖାନା ପ୍ରଥମେ ଏକ ହରିଣ ଉଦ୍ୟାନ ରୂପେ ୧୯୭୯ ମସିହା ଜାନୁୟାରୀ ୨୬ ତାରିଖଦିନ ମାତ୍ର ୫ହେକ୍ଟର ପରିମିତ ଦେବୋତ୍ତର ଜମିଉପରେ ଆରମ୍ଭ ହୋଇଥିଲା । ପ୍ରସିଦ୍ଧ କପିଳାସର ଶ୍ରୀ ଚନ୍ଦ୍ରଶେଖରଜୀଉ ମନ୍ଦିରକୁ ଯେଉଁ ପର୍ଯ୍ୟଟକମାନେ ଦର୍ଶନ ଉଦ୍ଦେଶ୍ୟରେ ଆସିବେ ସେମାନେ ହରିଣ ଉଦ୍ୟାନ ଦେଖି ଅଧିକ ଆକର୍ଷିତ ହେବେ । ପରବର୍ତ୍ତି ସମୟରେ କପିଳାସ ପାହାଡର ପାଦଦେଶରେ ବିଜ୍ଞାନ ଉଦ୍ୟାନ ସ୍ଥାପିତ ହେବାସହ କପିଳାସର ହରିଣ ଉଦ୍ୟାନକୁ ଏକ ସମ୍ବର ପ୍ରଜନନ କେନ୍ଦ୍ରରୂପେ ଉନ୍ନୀତ କରାଯାଇଥିଲା। ମାତ୍ର ୫ହେକ୍ଟର ଜମି ଉପରେ ରହିଥିବା ହରିଣ ଉଦ୍ୟାନର କଳେବରକୁ ସଂରକ୍ଷିତ ଜଙ୍ଗଲର କିଛିଅଂଶ ସହିତ ସଂଯୋଗ କରାଯାଇ ୨୬ହେକ୍ଟର କୁ ବୃଦ୍ଧି ଗରାଯାଇଛି। ଗତ ୧୯୯୫ ମସିହା ଏପ୍ରିଲ ପହିଲା ଦିନଠାରୁ ଏହି ସମ୍ବର ପ୍ରଜନନ କେନ୍ଦ୍ରକୁ ଉନ୍ନୀତ କରାଯାଇ ଯଦିଓ ଏକ ପୂର୍ଣ୍ଣାଙ୍ଗ ଚିଡିଆଖାନା ରୂପେ ଭାରତୀୟ ଜୁ ଅଥରିଟି ମାନ୍ୟତା ପ୍ରଦାନ କରିଥଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହା କାର୍ଯ୍ୟକାରୀ ହୋଇ ପାରିନାହିଁ। ପର୍ଯ୍ୟଟକ ମାନଙ୍କ ବିଶ୍ରାମ ପାଇଁ ଚିଡିଆଖାନା ତରଫରୁ ଅତିଥିଶାଳା, ଶୁଦ୍ଧ ପାନୀୟ ଜଳ ଏବଂ ପରିଶ୍ରାଗାର ମଧ୍ୟ ନିର୍ମିତ ହୋଇପାରିନାହିଁ। କପିଳାସ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମନ୍ଦିରକୁ ବାର୍ଷିକ ପ୍ରାୟ ୫ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସୁଥିବା ବେଳେ କପିଳାସ ଚିଡିଆଖାନାକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୦୨୩-୨୪ ଆର୍ଥିକ ବର୍ଷରେ୨୦ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ୨୫ଲକ୍ଷରୁ ଅଧିକ ହୋଇଥିବାର ଜଣାପଡିଛି। ଏହି ପ୍ରାଣୀ ଉଦ୍ୟାନରେ ୧୦୮ଟି ହରିଣ,୨ଟି କୁମ୍ଭୀର, ୨ଟି ଭାଲୁ, ୧ଟି ଅଜଗର, ୧ଟି ନାଗସାପ, ୧ଟି କୁଟୁରା, ୨ଟି ମୟୁର, ସମ୍ବର ୩ଟି, ହାତୀ ୩ଟି ସହିତ ଶୁଆ, ସାରୀ ଓ ଅନ୍ୟକେତେକ ପ୍ରାଣୀ ରହିଛନ୍ତି। ବାଘ, ଧଳାବାଘ, ଅଜଗର, ଅହିରାଜ ଆଦି ବିଭିନ୍ନ କିସମର ଭାଲୁଙ୍କୁ ଅସୁସ୍ଥତା ସମୟରେ ଚିକିତ୍ସା ପାଇଁ କପିଳାସ ଚିଡିଆଖାନାକୁ ସେଲ୍ଟର ହାଉସ ରୂପେ ମନୋନୀତ କରାଯାଇଥିଲେ ମଧ୍ୟ ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଚିଡିଆଖାନାରେ ୩ଟି ହାତୀ ଶାବକ ସହିତ ୨ଟି ବଡ ହାତୀ ରହିଛନ୍ତି। ସେମାନଙ୍କ ପାଇଁ ୫ଜଣ ମାହୁନ୍ତ ଥିବା ବେଳେ ଜଣେ ଫରେଷ୍ଟର, ଗାର୍ଡ ୫ ଜଣ ସ୍ଥାୟୀ ଏବଂ ୨୨ ଜଣ ଅସ୍ଥାୟୀ କର୍ମଚାରୀ ରହିଛନ୍ତି। ପ୍ରାୟ ୬୦ଲକ୍ଷ ଟଙ୍କା ବ୍ୟୟରେ ଗୃହ ନିର୍ମାଣ ହେଇଥିବା ବେଳେ ଝିଙ୍କ, କଳା ହଂସ, କଲରାପତରିଆ ବାଘ, ସିଙ୍ଗାଳ, ବଡଗୋଧି, କୃଷ୍ଣମୃଗ ଅଣାଯିବାର ଯୋଜନା ମଧ୍ୟ ରହିଛି। ସେହିପରି ଏହି ଚିଡଆଖାନା ମଧ୍ୟରେ ଏକ ପୋଖରୀ ରହିଥିବା ବେଳେ ବୋଟିଂର ବ୍ୟବସ୍ଥା ରହିଥିଲା। ବିଭିନ୍ନ ସମସ୍ୟାକୁ ନେଇ ଦୀର୍ଘଦିନ ହେବ ଏହି ବୋଟିଂ ବ୍ୟବସ୍ଥା ବନ୍ଦ ରହିଥିବା ଯୋଗୁ ପର୍ଯ୍ୟଟକ ମାନେ ନିରାଶ ହେବା ସହ ଚିଡିଆଖାନାର ଆୟ ମଧ୍ୟ ହ୍ରାସ ପାଉଛି। କପିଳାସ, ଯୋରନ୍ଦା, ସିରିଡିସାଇ ମନ୍ଦିର, ଉନ୍ନକୋଟୀଶ୍ୱର ମନ୍ଦିର, ଧୌଡେଶ୍ୱର ମହାଦେବ ମନ୍ଦିର, ନାଗନାଥଶ୍ୱର ମନ୍ଦିର , ତପୋବନ ଏବଂ ସପ୍ତଶଯ୍ୟାକୁ ନେଇ ଏକ ସୁନ୍ଦର ପର୍ଯ୍ୟଟନ କ୍ଷେତ୍ର ପ୍ରସ୍ତୁତ କରାଗଲେ ଢେଙ୍କାନାଳବାସୀଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇ ପାରନ୍ତା ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି। କପିଳାସ ଚିଡିଆଖାନାକୁ ଏକ ପୂର୍ଣ୍ଣାଙ୍ଗ ଚିଡିଆଖାନାରେ ପରିଣତ କରିବାପାଇଁ ଆବଶ୍ୟକୀୟ ପରିବେଶ ଓ ଭିତ୍ତିଭୂମି ରହିଥିଲେ ମଧ୍ୟ ଏଥିପାଇଁ ଯେତିକି ରାଜନୈତିକ ଚାପ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ଉପରେ ନିର୍ବାଚିତ ଲୋକ ପ୍ରତିନିଧିମାନେ ପକାଇବା କଥା ତାହା ପକାଇବାରେ ସେମାନେ ବିଫଳ ହୋଇଛନ୍ତି । ଯେତିକି ବନ୍ୟପ୍ରାଣୀ ବର୍ତ୍ତମାନ କପିଳାସ ଚିଡିଆଖାନାରେ ଅଛନ୍ତି ସେମାନଙ୍କ ଖାଇବା ପାଇଁ ଯୋଗାଇ ଦିଆଯାଉଥିବା ବାର୍ଷିକ ଅର୍ଥ ପର୍ଯ୍ୟାପ୍ତ ହେଉନଥିବାବେଳେ ବିଭିନ୍ନ ସମୟରେ ଉଦ୍ଧାର ହୋଇ ଆସୁଥିବା ହାତୀଛୁଆ ଓ ଅଜଗର ସାପକୁ ଖୁଆଇବା ଦାୟିତ୍ୱ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଏହାର ଖର୍ଚ୍ଚ ବହନ କରିବା କଷ୍ଟସାଧ୍ୟ ହୋଇପଡୁଛି। ତେଣୁ ସ୍ଥାନୀୟ ବନଖଣ୍ଡ ଅଧିକାରୀ ସେମାନଙ୍କୁ ନନ୍ଦନକାନନ ପଠାଇ ଦେବାକୁ ବାଧ୍ୟ ହେଉଛନ୍ତି । କପିଳାସ ଚିଡିଆଖାନାକୁ ସୁନ୍ଦର କରିବା ପାଇଁ ପ୍ରାୟ ୨୬ ହେକ୍ଟର ଜମି ରହିଥିବା ବେଳେ ବିଭିନ୍ନ ପ୍ରକାର ଏନକ୍ଲୋଜର ନିର୍ମାଣ କରିବାକୁ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ପ୍ରାଣୀମାନଙ୍କ ଚିକିତ୍ସା ପାଇଁ ନୂତନ ଗୃହ ନିର୍ମାଣ କରାଯିବ। ଦୀର୍ଘ ୪୫ ବର୍ଷତଳେ ଆରମ୍ଭ ହୋଇଥିବା ଏହି ଚିଡିଆଖାନାର ମୁଖ୍ୟ ଫାଟକ, ବୋର୍ଡ ଆଦି ଅତିପୁରୁଣା ହୋଇଯାଇଥିବା ବେଳେ ନୂଆ ତୋରଣ ନିର୍ମାଣର ପ୍ରସ୍ତାବ ରହିଛି। ରାଜ୍ୟର ଦ୍ୱିତୀୟ ଚିଡିଆଖାନାରା ମାନ୍ୟତା ପାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାକୁ ପୂର୍ଣ୍ଣାଙ୍ଗ ଚିଡିଆଖାନାରେ ପରିଣତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ସେହିପରି ଗତ ୨୦୧୧ ମସିହାରେ କପିଳାସକୁ ଅଭୟାରଣ୍ୟର ମାନ୍ୟତା ଦେବାପାଇଁ ଦାବି ହୋଇ ଆସୁଥିବା ବେଳେ ୨୦୧୪ ମସିହାରେ ଏହାକୁ ଅଭୟାରଣ୍ୟର ମାନ୍ୟତା ମିଳିଛି। ଅଭୟାରଣ୍ୟର ମାନ୍ୟତା ମିଳିବା ପରେ ଏହାର ବିକାଶ ପାଇଁ ପ୍ରାଥମିକ ସ୍ତରରେ ୱାଚ ଟାୱାର ର ନିର୍ମାଣ, ଚେକ୍ ଗେଟ୍, ପୋଖରୀ ଏବଂ ବିଭିନ୍ନ ସ୍ଥାନରେ ପିଲାର ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଫଳରେ ଦିନକୁ ଦିନ ଏହାର ଲୋକ ପ୍ରୀୟତା କମିବାରେ ଲାଗିଛି। ନଭେମ୍ବର ମାସରୁ ଫେବୃୟାରୀ ମାସ ପର୍ଯ୍ୟନ୍ତ ହଜାର ହଜାର ପର୍ଯ୍ୟଟକ ଏଠାକୁ ବଣଭୋଜି ପାଇଁ ଆସୁଥିବା ବେଳେ କପିଳାସ ଚିଡିଆଖାନା ସମସ୍ତଙ୍କୁ ନିରାଶ କରିଛି। ସେହିପରି ସମ୍ବର ବଂଶର ସୁରକ୍ଷା ପାଇଁ ସମ୍ବର ପ୍ରଜଜନ କେନ୍ଦ୍ର ଭାବରେ ମାନ୍ୟତା ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର କାର୍ଯ୍ୟ ହେଉନାହିଁ। ଏ ସଂକ୍ରାନ୍ତରେ ଡିଏଫଓ ସୁମିତ କୁମାର କରଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ଯେ, କପିଳାସ ଚିଡିଆଖାନାକୁ ପୂର୍ଣ୍ଣ ଚିଡିଆଖାନାରେ ପରିଣତ କରିବା ନିମନ୍ତେ ଏକ ମାଷ୍ଟର ପ୍ଲାନ୍ ତିଆରି କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏହି ମାଷ୍ଟର ପ୍ଲାନ୍ କୁ ସରକାରଙ୍କୁ ପଠାଗଲେ ସରକାରୀ ଅନୁଦାନ ଆସିଲେ ଏହାର ଉନ୍ନତିକରଣ କରାଯାଇପାରିବ। ସେହିପରି ଏଠାକୁ ବିଭିନ୍ନ କିସମର ଜନ୍ତୁ ଖୁବଶୀଘ୍ର ଅଣାଯାଇ ରଖାଗଲେ ପର୍ଯ୍ୟଟକ ମାନଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ପ୍ରକାଶ କରିଛନ୍ତି।
