ଗ୍ରାମରେ ବିଦ୍ୟୁତ ସମସ୍ୟା କୁ ନେଇ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ପରଜଙ୍ଗ ବ୍ଲକ କନ୍ଦରସିଂହା ପଞ୍ଚାୟତ ନୁଆଁଗାଁର ଗ୍ରାମବାସୀ। ଏନେଇ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କେହି ନଶୁଣିବାରୁ ବାଧ୍ୟ ହୋଇ ଗ୍ରାମର ପୁରୁଷ ଓ ମହିଳା ଶୁକ୍ରବାର ପରଜଙ୍ଗ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଥିଲେ।
ଲୋକଙ୍କ କହିବା କଥା ଗତ ମାସ ବାତ୍ୟାରେ ଏକ ଗଛ ବିଦ୍ୟୁତ ତାର ଉପରେ ପଡି ଜିବାରୁ ବିଦ୍ୟୁତପାଇଁ ପୋତା ଯାଇଥିବା ୧୦ ଗୋଟି ଖୁଣ୍ଟି ଭାଙ୍ଗି ଯାଇଥିଲା।ଫଳରେ ସେହି ଦିନ ଠାରୁ ପ୍ରାୟ ମାସେ ହେବ ଗାଁକୁ ବିଦ୍ୟୁତ ଯିବା ବନ୍ଦ ହୋଇଯାଇଥିଲା।
ଯାହାକୁ ନେଇ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ସୁଦ୍ଧା କେହି ତାଙ୍କ କଥା ଶୁଣି ନଥିଲେ।ତେଣୁ ସେମାନେ ବାଧ୍ୟ ହୋଇ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ପିଲା ଛୁଆ ଧରି ଖରା ତରାରେ ପରଜଙ୍ଗ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ।ପରଜଙ୍ଗ କନିଷ୍ଠ ଯନ୍ତ୍ରୀ (୧) ବିଭୁତି ପ୍ରସାଦ ଦାସ ପହଞ୍ଚି ଦୁଇ ଦିନ ଭିତରେ ସମସ୍ୟାର ସମାଧାନ କରି ଗ୍ରାମକୁ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକେ ଧାରଣାରୁ ଉଠିଥିଲେ।
