କାମାକ୍ଷାନଗର ମାଟିର ସୁପରିଚିତ ସୁଦକ୍ଷ ସାମ୍ବାଦିକ ଶ୍ରୀ ଗିରୀଶ ଚନ୍ଦ୍ର ନନ୍ଦଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ କାମାକ୍ଷାନଗର କଳ୍ପନା କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ନନ୍ଦ ଏକାଧାରରେ ଜଣେ ଦକ୍ଷ ସାମ୍ବାଦିକ ହେବା ସହ ଜଣେ ସୁସଂଗଠକ, ସମାଜସେବୀ ଓ କବି ଥିଲେ। ଜଣେ ସାମ୍ବାଦିକ ଭାବରେ ସମାଜ ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା। ସାମ୍ବାଦିକ ଭାବରେ ପାଇଁ ଚାଳିଶ ବର୍ଷ ସମାଜ ଖବରକାଗଜ ପାଇଁ କାର୍ଯ୍ୟ କରିଥିଲେ। ନିର୍ଭିକ ଓ ନିରପେକ୍ଷ ସାମ୍ବାଦିକତା ପାଇଁ କାମାକ୍ଷାନଗର ଛଡ଼ା ଜିଲ୍ଲାରେ ପରିଚିତ ଥିଲେ।
ଜୀବନ କାଳ ମଧ୍ୟରେ କାମାକ୍ଷାନଗର ପାଇଁ ବହୁତ କିଛି କରି ଯାଇଛନ୍ତି। ତାଙ୍କ ଉଦ୍ୟମରେ କାମାକ୍ଷାନଗର ମହାବିଦ୍ୟାଳୟ ଓ କଳ୍ପନା କ୍ଲବ ହୋଇଥିଲା। କାମାକ୍ଷାନଗର ମହାବିଦ୍ୟାଳୟର ସେ ଥିଲେ ପ୍ରଥମ ସମ୍ପାଦକ।
ଯଦିଓ ସେ ପ୍ରତ୍ୟେକ୍ଷ ରାଜନୀତିରେ ଭାଗ ନେଇ ନଥିଲେ କିନ୍ତୁ ନବେ ଦଶକରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀରେ ତାଙ୍କର ପ୍ରଭାବ ରହିଥିଲା। ତାଙ୍କୁ ନବେ ଦଶକରେ କାମାକ୍ଷାନଗର ରାଜନୀତିର ଚାଣକ୍ୟ କହିଲେ ଭୁଲ ହେବ ନାହିଁ। ସେ ତାଙ୍କ ଜୀବନ କାଳ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ଚାଷୀ ସଂଗଠନର ସମ୍ପାଦକ, କ୍ରୀଡା ସଂସଦର ସମ୍ପାଦକ, ରକ୍ତଭଣ୍ଡାର ସ୍ଥାପନାର ଉଦ୍ଯୋକ୍ତା, ରାଜ୍ୟ ସ୍ତରୀୟ ଓଡିଆ ଯୁବ ଲେଖକ ସମ୍ମିଳନୀ ଓ ଲେଖକ ସାମ୍ମୁଖ୍ୟ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ଏହା ଛଡ଼ା ସେ ଜଣେ କବି ରୂପେ ମଧ୍ୟ ପରିଚିତ ଥିଲେ। ତାଙ୍କ ଦ୍ବାରା ଲିଖିତ “ଶାଳ ବଣର କବିତା, ସ୍ମୃତିର ସହର ମୋର, ଅନ୍ୟ ଏକ ପୃଥିବୀ” କବିତା ସଙ୍କଳନ ପାଇଁ ସେ ପ୍ରସିଦ୍ଧି ଲାଭ କରିଛନ୍ତି।
ଏହି ସଭାରେ ମୁଖ୍ୟ ଅତିଥିଭାବେ ଆର୍ଯ୍ଯକବି ପଣ୍ଡିତ ପ୍ରମୋଦ କୁମାର ମିଶ୍ର, ସଭାପତି ଭାବରେ ସମାଜ ପାଠକ ବିଚାର ମଞ୍ଚର ସଭାପତି ଡ଼ା. ପ୍ରଫୁଲ୍ଲ କୁମାର ପାଣି, ବିଶିଷ୍ଟ ନିୟନ୍ତ୍ରିତ ଅତିଥି ଭାବେ ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ରୁଦ୍ରନାରାୟଣ ପାଣି, ମୁଖ୍ୟବକ୍ତା ରୂପେ ଶ୍ରୀ ମନୋରଞ୍ଜନ ନନ୍ଦ (ବିଶିଷ୍ଟ କବି), ସମ୍ମାନିତ ଅତିଥି ରୂପେ ଶିଳ୍ପୀ ପରେଶ ପଟ୍ଟନାୟକ ଯୋଗ ଦେଇଥିଲେ।
