News
lipub
samparksetu

ସ୍ମୃତିରେ ଅରିନ୍ଦମ

ଆରମ୍ଭରୁ ଛୋଟ ପରି ଲାଗୁଥିବା ଘଟଣାଟିଏ କେତେ ଜଲଦି ଉଗ୍ର ଭୟଙ୍କର ହୋଇଯାଏ ସେଇ ଉପରେ ମୋର ଏଇ ଅନୁଭୂତି । ଅରିନ୍ଦମ ଭାଇଙ୍କୁ ମୁଁ ବ୍ୟକ୍ତିଗତ ଭାବେ ଜାଣିନି, କେବେ ତାଙ୍କ ସହ କାମ କରିବାର ସୁଯୋଗ ବି ପାଇନି। ସମ୍ପର୍କ କହିଲେ ଖାଲି ଏତିକି ଯେ ସେ IIMCର ଜଣେ ପୂର୍ବତନ ଛାତ୍ର ଯେଉଁଠି ମୁଁ ବି ଶିକ୍ଷାପ୍ରାପ୍ତ କରିଛି। ହେଲେ ଗତ କାଲି ଯେଉଁ ଭଳି ଭାବରେ ସେ ପ୍ରାଣ ହରାଇଛନ୍ତି ସେ ଘଟଣା ମୋର ଏହି ଉପସ୍ଥାପନାର ଉତ୍ସ ।

୨୦୦୮ ମସିହା ପ୍ରତି ଭାରତୀୟଙ୍କ ପାଇଁ ସେଇ କଳଙ୍କିତ ଦିନ ନଭେମ୍ବର ୨୬ ତାରିଖର ସକାଳ। ମୁଁ ସେତେବେଳେ IIMC, ଢେଙ୍କାନାଳର ଛାତ୍ରୀ । ଏଠି ପଢିଥିବା ପିଲାମାନେ ଜାଣିଥିବେ ସକାଳଟା ଏଠି କେମିତି ଆରମ୍ଭ ହୁଏ। ସକାଳ ପାହୁ ପାହୁ ଯାଇ ମେନ୍ ଗେଟ୍ ଚକ୍କର୍ ମାରିବାକୁ ପଡେ କାରଣ ନ୍ୟୁଜ ପେପର ଆସିବ, ତାକୁ ନେଇ ସକାଳ ବୁଲେଟିନ୍ ପାଇଁ ଖବର ଖୋଜିବାକୁ ହେବ, ସ୍କ୍ରିପ୍ଟ ଲେଖିବାକୁ ହେବ ।

ସେଦିନ ଆମ ଗ୍ରୁପ ର ବୁଲେଟିନ୍ ପାଳି ଥିଲା । ମୁଁ, ବନାନୀ, ନିରୂପମା, ସୁଦୀପ୍ତା ଦିଦି, ଅଶ୍ୱିନୀ ଭାଇ, ପବନ, ସପନ ଏମିତି ସବୁ ଆଡ଼ମିନ ବ୍ଳକ୍ ପାହାଚ ଉପରେ ଆଣ୍ଠେଇ ପେଟେଇ ନ୍ୟୁଜ ପପେର ଘାଣ୍ଟିବାରେ ବ୍ୟସ୍ତ । ମୋ ହାତରେ ସେଦିନ ‘ସମାଜ’ ଖଣ୍ଡିକ ପଡିଥାଏ। ଖବର ପ୍ରକାଶନର ସାଇଜ ଅନୁସାରେ ଖବରର ଓଜନ ଜଣାପଡେ ।

ମୁଁ ଦେଖିଲି ‘ସମାଜ’ର ମୁଖ୍ୟପୃଷ୍ଠାରେ ଗୋଟେ ସିଙ୍ଗିଲ କଲୋମ ର ଖବରଟିଏ ଛପାହେଇଛି, ‘ମୁମ୍ବାଇର ତାଜ୍ ହୋଟେଲରେ ଆତଙ୍କବାଦୀ ଆକ୍ରମଣ’। ବାସ୍ ତା ତଳକୁ ୨ ଧାଡ଼ି ଲେଖା ହେଇଛି। ବେଶି କିଛି ତଥ୍ୟ ନାହିଁ କି ଅଲଗା ପୃଷ୍ଠାରେ ତା’ର ଫ୍ଲଲୋ ଅପ ବି ନାହିଁ। ସତ କହିବାକୁ ଗଲେ ସେତେବେଳେ ଏମିତିକା ଘଟଣା ସାଧାରଣ ବି ଥିଲା। ମୁଁ ଅନ୍ୟମାନଙ୍କୁ ପଚାରିଲି, ଆରେ ଏଇ ଖବରଟା ନେବା କି ? ସବୁ ନିଜ ନିଜ ପେପର ଅଣ୍ଡାଳିଲେ, କହିଲେ କାଇଁ ମ ! ଅନ୍ୟ କୋଉ ପେପର ତ ଛାପିନି। ଛାଡ୍ ତାକୁ। ମୁଁ ସେ ନ୍ୟୁଜ୍ ଛାଡି ଦେଲି। ସକାଳର ଏତେ ସବୁ କାମ ଭିତରେ ଆମକୁ ଟିଭି ଦେଖି କୌଣସି ଖବର କୁ କନଫର୍ମ କରିବାର ସମୟ ବି ନ ଥାଏ।

ଦିନ ଗଡିଲା, ଆମେ ନିଜ ନିଜ କାମରେ ବ୍ୟସ୍ତ ହୋଇଗଲୁ, କ୍ଳାସ କୁ ଗଲୁ । ଦିନ ପାଖାପାଖି ୧୧-୧୨ ହେବ, କ୍ଳାସ ଗୋଟେ ସରିଛି, ଜଣେ ଭାଇଙ୍କର କଲ ଆସିଲା। ସେପଟରୁ ସେ କହିଲେ, ଝିଅ ନ୍ୟୁଜ ଦେଖିଲୁଣି ? ମୁଁ କହିଲି ଭାଇ କ୍ଳାସରେ ଥିଲି, ଦେଖିପାରିନି, କାହିଁ କ’ଣ ହେଇଛି କି ? ସେ କହିଲେ, ତୁ ମିଡିଆ ପାଠ ପଢୁଚୁ, ଏତେ ବଡ଼ ଘଟଣାଟେ ହେଲାଣି, ତୁ ଜାଣିନୁ ? ତାଜ୍ ହୋଟେଲରେ ଏମିତି ଏମିତି ହେଇଛି ଯାଆ ଦେଖ୍ ବୋଲି ମତେ କହିଲେ।

ଆଉ କିଛି କ୍ଳାସ ଥିଲା କି ନ ଥିଲା ମନେ ନାହିଁ , ମୁଁ ହଷ୍ଟେଲକୁ ଦୌଡିଲି। ସେଠି ଆଗରୁ ଇଜେର କିଛି ଛାତ୍ରୀ ଟିଭି ଖୋଲି ବସିଥିଲେ। ସେଠି ପ୍ରଥମଥର ଲାଗି ସେଇ ହୃଦୟ ବିଦାରକ ଖବର ଦେଖିଲି। ଯଦିଓ ତାକୁ ଦେଖି ମୋର ପ୍ରଥମ ରିଆକ୍ସନ ଥିଲା ଆହାଃ! ଆଜି ଏତେ ବଡ଼ ଖବର ମୋର ହାତଛଡା ହେଇଗଲା, ହେଲେ ଘଟଣାର ଭୟାବହତା ମୋର ଏହି ରିଆକ୍ସନ ଠାରୁ ଢେର ଗୁଣା ଅଧିକ ଭୟଙ୍କର ଥିଲା। ତା’ପର ଦିନ ସବୁ ଖବରକାଗଜର ମୁଖ୍ୟପୃଷ୍ଠା ସେହି ଆତଙ୍କବାଦୀ ଆକ୍ରମଣ ଖବରରେ ଯେତେବେଳେ ଭର୍ତ୍ତି ହୋଇଯାଇଥିଲା, ମୁଁ ମୋ ସାଙ୍ଗମାନଙ୍କୁ କହୁଥିଲି, ଦେଖିଲ କାଲିର ଗୋଟେ କଲୋମ ର ଖବର କେତେ ବଡ଼ ହେଇଗଲା।

ଆଜି ବି ଠିକ୍ ସେମିତି କିଛି ଫିଲ କରୁଚି ମୁଁ। କାଲି ସକାଳୁ ଟିଭି ଖୋଲିଲି ଯେତେବେଳେ, ଖାଲି ଗୋଟିଏ ଚ୍ୟାନେଲ ରେ ଖବରଟି ଚାଲିଥିଲା, ‘ମୁଣ୍ଡଳୀ ବ୍ୟାରେଜରେ ହାତୀଟିଏ ଫସିଯାଇଛି’ । ତା’ପରେ ଧୀରେ ଧୀରେ ସବୁ ଚ୍ୟାନେଲ ସେହି ଖବର ଦେଖାଇବାକୁ ଲାଗିଲେ। ମୁଁ ଭାବିଲି, ଏଇଟା କ’ଣ ଗୋଟେ ଏତେ ବଡ଼ ଘଟଣା ଯେ ସମସ୍ତେ ୟା ପଛରେ ପଡିଯାଇଛନ୍ତି, ଆଜି କ’ଣ ଆଉ କିଛି ନ୍ୟୁଜ ନାହିଁ ? ହେଲେ ଦେଖୁ ଦେଖୁ ଛୋଟ ପରି ଲାଗୁଥିବା ଘଟଣାଟି କେଡେ କରାଳ ରୂପ ଧାରଣ କରିନେଲା। ଆଜି ସୁଦ୍ଧା ଅପଡେଟ ଏୟା ଯେ, ଜଣେ ଉଦ୍ଦୀୟମାନ ସାମ୍ବାଦିକ ଅରିନ୍ଦମ ଭାଇ ଚାଲିଗଲେ, ଓଡ୍ରାଫ ଟିମ୍ ର ନିଖୋଜ ସଦସ୍ୟ ଜଣଙ୍କ ବି ମୃତ, ଆଉ ଯାହା ଲାଗି ଏତେ ସବୁ ଦୁର୍ଘଟଣା ସେଇ ହାତୀକୁ ବି ରକ୍ଷା କରି ହେଲାନାହିଁ ।

✍️ ଦୀପ୍ତି

new life
You might also like
error: Content is protected !!