News
lipub
samparksetu

ପ୍ରେରଣା ପାଲଟିଛନ୍ତି ସରପା ଗାଁର ପଦ୍ମିନୀ – ସ୍ୱାବଲମ୍ବୀ ହେବା ଶିଖାଇଛି ଟାଟା ଷ୍ଟିଲ ଫାଉଣ୍ଡେସନ

ଗ୍ରାମାଞ୍ଚଳର ମହିଳାମାନେ ଆଜି କେବଳ ଘରର ଚାରି କାନ୍ଥ ମଧ୍ୟରେ ସୀମିତ ନାହାଁନ୍ତି, ବରଂ ନିଜର ଦକ୍ଷତା ବଳରେ ଆର୍ଥିକ ସ୍ୱାଧୀନତା ହାସଲ କରିବା ସହ ସମାଜରେ ନେତୃତ୍ୱ ନେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ନୂଆଗାଁ ପଞ୍ଚାୟତ ସରପା ଗ୍ରାମର ପଦ୍ମିନୀ ସେନାପତି। ଓମ୍ ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଭାବେ ନିଜର ଯାତ୍ରା ଆରମ୍ଭ କରିଥିବା ପଦ୍ମିନୀ ଆଜି ‘ଗୃହଲକ୍ଷ୍ମୀ ସମବାୟ ସମିତି’ର ସଭାପତି ଭାବେ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

ପଦ୍ମିନୀ ୨୦୧୯ ମସିହାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ ଦ୍ୱାରା ପରିଚାଳିତ ‘ଗୃହଲକ୍ଷ୍ମୀ’ କାର୍ଯ୍ୟକ୍ରମ ସହ ଜଡ଼ିତ ହୋଇଥିଲେ। ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ମହିଳା ସଶକ୍ତିକରଣ ଓ ଉଦ୍ୟୋଗିତା ଅଭିଯାନ ଅଧୀନରେ ୨୦୨୦ରେ ଓଡ଼ିଶା ସମବାୟ ସମିତି ଅଧିନିୟମ, ୧୯୬୨ ଅନୁଯାୟୀ ଏହି ସମିତି ପଞ୍ଜିକୃତ ହୋଇଥିଲା। ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ଥିଲା ଗ୍ରାମାଞ୍ଚଳ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସେମାନଙ୍କୁ ଦକ୍ଷତା ବିକାଶ, ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ବଜାର ସୁଯୋଗ ଯୋଗାଇଦେବା।

ପଦ୍ମିନୀ ଉପଯୁକ୍ତ ପ୍ରଶିକ୍ଷଣ ଏବଂ ମାର୍ଗଦର୍ଶନ ପାଇବା ପରେ ନିଜ ସ୍ୱୟଂ ସହାୟକ ଗୋଷ୍ଠୀ ସହ ମିଶି ଧୂପକାଠି ତିଆରି ୟୁନିଟ୍ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସେ ଫିନାଇଲ୍ ପ୍ରସ୍ତୁତି ସହିତ ଓଡ଼ିଶାର ପାରମ୍ପରିକ ଖାଦ୍ୟ ଯଥା ଆରିସା ପିଠା ଓ ବଡ଼ି ତିଆରି କରି ନିଜର ବ୍ୟବସାୟକୁ ସମ୍ପ୍ରସାରିତ କରିଥିଲେ। ଆଜି ସେ ମାସିକ ପ୍ରାୟ ୧୨,୦୦୦ ଟଙ୍କା ରୋଜଗାର କରି ନିଜ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ତାଙ୍କର ଏହି ନିଷ୍ଠା ଓ ଦକ୍ଷତା ପାଇଁ ୨୦୨୨ ମସିହାରେ ସେ ଗୃହଲକ୍ଷ୍ମୀ ସମବାୟ ସମିତିର ସଭାପତି ଭାବେ ନିର୍ବାଚିତ ହୋଇଥିଲେ।

ବର୍ତ୍ତମାନ ପଦ୍ମିନୀ ୨,୨୫୦ ଜଣ ମହିଳା ସେୟାରହୋଲ୍ଡରଙ୍କ ନେତୃତ୍ୱ ନେଉଛନ୍ତି। ୧୧ ଜଣ ମହିଳା ନିର୍ଦ୍ଦେଶକଙ୍କ ଦ୍ୱାରା ପରିଚାଳିତ ଏହି ସମିତି ଗତ ୬ ବର୍ଷ ମଧ୍ୟରେ ୧,୦୬୫ ଜଣ ମହିଳା ଉଦ୍ୟୋଗୀଙ୍କୁ ଗ୍ରୋସରୀ, ଟିଫିନ ସର୍ଭିସ, କୁକୁଡ଼ା ପାଳନ, ସିଲେଇ ଏବଂ ହସ୍ତଶିଳ୍ପ ଭଳି ବିଭିନ୍ନ କ୍ଷେତ୍ରରେ ସହାୟତା ଯୋଗାଇଦେଇଛି।

ପଦ୍ମିନୀଙ୍କ ଏହି ସଫଳତାର କାହାଣୀ ପ୍ରମାଣ କରିଛି ଯେ, ଯଦି ଗ୍ରାମାଞ୍ଚଳ ମହିଳାଙ୍କୁ ଉପଯୁକ୍ତ ସୁଯୋଗ ଓ ସହାୟତା ମିଳେ, ତେବେ ସେମାନେ ସ୍ୱାବଲମ୍ବୀ ହେବା ସହ ସମାଜରେ ପରିବର୍ତ୍ତନରେ ସାମିଲ ହୋଇପାରିବେ।

new life
You might also like
error: Content is protected !!