News
lipub
samparksetu

ଆଲୋକ ମାଳାରେ ଝଲସିବ ଗୁଡ଼ିଆନାଳୀ ପୂଜା ପ୍ରତିଷ୍ଠାନ

LaxmipujA

 

ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଗଣେଶ ପୂଜା ଶେଷ ହୋଇଥିବା ବେଳେ ପୂଜା ମଣ୍ଡପରେ ଚାଲିଛି ମା’ ଦଶଭୁଜାଙ୍କ ଆରାଧନା । ସେହିପରି ଆଉକିଛି ଦିନପରେ ଧରାପୃଷ୍ଠକୁ ଅବତରଣ କରିବେ ମା’ ଲକ୍ଷ୍ମୀ, ଆରମ୍ଭ ହେବ ଲକ୍ଷ୍ମୀପୂଜା । ଲକ୍ଷ୍ମୀପୂଜା କଥା ପଡ଼ିଲେ ପ୍ରଥମେ ମନକୁ ଆସେ ଢେଙ୍କାନାଳ କଥା । କାହିଁକିନା ସେଠାରେ ପ୍ରତିବର୍ଷ ଧୂମଧାମରେ ନିଆରା ଢଙ୍ଗରେ ପାଳିତ ହୋଇଥାଏ ଲକ୍ଷ୍ମୀପୂଜା । 

୧୯୪୯ ମସିହାରେ ପୂଜା ଆରମ୍ଭ କରିଥିବା ଗୁଡ଼ିଆନାଳୀ ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ଚଳିତ ବର୍ଷ ୭୬ତମ ଲକ୍ଷ୍ମୀପୂଜା ପାଳନ କରିବାକୁ ଯାଉଛି । ଢେଙ୍କାନାଳର ଅନ୍ୟ ଲକ୍ଷ୍ମୀପୂଜା ପ୍ରତିଷ୍ଠାନ ଭଳି ଏହି ପୂଜା ପ୍ରତିଷ୍ଠାନର ମଧ୍ୟ ସ୍ଵତନ୍ତ୍ର ମାନ୍ୟତା ରହି ଆସିଛି । ପ୍ରତି ବର୍ଷ ଭଳିକିଭଳି ତୋରଣ ଆଉ ସାଜସଜ୍ଜା ପାଇଁ ଏହି ପ୍ରତିଷ୍ଠାନ ସ୍ୱତନ୍ତ୍ରତା ରହି ଆସିଛି । ଏହି ପୂଜା ପ୍ରତିଷ୍ଠାନ ସହରର ଏକ ପ୍ରମୁଖ ପୂଜା ପ୍ରତିଷ୍ଠାନ ଭାବେ ଗଣାଯାଇଥାଏ । ପୂଜା ସମୟରେ ମା’ ଙ୍କ ଆରାଧନା ସହ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭଳିକି ଭଳି ଦୋଳିର ପସରା ଜମିଥାଏ । ତେବେ ଚଳିତ ବର୍ଷ ଏକ ଅନନ୍ୟ ଆଲୋକ ସଜ୍ଜାରେ ସଜେଇ ହେବ ଗୁଡ଼ିଆନାଳୀ ପୂଜା ପ୍ରତିଷ୍ଠାନ । ଓଡ଼ିଶା ବାହାରୁ ଆସିଥିବା କାରିଗର ସଜେଇବେ ଭଳିକିଭଳି ଆଲୋକ ମାଳା । ଏପଟେ ରୋପ୍ୟ ମେଢ଼ରେ ପୂଜା ପାଇବେ ମା’ ଲକ୍ଷ୍ମୀ । 

ତେବେ କେବଳ ପାର୍ବଣ ବେଳେ ନୁହେଁ ବର୍ଷସାରା ଭାଇଚାରାର ବାର୍ତ୍ତା ବହନ କରିଥାଏ ଏହି ପୂଜା ପ୍ରତିଷ୍ଠାନ ବୋଲି କହିଛନ୍ତି ଉକ୍ତ ପୂଜା ପ୍ରତିଷ୍ଠାନର ପ୍ରେସିଡେଣ୍ଟ ପ୍ରଦୀପ ମହାନ୍ତି । ଖରାଦିନେ ଜଳ ବଣ୍ଟନ କରିବା ହେଉ କିମ୍ବା କରୋନା କଟକଣା ବେଳେ ମାଗଣା ସାନିଟାଇଜର ସ୍ପ୍ରେ ହେଉ, ଏଭଳି କିଛି ନା କିଛି ସେବା କାର୍ଯ୍ୟରେ ଆମ କମିଟିର ସଦସ୍ୟ ନିଜକୁ ନିୟୋଜିତ କରିଥାନ୍ତି । ଭାଇଚାରାର ଦିଗଦର୍ଶନ ପାଇଁ ଦୁଇଦୁଇ ଥର ପୂଜା ପୂର୍ବରୁ ଆଲୋଚନା ବୈଠକ ବସିଥାଏ ।  ପୂଜା ପ୍ରତିଷ୍ଠାନ ନିକଟରେ ଏକ ସ୍ଥାୟୀ ସେଡ ନିର୍ମାଣ କରାଯାଇଛି ଯାହାକି ପୂଜା ସମୟରେ ବୟସ୍କଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇ ଥାଏ ।  ସେହିପରି ପୂଜା ମଧ୍ୟରେ ଥିବା ଗୁରୁବାର ଦିନ ୫ ହଜାର ଶ୍ରଦ୍ଧାଳୁ ଏଠାରେ ପ୍ରସାଦ ସେବନ କରିଥାନ୍ତି । ବୋଲି ସୂଚନା ଦେଇଛନ୍ତି ପ୍ରଦୀପ ମହାନ୍ତି । 

ଅନ୍ୟପଟେ, ଗତବର୍ଷ ବାତ୍ୟା ଆଶଙ୍କାରେ ପୁଜା ଅଧାରେ ବନ୍ଦ୍ ହୋଇଯାଇଥିଲା ତେଣୁ ଚଳିତ ବର୍ଷ ଭଲରେ ଭଲରେ ହେଉ ବୋଲି ଆଶା ବାନ୍ଧିଛନ୍ତି କମିଟି ସଦସ୍ୟ ସିଦ୍ଧାର୍ଥ ବେହେରା ।

new life
You might also like
error: Content is protected !!