News
lipub
samparksetu

ପଥିକ ଓ ଚଲାପଥ

ହେ ପଥିକ!!
ଚାଲୁଥାଅ ତୁମେ ପଥ ଅବିରତ
ବକ ଲକ୍ଷ୍ୟ ପରି ରଖି ନିଜ ଲକ୍ଷ୍ୟ
ହୁଅନାହିଁ ସନ୍ଦିହାନ ତାହା କେତେଦୂର କେତେପାଖ ।।

ସାମ୍ନା କରିବାକୁ ହେବ,
କେବେ ମରୂ କାନ୍ତର ର ତୀବ୍ର ବାଲିଝଡ
କେବେ ପୁଣି ଅଶାନ୍ତ ଝଡ଼ର ଝିଙ୍ଗାରି,
କେବେ ଆସିପାରେ ପଥରେ,
ସୋରିଷ ର କ୍ଷେତ
ମନେ ଭରି ଆଶା ଅସୁମାରୀ ।।

ବଡ଼ କପଟି ଏ ସମୟ
କରିବ ସେ ପଦେପଦେ ତୁମର ପରୀକ୍ଷା
ଶକୁନି ର ଜଉଗୃହ ପରି
କରିବାକୁ ଭସ୍ମ
କରିବ ସେ ଅହରହ ଚେଷ୍ଟା ।।

କରିବ ପ୍ରୟାସ ସେ,
ତୁମର ସମ୍ମାନ ଆଉ ଗୌରବ କୁ
କରିବାକୁ ଧୂଳିସାତ
କରିଦେବ ସେ ଅବଶ
ଖେଳାଇ ବାରମ୍ବାର ଛଳନାର ଦ୍ୟୁତ ।।

କରିବାକୁ ତୁମ ସାଥେ ପ୍ରତାରଣା
ଦେଖାଇପାରେ ସେ କେବେ
ହେମ ଚିତ୍ରମୃଗ,
ଯେବେ ହୋଇବ ଭ୍ରମିତ
କଳଙ୍କିତ କରିଦେବ ସେ ତୁମର ନିଷ୍କଳଙ୍କ ଚରିତ୍ର ।।

ନୁହଁ ତୁମେ ଚନ୍ଦ୍ରବଂଶୀ ଧର୍ମରାଜ
ଅଥବା ମଧ୍ୟମ ପାଣ୍ଡବ
ଯେ, ତୁମର ସହାୟତା କରିବେ ମାଧବ
ଲଢ଼ିବାକୁ ହେବ ତୁମକୁ ଏକାଏକା
ବିନା ଯୁଦ୍ଧେ ସ୍ବୀକାର ନ କରି ପରାଭବ ।।

ହୁଅନାହିଁ କ୍ଳାନ୍ତ କର୍ତ୍ତବ୍ୟେ ତୁମର
ବଢିଚାଲ, ବଢ଼ିଚାଲ ଆଗକୁ
ଆସୁ ପଛେ ଯେତେ ଝଡ଼ ବାଧା ବିଘ୍ନ,
ଦିନେ ନା ଦିନେ ସେ ହୋଇବ ପରାସ୍ତ
ଇତିହାସ ହୋଇଯିବ ତୁମ ପଦଚିହ୍ନ ।।

ମାତ୍ର ଯଦି ହାରିଯିବ
ବିଚ୍ୟୁତ ହୋଇବ ପଥରୁ
କରିଦେବ ଭସ୍ମ ସେ, ଦାବାନଳ ପରି,
ଅକାରଣ ହେବ ତୁମର ସମସ୍ତ ପ୍ରଯତ୍ନ ପ୍ରୟାସ
ଯଦି ହୋଇବ ଭ୍ରମିତ ଦେଖି ତାହାର ପ୍ରହେଳି ।।

ଏଣୁ ସର୍ବଦା ସଜାଗ ସଚେତ ହୋଇ କର ହେ ଗମନ
ଦିନେ ନା ଦିନେ ହୋଇବ ତୁମର
ଅସାଧ୍ୟ ଲକ୍ଷ୍ୟ ର ସାଧନ
ସେଦିନ ଏ ସମୟ କରିବ ତୁମଠାରେ ମଥାନତ
କରିବ ପଥ ପ୍ରଦର୍ଶନ ସଭିଙ୍କୁ ତୁମର ଏ ଚଲାପଥ ।।
ତୁମର ଏ ଚଲାପଥ ।।

✍️ରାମଚନ୍ଦ୍ର ଭୁତିଆ

new life
You might also like
error: Content is protected !!