News
lipub
samparksetu

ତୁମ ଅପେକ୍ଷାରେ

“ଆଉଥରେ ଆଜି ମୋ ମନର ସେ ଅକୁହା
କଥାକୁ ତମ ଆଗେ ଖୋଲି କହିବାକୁ ଚାହୁଁଛି,
ତମେ ତ ଜାଣିଛ ମୁଁ ତମକୁ କେତେ ଭଲ ପାଉଛି ।”

ଦିନ ପରେ ଦିନ ଗଡ଼ିଚାଲିଛି ଆଉ ଯେତେ ଅଧିକ ସମୟ ବିତି ଚାଲିଛି, ବୋଧେ ସାପର ବିଷ ଚରିଗଲା ଭଳିଆ ଆମର ସେହି କେଇଦିନର ସମ୍ପର୍କର ମିଠା ସ୍ମୃତିସବୁ ମୋ ଭିତରେ ବଢ଼ିବଢ଼ି ଚାଲିଛି । ମୋ ମନର ମାନସ ପଟଳରେ ବାରମ୍ବାର ସେହି ଛବିସବୁ ଆସି ଘୁରିବୁଲୁଛି । ସେଦିନର ସେ ଶେଷ ସାକ୍ଷାତ କଥା ମଧ୍ୟ ଆଜି ସବୁଠୁ ଅଧିକ ପଡ଼ୁଛି ଆଉ ସେଦିନ ତମକୁ କହିପାରିନଥିବା ସେହି କେଇପଦ କଥା ଯେମିତି ମୋତେ ସବୁବେଳେ ଅଟ୍ଟହାସ୍ୟ କରୁଛି ।

ବିନି ତମର ମନେ ଅଛି ନା ତିନି ବର୍ଷ ତଳେ ଯେତେବେଳେ ତମେ ପ୍ରଥମଥର ମୋତେ ଭେଟିବାକୁ ଆସିଥିଲ? ହୁଏତ ତମର ସେ କଥା ସବୁ ମନେ ନଥିବ, କିନ୍ତୁ ମୋର ଭଲ ଭାବରେ ମନେ ଅଛି । ଏହି ଯେଉଁ ସିମେଣ୍ଟର ଚୌକି ଦେଖୁଛ, ସେଇଠି ହିଁ ଆମେ ପ୍ରଥମେ ବସିଥିଲେ । ପ୍ରଥମେ କ’ଣ ଯେ, ଯେତେବେଳେ ଆସୁଥିଲେ ସବୁବେଳେ ହିଁ ଏଇଠି ବସୁଥିଲେ । ସେଦିନ ପ୍ରଥମେ ଦେଖାରେ ତମେ ଯେତିକି ଉତ୍ସାହିତ ଥିଲ, ତମ ଭିତରେ ଥିବା ସେତିକି ଡର ମୁଁ ଭଲ ଭାବରେ ଦେଖିପାରୁଥିଲି ।

ସେ ଡର ଭିତରେ ତମର କଥାସବୁ ଯେତେ ଧୀରେ ଶୁଭୁଥିଲା, ସେତେ ଅଧିକ ମିଠା ଲାଗୁଥିଲା । ପ୍ରଥମେ ଦେଖାର ପ୍ରଥମ ଅନୁଭୂତି ସବୁଠାରୁ ନିଆରା ଅବଶ୍ୟ, ବୋଧେ ସେଦିନର ସେ ମିଠା ଅନୁଭୂତି ସହ ତମର ସେ ଡର ଆଉ ଲାଜ ମିଶା ଆଳାପ ତାକୁ ଦୀର୍ଘସ୍ଥାୟୀ କରିବାକୁ ବାଧ୍ୟ କରିଦେଇଥିଲା । ଏହାପରେ ଅବଶ୍ୟ ଅନେକ ଥର ଦେଖାହେଇଛି, କିନ୍ତୁ ପ୍ରତ୍ୟେକ ଭାଲେଣ୍ଟାଇନ୍ ଡେ’ରେ ଦେଖାହେବାର ସେ ଯେଉଁ ପ୍ରତିଜ୍ଞା ବୋଧେ ତମେ ଭୁଲିଯାଇଛ ! ହେଲେ ଦେଖ ମୁଁ ଆଦୌ ଭୁଲିନି, ସେଇଥିପାଇଁ ତ ଖାଲି ଭାଲେଣ୍ଟାଇନ୍ ଡେ’ରେ ନୁହେଁ ପ୍ରତ୍ୟେକ ଦିନ ଏଠାକୁ ଆସୁଛି ଆଉ କାଳେ କେବେ ତମ ସହ ଦେଖାହେଇଯିବ ସେହି ଆଶା ନେଇ ପାର୍କ ଖୋଲିବାଠାରୁ ବନ୍ଦ ହେବାଯାଏଁ ଏଠାରେ ବସୁଛି ।

✍️ ସଂଗ୍ରାମ କେଶରୀ ସେନାପତି

new life
You might also like
error: Content is protected !!