ଢେଙ୍କାନାଳ ସଦର ବ୍ଳକ ସପ୍ତଶଯ୍ୟା ଠାରେ ଦୀର୍ଘ ୧୪ବର୍ଷ ଧରି ଏନଟିପିସି କୁ ଜମି ଦେଇ କ୍ଷତିଗ୍ରସ୍ତ ପ୍ରଜାମାନେ ନାହିଁନଥିବା ଅସୁବିଧା ଭୋଗ କରୁଛନ୍ତି । ସରକାର ଜମି ଅଧିଗ୍ରହଣ ପରେ ସେହି ଜମିରେ ପୁଣି ଥରେ ପାୱାର ପ୍ଲାଣ୍ଟ କରିବାକୁ ମସୁଧା ଚଳାଇଥିବାର ଜଣାପଡିଛି । ସଦର ବ୍ଲକ ଅନ୍ତର୍ଗତ ସପ୍ତଶଯ୍ୟା ଗଜମରା ନିକଟରେ ୨୦୦୮-୦୯ ମସିହାରେ ୧୬ଶହ ମେଗାୱାଟ ଏନଟିପିସି ପାୱାର ପ୍ଲାଣ୍ଟ ସ୍ଥାପନ ପାଇଁ ସରକାରଙ୍କ ସହିତ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା ।
ଏହି ପାୱାର ପ୍ଲାଣ୍ଟ ପାଇଁ ମୋଟ ୧ହଜାର ୪୬୦ ଏକର ଜମି ଆବଶ୍ୟକତା ପଡୁଥିବା ବେଳେ ୮୦୮ଏକର ଘରୋଇ,୨୯୩ ଏକର ସରକାରୀ ଏବଂ ୩୭୨ ଏକର ଜଙ୍ଗଲ ଜମି ରହିଛି । ପାୱାର ପ୍ଲାଣ୍ଟ ପାଇଁ ସିଆରିଆ, ପାତ୍ରଭାଗା, ମାଣିପୁର ଏବଂ ତାଳବରକୋଟ ପଞ୍ଚାୟତର ୭୯୫ ଏକର ୮୫ ଡେସିମିଲ ଘରୋଇ ଜମିରେ କାରଖାନ ସ୍ଥାପନ ପାଇଁ ଯୋଜନା କରାଯାଇଥିଲା ।
୧ ହଜାର ୭୬ ଜଣ ଜମିହରାଙ୍କୁ କ୍ଷତିପୂରଣ ବାବଦକୁ ଏନଟିପିସି ୧୫୪ କୋଟି ୧୬ ଲକ୍ଷ ଟଙ୍କା ଜମା କରିଥିବା ବେଳେ ଓଡିଶା ସରକାରଙ୍କୁ ୪ କୋଟି ଟଙ୍କା ପ୍ରିମିୟମ ପ୍ରଦାନ କରାଯାଇଥିଲା । କ୍ଷତିପୂରଣ ବାବଦକୁ ୧୫୪ କୋଟି ଟଙ୍କାରୁ ୧୨୨ କୋଟି ପ୍ରଦାନ କରାଯାଇଛି । ୨୦୦୮-୦୯ରେ ପାୱାର ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା ରହିଥିବା ବେଳେ ଏନଟିପିସି ଗଜମରା ଯୋଜନା ବନ୍ଦ ହୋଇଯାଇଛି । ଜିଲ୍ଲା ପ୍ରଶାସନକୁ ଗଛିତ ଥିବା ୪କୋଟି ୩୭ଲକ୍ଷ୩ହଜାର ୭ଶହ ଟଙ୍କା ସହିତ ସରକାରୀ ଜମିପାଇଁ ଥିବା ୪କୋଟି ଟଙ୍କା ତୁରନ୍ତ ଫେରାଇ ଦେବାକୁ ନିବେଦନ କରାଯାଇଥିଲା । ଏ ସଂକ୍ରାନ୍ତରେ ତହସିଲ ଦାର ତଥା ଜମି ଅଧିଗ୍ରହଣ ଅଧିକାରୀଙ୍କୁ ୪ଟି ଗ୍ରାମର ଗ୍ରାମବାସୀଙ୍କୁ ଆଉ କ୍ଷତିପୂରଣ ନଦେବାକୁ ମଧ୍ୟ ନିର୍ଦ୍ଦେଶ ରହିଥିଲା । ଫଳରେ ଦିର୍ଘ ୧୪ ବର୍ଷ ହେବ ପାୱାର ପ୍ଲାଣ୍ଟ ସମ୍ପୁର୍ଣ୍ଣ ଭାବରେ ବନ୍ଦ ହୋଇ ଯାଇଥିବାର ଜଣାପଡିଛି ।
ପାୱାର ପ୍ଲାଣ୍ଟ ପାଇଁ ଜମି ଦେବା ପରେ କାରଖାନା ହେଲେ ପିଲାମାନେ ନିଯୁକ୍ତି ପାଇବେ ଏବଂ ପରୋକ୍ଷରେ ଅର୍ଥନୈତିକ ବିକାଶ ଘଟିବ
ବୋଲି ଯେଉଁ ସ୍ୱପ୍ନ ସ୍ଥାନୀୟ ଅଞ୍ଚଳର ଲୋକମାନେ ଦେଖିଥିଲେ ତାହା ସମ୍ପୁର୍ଣ୍ଣ ଭାବରେ ବନ୍ଦ ହୋଇଯାଇଥିଲା । କିନ୍ତୁ ସରକାରଙ୍କ ନିୟମ ଅନୁସାରେ ଜମି ଅଧିଗ୍ରହଣର ୪ ବର୍ଷ ପରେ ମଧ୍ୟ କାରଖାନା ପ୍ରତିଷ୍ଠା ହୋଇନଥିବା ହେତୁ ଜମି ମାଲିକଙ୍କୁ ଜମି ଫେରସ୍ତ ଦେବାର ନିୟମ ରହିଥିଲେ ମଧ୍ୟ ଏଯାଏଁ ଜମି ଫେରସ୍ତ ହୋଇନାହିଁ । ଫଳରେ ଅନେକ ଜମିରେ ଚାଷୀ ମାନେ ଜମିରେ ଚାଷ କରୁଥିବାର ଜଣାପଡିଛି । ଏହା ଭିତରେ ଗଜମରାରେ ପୁଣି ଥରେ କାରଖାନା କରିବାକୁ ଯୋଜନା ଚାଲିଥିବାର ଜଣାପଡିଛି ।ଏଠାରେ କାରଖାନା ସ୍ଥାପନ କରାଗଲେ ୮ଶହ ଜମିହରା ପ୍ରଜାଙ୍କ ବିକାଶ ହେବ ବୋଲି ଆଶା କରାଯାଉଛି ।
