News
lipub
samparksetu

କଳଙ୍କିତ ପୁରସ୍କାର

ତୁମକୁ ହୃଦୟର ଇପ୍ସିତା ବୋଲି ଭାବିନେଇ
ବାନ୍ଧି ରଖିଥିଲି ପ୍ରେମ ବନ୍ଧନରେ,
ପ୍ରେମ କରୁଥିଲି ଅଭିମାନ ସ୍ୱରରେ…
କିନ୍ତୁ ମୋତେ ନାଁ ଦେଲ ସନ୍ଦେହୀ ପ୍ରେମିକର
ଆଉ ଛାଡିଗଲ ଅଧାବାଟରେ…

ତୁମକୁ ଅକସ୍ମାତ ହଜାଇଦେବାର ଭୟରେ
ଜାହିର କରୁଥିଲି ତୁମଠି ନିଜତ୍ୱ,
ବ୍ୟାପ୍ତି କରୁଥିଲି ମୋର କର୍ତ୍ତୁତ୍ୱ…
କିନ୍ତୁ ତାକୁ ତୁମେ ଦେଲ ଅତ୍ୟାଚାରର ରୂପ
ହଜାଇଦେଲ ଏ ପ୍ରେମର ଅସ୍ତିତ୍ୱ…

ତୁମେ ତ କହିଥିଲ…
ତୁମେ ତ କହିଥିଲ ଆମ ସମ୍ପର୍କ ଜନ୍ମଜନ୍ମ ପାଇଁ
ଯୁଗସ୍ଥାୟୀ ଚିରସ୍ଥାୟୀ ଦୀର୍ଘସ୍ଥାୟୀ,
ଯାହାର କୌଣସି ଅନ୍ତ ହିଁ ନାହିଁ…
କିନ୍ତୁ ତୁମେ ସ୍ୱହସ୍ତରେ ଗଳା ଘୋଟିଦେଲ ତା’ର
ଯାହା ପାଇଁ ଆଜି ମୁଁ ମୁଁ ହେଇ ନାହିଁ…

ତୁମେ କୁହ ଆମ ପ୍ରେମ ହେବ ଏକ ଭିନ୍ନ ରୂପୀ
ବୈଚିତ୍ର୍ୟବ୍ୟଞ୍ଜକ ଅନନ୍ୟ ଚଳଚ୍ଚିତ୍ର,
ଯହିଁ କେବଳ ଆମେ ଦୁଇଟି ଚରିତ୍ର…
କିନ୍ତୁ ତୁମେ ଯେ ସାଜିଲ କାହାଣୀର ଖଳନାୟିକା
ଛଡ଼ାଇ ନେଇ ମୋ ବଞ୍ଚିବାର ସୂତ୍ର…

ଧାନବିଲରୁ ବାଳୁଙ୍ଗା ସବୁକୁ କାଢ଼ିଦେଲା ପରି
ଫିଙ୍ଗିଦେଲ ମୋତେ ହୃଦୟରୁ,
ଅଲଗା କରିଦେଲ ତୁମଠାରୁ…
ସବୁ ବୁଝିଲି କେବଳ ଏତିକି ଅବୁଝା ରହିଗଲି
ତୁମ ଛଳନାର ଆରମ୍ଭ କେଉଁଠାରୁ ?

ଜହ୍ନଠୁଁ ଆମ ପ୍ରେମ କାଳେ ବେଶୀ ସୁନ୍ଦର ବୋଲି
ଜହ୍ନ ବି କୁଆଡ଼େ ଜଳିଯାଏ ଇର୍ଷାରେ,
ତୁମେ କହିବୁଲ ସବୁବେଳେ ଗର୍ବରେ…
କିନ୍ତୁ ମୋ ପ୍ରେମକୁ ବି ମିଳିଗଲା କଳଙ୍କିତ ପୁରସ୍କାର
ଯେବେ ମୋ ତମାମ ସ୍ବପ୍ନଗୁଡ଼ାକୁ ଦଳି ଚକଟିଦେଲ
ତୁମ ଉଚ୍ଚା ଗୋଇଠି ବାଲା ଜୋତାରେ,
ଆଉ କହୁଥିଲ, “ସ୍ବପ୍ନ ଦେଖ ତୁମ ଔକାତ ଭିତରେ”…         

✍️ପ୍ରିୟବ୍ରତ ପରିଡ଼ା

new life
You might also like
error: Content is protected !!