ହିନ୍ଦୋଳ ତହସିଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ପଥର ଖଣି ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ପ୍ରଶାସନ ସବୁ ଜାଣି ନିରବତା । ସେହିପରି ଭାବରେ ଗଣ୍ଡନାଳି ବେଆଇନ ପଥର ଖନନ କୁ ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିପାରି ନାହିଁ । ବେଆଇନ ପଥର ଖନନ କୁ ନେଇ ସ୍ଥାନୀୟ ସ୍ଵେଚ୍ଛାସେବୀ କର୍ମୀ ଘନସ୍ୟାମ ରାଉତ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଙ୍କ ଦ୍ଵାରସ୍ଥ ହୋଇଛନ୍ତି ।
ଅଭିଯୋଗକାରୀ ଶ୍ରୀ ରାଉତ ଅଭିଯୋଗ ଦର୍ଶାଇଛନ୍ତି ଯେ ଗ୍ରାମ୍ୟ ଜଙ୍ଗଲ-୨ କିସମ ଯାହା ଖାତିୟାନ ନମ୍ବର-୫୨୧, ପ୍ଲଟ ନମ୍ବର-୧୧୯ ,୨୨.୩୪ ଏକର ପରିମିତ ଜମିରୁ ବେଆଇନ ଭାବେ ପଥର ଉତ୍ତୋଳନ ହେଉଛି । ଯଦିଓ ଉକ୍ତ ଖଣିକୁ ୧୧ ମାର୍ଚ୍ଚ ୨୦୨୨ ରିଖରେ ହିନ୍ଦୋଳ ତହସିଲଦାର ଙ୍କ ନାମରେ ପରିବେଶ ମଞ୍ଜୁରୀ ମିଳିଛି କିନ୍ତୁ ଏହି ଖଣି ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ଏପର୍ଯ୍ୟନ୍ତ ଦିଆଯାଇନାହିଁ । ଗଣ୍ଡନାଳି ଖଣିକୁ ଲିଜରେ ନେଇଥିବା ସୈମ୍ୟ ରଞ୍ଜନ ରଥ ଙ୍କ ନାମକୁ ଏପର୍ଯ୍ୟନ୍ତ ପରିବେଶ ମଞ୍ଜୁରୀ ହସ୍ତାନ୍ତର କରାଯାଇନାହିଁ । ଖଣିରୁ ଉତ୍ତୋଳନ ପଥରକୁ ରପ୍ତାନି ନିମନ୍ତେ ଦର୍ଶାଯାଇଥିବା ରାସ୍ତାରେ ନନେଇ ଜଙ୍ଗଲ ଜମିରେ ରାସ୍ତା ନିର୍ମାଣ କରି ନିଆଯାଇଛି ।
ଜଙ୍ଗଲ ଜମିରେ ରାତିଅଧିଆ ବଡ ବଡ ଶହ ଶହ ଗଛକୁ ମେସିନ ସାହାଯ୍ୟରେ କଟାଯାଇ ରାସ୍ତା ନିର୍ମାଣ କରାଯାଇଛି । ଏଥିପାଇଁ ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ବିଭାଗର ପୂର୍ବ ଅନୁମତି ଆବଶ୍ୟକ ରହିଛି କିନ୍ତୁ ପୂର୍ବ ଅନୁମତି ବିନା ଏହି ରାସ୍ତାକୁ ତିଆରି କରାଯାଇଛି ଏବଂ ଜଙ୍ଗଲ କୁ ପଦା କରିଦେଇଛନ୍ତି । ଏହି ସମସ୍ତ ଅଭିଯୋଗକୁ ମାନ୍ୟବର ଏନଜିଟି ଶୁଣାଣି କରି ତିନି ସପ୍ତାହ ମଧ୍ୟରେ ଜବାବ ଦାଖଲ ନିମନ୍ତେ ଜିଲ୍ଲାପାଳ, ବନପାଳ ଢେଙ୍କାନାଳ , ଙ୍କୁ ତାଙ୍କର ବ୍ୟକ୍ତିଗତ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦ୍ଦେଶ ରହିଛି ।
ଏହି ମାମଲାରେ ଭାରତ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ୩୦ ଜୁନ ୨୦୨୨ ରିଖରେ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଙ୍ଗଲ ଓ ପରିବେଶ ବିଭାଗ ଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଚିଠି ଲେଖିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହୋଇନାହିଁ । ଉକ୍ତ ଚିଠି ଉପରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ମାନ୍ୟବର ଏନଜିଟି କୈଫିୟତ ତଲବ କରିଛନ୍ତି ।
ଏହି ମାମଲାରେ ଓଡିଶା ସରକାରଙ୍କ ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ , ନିର୍ଦ୍ଦେଶକ ଖଣି ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ଜଙ୍ଗଲ ବିଭାଗ, ଜିଲ୍ଲାପାଳ ଓ ବନପାଳ ଢେଙ୍କାନାଳ, ଏବଂ ଲିଜଧାରୀ ସୈମ୍ୟ ରଞ୍ଜନ ରଥ ଙ୍କୁ ପକ୍ଷଭୁକ୍ତ କରାଯାଇଛି । ପରବର୍ତ୍ତୀ ଶୁଣାଣି ଆସନ୍ତା ୧୦/୧୦/୨୦୨୨ ରିଖକୁ ଧାର୍ଯ୍ୟ କରାଯାଇଥିବା ବେଳେ ଅଭିଯୋଗକାରୀ ପକ୍ଷରୁ ପରିବେଶ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା କରୁଛନ୍ତି ।
