News
lipub
samparksetu

ଉନ୍ନତିର ଚିତାରେ ପ୍ରକୃତିର ଆତ୍ମହୁତି

ତୁ ଅଧୁନା ଧୂସର ଧୂଆଁ
ବିକାଶ ନାଁରେ ବିକୃତ ମୋର କାୟା
ଉନ୍ନତ ନୁହଁ ତୁ ଉନ୍ମତ୍ତ ବାୟା
ସର୍ବଗିଳା ଇଛା ତୋର
ଦିନେ ତୋତେ ନ ହେବରେ ସାହା ।।

ଅହିରାଜ ସୁପ୍ତ କୁଣ୍ଡଳୀରେ
ଚେଇଁ ଶୋଇଛୁ ତୁ
ଜାଗ୍ରତର ସଂସ୍କାରୀ କାମିଜରେ
ମା’ର ଅନ୍ତ ବିଦାରି ଅନ୍ତର କରୁ
କେତେ ଯେ ଧାତବ ବସ୍ତୁ
ଭୋଗଭରା ଅତୃପ୍ତ ଆତ୍ମାର ତୃପ୍ତିରେ।।

ଶିଳ୍ପ ସଭ୍ୟତାର ଅସଭ୍ୟ ସନ୍ତାନ
ଦିନେ ହେବ ସର୍ବହରା
କଳକାରଖାନା କଳାଧୂଆଁ ଦିନେ
ମୃତ୍ୟୁର ତାଣ୍ଡବ ରଚିବ ପରା
ମା’କୁ ମାରି ହେବୁ ଦିନେ ମାତୃହରା
ରେ ଅଧୁନା ମଣିଷ
ତୁ ମାଟି ମା’ର ଅବାଧ୍ୟ ସନ୍ତାନ ପରା ।।

ସବୁଜିମା ସିନା ମାଟି ମା’ର ଭୂଷଣ
ନିଜ ଖୁସି ପାଇଁ କେତେ
ଦେଉ ତୁ କଷଣ
ଥରେ ଭାବି ଦେଖ ସୁରକ୍ଷିତ
ଅଛି କି ଆଗାମୀ ପୀଢ଼ିର ଜୀବନ
ଆଗାମୀ ତ ବହୁଦୂର
ସଙ୍କଟରେ ବର୍ତ୍ତମାନ
ସବୁଜିମା ସିନା ମାଟି ମା’ର ଭୂଷଣ।।

ପ୍ରଣୟ ଯେଉଁଠି ପ୍ରଳୟ ସେଇଠି
ସୃଷ୍ଟି ଯେଉଁଠି ବିନାଶ ସେଇଠି
ଭୋଗ ଯେଉଁଠି ଦୁର୍ଯ୍ୟୋଗ ସେଇଠି
ମାଟି ମା’କୁ ବିଭତ୍ସ କରି
ବିଭୀଷିକାର ହେବୁ କି ଶିକାର
ମା’ ଯେତିକି ଉଦାର
ତା’ ଠାରୁ ଅଧିକ ଭୟଙ୍କର
ରେ ଅଧୁନା ମଣିଷ
ସମୟ ଦିନେ ଦେବ ଉତ୍ତର,,,,।।

✍️ଅର୍ପିତା ପ୍ରଧାନ

new life
You might also like
error: Content is protected !!