News
lipub
samparksetu

ନୂଆ ଵରଷ-୨୦୨୩

ନୂଆ ବରଷଟି ଆସିଛିରେ ଆଜି
          ପହିଲି ବସନ୍ତ ମେଲି
ମନ ଆନନ୍ଦରେ ପାଳନ କରିବା
       ହୃଦୟରେ ମନ ଖୋଲି।(୧)
  ପ୍ରଥମ ଦିନର ନବ ପ୍ରଭାତରେ
           ସୁରୁଜ କିରଣ ଆସେ
   ବିଧାତା ଗଢିଛି ମାନବର ଲିଳା
           ବିଶାଳ ପୃଥିବୀ ବାସେ (୨)

   ନୂତନ ନୁହଁଇ ଅତି ପୁରାତନ
           ଇଂରେଜ ମାନଙ୍କ ବର୍ଷ
    ସାରା ବିଶ୍ବ ଆଜି ପାଳନ କରୁଛି       
           ପହିଲି ନୂଆର ବର୍ଷ (୩)
ନୂତନ ବସ୍ତ୍ରରେ ପରିଧାନ କରି
        ଦେବା ଦେବୀ ପାଶେ ଯାଇ
ବରଷଟି ପ୍ରଭୁ ସୁଖମୟ ହେଉ
          ଆଶ୍ରିବାଦ ଭିକ୍ଷା ଏହି।(୪)

ଘରେ ଘରେ ସବୁ ଭୋଜିଭାତ ହୁଏ
          ଯାଆନ୍ତି ଦର୍ଶନ ତିର୍ଥେ
ବନ୍ଧୁ ବାନ୍ଧବଙ୍କ ସାଙ୍ଗ ସାଥି ମେଳେ        
             ବଣ ଭୋଜି କରି ଶୀତେ(୫)
ସହର ବଜାରେ ଗାଁ ର ହାଟରେ
        ନାଚ ଗୀତ ବାଜା ବାଜେ
ନୂତନ ବର୍ଷର ଅଭିନନ୍ଦନରେ
          ନୂଆ ଉଦ୍ଦୀପନା ଜାଗେ।(୬)

ଭାରତ ବର୍ଷରେ ଦର୍ଶନ କରନ୍ତି
          ଯେତେ ଦର୍ଶନୀୟ ସ୍ଥାନ
କଳିଙ୍ଗ ମାଟିରେ ଜନ ସମାଗମ
             ଶ୍ରୀକ୍ଷେତ୍ର ପୁରୀରେ ଧାମ।(୭)
ଜଗନ୍ନାଥ ପ୍ରଭୁ ଦର୍ଶନ ଦିଅନ୍ତି
       ସକଳ ମଙ୍ଗଳ ପାଇଁ
କର୍ମ କରିଯାଅ ସତ୍ୟର ପଥରେ
        ଅଭାବ ରହିବ ନାହିଁ।(୮)

ନନ୍ଦନକାନନ ପାରିଜାତ ପୁଷ୍ପ
       ଚିଡିଆଖାନାରେ ଭିଡ଼
ଗହିଳି ଚହଳି ଯାନବାହାନରେ
      ପିଲାଙ୍କୁ ନ ଲାଗେ ଜାଡ (୯)
ଚିଲିକାର ତୀରେ ଧଉଳି ପାହାଡ
       କୋଣାର୍କର ବେଳାଭୂମି
ସମୁଦ୍ର ଲହଡ଼ି ମାଡି ଆସେ ତହିଁ
         ହୃଦୟକୁ ଯାଏ ଚୁମି ।(୧୦)

ନୂତନ ବର୍ଷରେ ଶୁଭ ଅନୁକୂଳେ
        ଗଢ଼ି ଉଠେ ଶିଳ୍ପଖାନା
ନୂତନ ଆଶାର ନୂତନ ବର୍ଷରେ
        ଫଳିବ   ଅମୃତ ସୁନା (୧୧)
ନୂଆ ବରଷରେ କବିତା ଆସର
         ପଢ଼ିବା ‘ମା ‘ର କୋଳେ
କବି କବୟିତ୍ରୀ ଏକାଠି ହୋଇବା
         ଓଡ଼ିଆ ସଂସ୍କୃତି ମେଳେ।(୧୨)

  ପହିଲି ବର୍ଷର ନବ ବରଷରେ
             ଶପଥ କରିବା ଆମେ
   ଭଲ କର୍ମ କରି ସତ୍ୟନିଷ୍ଠା ଭାବେ
               ବଢିବାରେ ଶୁଭ ଦିନେ।(୧୩)
  ଜଗନ୍ନାଥ ପ୍ରଭୁ ସାହାହୁଅ ତୁମ୍ଭେ
             ଶ୍ରୀମନ୍ଦିର ସ୍ଥାନେ ରହି।
ମାନବ ଜନମ ସାର୍ଥକ ହୋଇବ
                ନୂତନ ଆଲୋକ ପାଇଁ।(୧୪)
ଏତିକି ଗୁହାରି ଆହେ ଗିରିଧାରୀ
           କର୍ମ ଯୋଗ ଦିଅ ବାଣ୍ଟି
ଦୁନିଆ ହସିବ ନୂଆ ବରଷରେ
            ଧରଣୀ କୋଳରେ ମାଟି।(୧୫)

✍️ଛବିରାମ ସେଠୀ

new life
You might also like
error: Content is protected !!