News
lipub
samparksetu

ଶିଶୁ
       

ତୋ ଆଖି ଦୁଇଟିର ପଲକ ଭିତରେ
  କେତେଯେ ଅକୁହା କଥା
ଗୁରୁଣ୍ଡି ଗୁରୁଣ୍ଡି ପଡି ଉଠି ଚାଲୁଥାଉ ଯେ
ଝୁଣ୍ଟି ପଡି ଭୂଇଁରେ ପଡିଗଲେ
ମାଆର ପଣତ କାନିଟା ଲମ୍ବିଆସେ
     
ତୋତେ ଝାଡି ଝୁଡି କୋଳେଇ ନେବାକୁ
ତା ସହିତ ଆଗ ତୋର ଚିହ୍ନା ପରିଚୟ ହେଲା ଯେ
ତୋର ସବୁ ଅଳି ଅର୍ଦ୍ଦଳି, ଅଝଟ ପଣିଆକୁ
ତୋ ପାଖରୁ ଛଡାଇ ନିଏ
ଆଉ ତୋ ପଛେ ପଛେ ଜଗି ରହିଥାଏ।

ତୁତ ବିଧାତା ସୃଷ୍ଟିର ଏକ
ଦରଫୁଟା କୁସୁମ କଳିକା
ସେ କଳିକା ଦିନେ ଫୁଟି ବାସ ଚହଟାଇ
ମହକରେ ମହକାଇ ଦେବ
କେତେ ମନ କେତେ ପ୍ରାଣ।
ତା’ ଭିତରେ ଭରି ରହିଛି
ଅଜସ୍ର ସମ୍ଭାବନା ଆଉ ପ୍ରତିଶୃତି
ସୁବାସିତ ମହକ।

ତୁ ଏ ସୃଷ୍ଟିର ଅମୃତମୟ ସର୍ଜନା
ଆସନ୍ତାକାଲି ପାଇଁ କେତେ ସ୍ବପ୍ନ ଆଉ ସମ୍ଭାବନା
ତୁତ ଏ ଅବକ୍ଷୟ ମୁଖୀ ସମାଜର
     ନୂଆ ନିଶ୍ବାସ, ନୂଆ ବିଶ୍ବାସ…
ପଥ ଓ ବିପଥ ଭିତରେ ଆଗାମୀର ଅସଂଖ୍ୟ ପ୍ରତିଶୃତି,
ତୁ ଏତେ ନିଷ୍ପାପ ନିଷ୍କଳଙ୍କ ଯେ
ଆସନ୍ତାକାଲି ପାଇଁ ସକଳ ଆଶା ଭରସା
ଆଉ ସଂସ୍କାରର ଦୀପ୍ତି ଓ ଦ୍ୟୁତି।

ସେଇ ଉଜ୍ଜ୍ୱଳ ଦୀପ୍ତି ସହିତ ତୁ ମୁହଁ ଖୋଲି ହସୁଥା..
ତୋର ସେହି ଖୋଲାମୁହଁ ଭିତରେ ବିଶ୍ବବ୍ରହ୍ମାଣ୍ଡ ଝଲକ ଖେଳିଯାଉ ଆଉ ତୋର ଠୋ ଠୋ ହସରେ ଜଗତଟା ହସୁଥାଉ।
         

✍️ଜ୍ୟୋତିର୍ମୟୀ ଶତପଥୀ

new life
You might also like
error: Content is protected !!