News
lipub
samparksetu

ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ନିମନ୍ତେ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଳା ସଦର ମହକୁମା ଠାରୁ ରାଜଧାନୀ ପର୍ଯ୍ୟନ୍ତ ଖୋଲାଯାଇଥିବା ଅସଂଖ୍ୟ ଘରୋଇ ହସ୍‌ପିଟାଲଗୁଡ଼ିକର ଉପସ୍ଥିତି ସୂଚାଇ ଦେଉଅଛି ଯେ, ରାଜ୍ୟ ସରକାର ଜନସାଧାରଣଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି। ଜୀବନ ରକ୍ଷା ପାଇଁ ରାଜ୍ୟବାସୀ ଘରୋଇ ହସ୍‌ପିଟାଲର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେଉଛନ୍ତି। ଠିକ୍ ସେତିକିବେଳେ ଘରୋଇ ହସ୍‌ପିଟାଲକୁ ଚିକିତ୍ସିତ ହେବା ପାଇଁ ଯାଉଥିବା ରୋଗୀମାନଙ୍କ ପ୍ରତି କୌଣସି ଉତ୍ତରଦାୟିତ୍ୱ ନଥିବା ବେଳେ ମୃତ୍ୟୁବରଣ କରୁଥିବା ରୋଗୀକୁ ବଞ୍ଚାଇ ରଖିଥିବାର ମିଥ୍ୟା ଚିକିତ୍ସା ଆଳରେ ତାର ପରିବାର ସଦସ୍ୟଙ୍କ ଠାରୁ ଅମାନୁଷିକ ଭାବେ ଆର୍ଥିକ ଶୋଷଣ କରୁଛନ୍ତି ତ କେଉଁଠି ଲକ୍ଷାଧିକ ମିଥ୍ୟା ଚିକିତ୍ସା ବ୍ୟୟ ଆଦାୟ ପାଇଁ ରୋଗୀର ଶବକୁ ତାର ପରିବାର ସଦସ୍ୟଙ୍କୁ ହସ୍ତାନ୍ତରିତ କରୁନାହାନ୍ତି ।

ସରକାରୀ ହସ୍‌ପିଟାଲ ଗୁଡ଼ିକ ଘରୋଇ ହସ୍‌ପିଟାଲର ବିଜ୍ଞାପନ ଫଳକରେ ପରିଣତ ହୋଇଛି। ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ସରକାରୀ ହସ୍‌ପିଟାଲ ଗୁଡ଼ିକରେ ନାହିଁ। ଡ଼ାକ୍ତର, ପାରାମେଡ଼ିକାଲ କର୍ମଚାରୀଙ୍କ ଅଭାବ ସହ ପ୍ୟାଥୋଲୋଜି ଲ୍ୟାବ୍, ଶଯ୍ୟା, ରୋଗ ଚିହ୍ନଟ କରିବା ପାଇଁ ବିଭିନ୍ନ ପରୀକ୍ଷା ପାଇଁ ମେସିନ୍, ଔଷଧ ଆବଶ୍ୟକ ସମୟରେ ମିଳୁନାହିଁ। ସରକାରୀ ହସ୍‌ପିଟାଲଗୁଡିକରେ ଜୀବନ ରକ୍ଷାକାରୀ ଔଷଧ ଓ ଅକ୍ସିଜେନ୍ ନ ମିଳିବାରୁ ରୋଗୀ ମୃତ୍ୟୁବରଣ କରୁଛନ୍ତି। ଜନସଂଖ୍ୟାର ୯୫ % ଜନତାକୁ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ସରକାରୀ ହସ୍‌ପିଟାଲରେ ଭିତ୍ତିଭୂମି ନଥିବା ବେଳେ ମାତ୍ର ୫ % ଉଚ୍ଚ ବର୍ଗର ଜନତାଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ଗରିବ ଜନସାଧାରଣଙ୍କ କଷ୍ଟଲବ୍ଧ ଟିକସ ଅର୍ଥକୁ ରାଜ୍ୟର ଘରୋଇ ହସ୍‌ପିଟାଲର ଭିତ୍ତିଭୂମି ନିର୍ମାଣ କରୁଛନ୍ତି। ଓଡ଼ିଶାରେ ଜନସାଧାରଣଙ୍କର ଜୀବିକା ହିଁ ଜୀବନ, ଜୀବନ ଜୀବିକାର ସୁରକ୍ଷା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ଦିଗରେ ମୋଟ୍ ଘରୋଇ ଉତ୍ପାଦନର ୬ % ଅର୍ଥ ବ୍ୟୟବରାଦ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି।

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସମସ୍ତ ଜନଗଣଙ୍କୁ ସ୍ୱାସ୍ଥ୍ୟ ଅଧିକାର, ନିମ୍ନମାନର ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମି ଓ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଢେଙ୍କାନାଳ ଜିଲ୍ଲା ସର୍ବୋଦୟ ମଣ୍ଡଳ ଓ ଜନସ୍ୱାସ୍ଥ୍ୟ ଅଭିଯାନ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ସର୍ବୋଦୟ ମଣ୍ଡଳ ସଭାପତି ପ୍ରଦ୍ୟୁମ୍ନ ରଥ, ଉପ ସଭାପତି ଅନ୍ତର୍ଯ୍ୟାମୀ ବରାଳ, ମୁଖପାତ୍ର ଶିଶିର ଶତପଥୀ ଓ ସମ୍ପାଦକ ତଥା ଦୂରସଂଚାର ପରିଚାଳକ ଇଂ ଲଳିତ ମୋହନ ବେହେରା ପ୍ରମୁଖଙ୍କୁ ନେଇ ପ୍ରତିନିଧି ମଣ୍ଡଳୀ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ।

new life
You might also like
error: Content is protected !!