ଦିନକୁ ଦିନ ବ୍ୟସ୍ତ ବହୁଳ ହୋଇ ପଡୁଛି ଢେଙ୍କାନାଳ ସହର । ହେଲେ ବାସିନ୍ଦା ଏବଂ ଯାତ୍ରୀଙ୍କ ଯାତାୟତ ନିମନ୍ତେ ନାହିଁ ପ୍ରଶସ୍ତ ରାସ୍ତା । କାରଣ ବିଭିନ୍ନ ସ୍ଥାନରେ ସରକାରୀ ରାସ୍ତାକୁ ମାଡ଼ି ବସିଛନ୍ତି କିଛି ଉଠା ଦୋକାନୀ । ଗଣେଶ ବଜାରରୁ ବାଜିଚୌକ୍ ଏବଂ ବାଜିଚୌକରୁ ଷ୍ଟେସନ ବଜାର ଏବଂ ଜଗନ୍ନାଥ ରୋଡ୍ ପ୍ରମୁଖ ରାସ୍ତାରେ ଟ୍ରାଫିକ୍ ଜାମ୍ ଲୋକଙ୍କୁ ଅତିଷ୍ଠ କଲାଣି । ସେହିପରି କଲେଜ ଏବଂ କୁଞ୍ଜକାନ୍ତ ଅଞ୍ଚଳରେ ବହୁ ବର୍ଷ ହେବ ପଡିରହିଥିବା ଭେଣ୍ଡିଙ୍ଗ ଜୋନ ଖତ ଖାଇବାକୁ ବସିଥିବା ବେଳେ ଧୀରେ ଧୀରେ ରାସ୍ତାକୁ ଆସୁଛନ୍ତି ଉଠାଦୋକାନୀ । ସମ୍ପୃକ୍ତ ସ୍ଥାନରେ ରାସ୍ତା ପ୍ରଶସ୍ତିକରଣ ନିମନ୍ତେ ବହୁପୁରୁଣା ଗଛ କଟାଯାଇଥିବା ବେଳେ ଏହି ଉଠାଦୋକାନୀଙ୍କୁ ଥଇଥାନ କରିପାରିନାହିଁ ପୌରପାଳିକା ।
ନିର୍ବାଚନ ପୂର୍ବରୁ ବିଭିନ୍ନ ଆଳ କିମ୍ବା ନୋଟିସ ଭୟ ଦେଖାଇ ମୁଖ୍ୟ ରାସ୍ତାରୁ ଗଳି ରାସ୍ତାକୁ ଉଠାଇ ନେଇଥିଲା ପୋୖରପାଳିକା । ହେଲେ ଏବେ ସେହି ସ୍ଥାନରେ ପୁଣି ନୂଆନୂଆ ଅସ୍ଥାୟୀ ଦୋକାନ ସବୁ ଖୋଲିବା ଆରମ୍ଭ ହୋଇଗଲାଣି । ତେବେ ଏନେଇ ସେଠାରେ ବ୍ୟବସାୟ କରୁଥିବା ପୁରୁଣା ବ୍ୟବସାୟୀଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଥିବା ବେଳେ, ଏବେ କିଛି ହେବନି ଯାହାହେବ ପୁଣି ୪ବର୍ଷ ବୋଲି ନୂତନ ଦୋକାନୀ କହିଛନ୍ତି ।
ଅନ୍ୟପଟେ ସହରର ବିଭିନ୍ନ ସ୍ଥାନରେ ଚିହ୍ନଟ ସରିଥିଲେ ବି ଉଚ୍ଛେଦ ପାଇଁ ପୋୖର ପ୍ରଶାସନ ବଳ ଗୋଟାଇ ପାରୁନାହିଁ । ପୂର୍ବରୁ ସରକାରଙ୍କ ଉପରେ ଦୋଷ ଲଦି ଚାଲିଥିବା ବେଳେ ପୋୖର ପାଳିକା ଏବେ କାହା ଚାପରେ ଚେପା ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି ।
