News
lipub
samparksetu

ମୃତ୍ୟୁର ପଥେ ପ୍ରକୃତି – ଦାୟୀ କିଏ ?

ପ୍ରତିବର୍ଷ ୫ ଜୁନ୍, ବିଶ୍ୱ ପରିବେଶ ଦିବସରେ ଆମେ ପ୍ରକୃତି ପ୍ରତି ଦାୟିତ୍ୱବୋଧ ଜଣାଇବାକୁ ଅନେକ କାର୍ଯ୍ୟକ୍ରମ କରିଥାଉ। କେଉଁଠି ରାଲି, କେଉଁଠି ଗଛ ରୋପଣ, କେଉଁଠି ଆଲୋଚନା ସଭା। କିନ୍ତୁ ତାପରେ ? ସବୁ କିଛି ଆଉ ଗୋଟିଏ ସାଧାରଣ ଦିନ ପରି। ଏମିତି କେବେ ଭାବିଛନ୍ତି, ଯେ ପ୍ରତିଦିନ ଆମର ମାଟି କେମିତି ବିଳାପ କରୁଛି ? ସେ ନଦୀ, ଯାହା କେବେ ଝରି ଝରି ହେଉଥିଲା, ଆଜି ଶୁଷ୍କ ହୋଇଗଲା। ସେ ଗଛ, ଯାହାକୁ ଗତକାଲି ଛେଣ୍ଡା ଗଲା, ସେ ଚିତ୍କାର କରୁନି କି ? ସେ ପଖୀ, ଯାହା ନିଜ ଘୁଞ୍ଚ ହରାଇଦେଲା, ତାର ନିରବତାରେ ଆପଣ ବେଦନା ଅନୁଭବ କରିପାରିଲେ କି ?
ପ୍ରକୃତି ଆମ ପାଇଁ ମା’ ଭଳି। ସେ ଆମକୁ ଜୀବନ ଦେଇଛି, ବଞ୍ଚିବା ପାଇଁ ଆଶ୍ରୟ ଦେଇଛି, ଆମର ପାଳନ କରିଛି। ମା’ ମନେ କରନ୍ତୁ, ଯିଏ ଅନ୍ତରହୀନ ସ୍ନେହ ଦେଉଥିବା ସତ୍ୱେ, ପୁଅ ତାଙ୍କୁ ଅବହେଳା କରେ। ଏମିତି ଆମେ ପ୍ରକୃତି ସହ କରୁଛୁ। ବୃକ୍ଷକୁ କାଟୁଛୁ, ନଦୀକୁ ଦୁଷିତ କରୁଛୁ, ପୃଥିବୀକୁ ପ୍ଲାଷ୍ଟିକ ଓ ବିଷାକ୍ତ କେମିକାଲର ଭଣ୍ଡାର କରିଦେଇଛୁ।
ଗୋଟିଏ ସମୟ ଥିଲା, ଯେତେବେଳେ ଆମେ ମାଟିରେ ଖେଳୁଥିଲୁ, ଗଛ ଚଢ଼ି ଆମ୍ବ ଖାଉଥିଲୁ, ନଦୀରେ ହଠାତ୍ ଏକ ପଥର ଛାଡି ତାହାର ତରଙ୍ଗକୁ ହେଉଥିବା ଆନନ୍ଦ ଉପଭୋଗ କରୁଥିଲୁ। ଆଜି ସେଇ ଶିଶୁ ମୋବାଇଲ୍ ସ୍କ୍ରିନ୍‌ରେ ପ୍ରକୃତି ଦେଖିବାକୁ ବାଧ୍ୟ, ପାଠପୁସ୍ତକରେ ନଦୀର ପରିଭାଷା ଶିଖୁଛି। ଏହା କ’ଣ ସତରେ ଉନ୍ନତି ?
ଏହି ସୃଷ୍ଟି ଆମକୁ ଅନେକ କିଛି ଦେଲା, କିନ୍ତୁ ଆମେ ତାହାକୁ କେତେ ଫେରାଇଲୁ ? ପ୍ରତିବର୍ଷ ହଜାର-ହଜାର ଏକର ଜଙ୍ଗଲ କାଟାଯାଉଛି। ନଦୀଗୁଡିକୁ କାରଖାନାର ବିଷ ଆମେ ପାନ କରୁଛୁ। ବାୟୁ ଏତେ ବିଷାକ୍ତ ହୋଇଯାଇଛି, ଯେ ନିଶ୍ୱାସ ନେବା ମଧ୍ୟ ଆତଙ୍କର କାରଣ। ଯେତେବେଳେ ବନ୍ୟା, ଭୂମିକମ୍ପ, ଅତ୍ୟାଧିକ ଘର୍ମ ବା ବନ୍ୟପ୍ରାଣୀ ଆକ୍ରମଣ ହୁଏ, ଆମେ କହୁଛୁ – “ଏହା ପ୍ରକୃତିର କ୍ରୋଧ” ଯେବେ କି ଏହା କ୍ରୋଧ ନୁହେଁ ବରଂ ପ୍ରକୃତିର ଆହୁତି, ତା’ର ନିରବ ଅଭିଯୋଗ ଓ ଚିତ୍କାର।
ଇସ୍ଲାମ ଧର୍ମ ଅନୁଯାୟୀ, ପୃଥିବୀ ଏକ ଅମାନତ୍, ଯାହାର ରକ୍ଷା ମାନବତାର ଦାୟିତ୍ୱ। ପବିତ୍ର କୁରାନ ଅନୁସାରେ – “ଯାହା କିଛି ଆକାଶରେ ଅଛି ଓ ପୃଥ‌ିବୀରେ ଅଛି, ସେ ସବୁକୁ ସେ ତୁମମାନଙ୍କ ସେବାରେ ନିୟୋଜିତ କରିଛନ୍ତି। ଏଥିରେ ଚିନ୍ତାଶୀଳ ସମ୍ପ୍ରଦାୟ ପାଇଁ ମହାନ୍ ନିଦର୍ଶନ ରହିଅଛି ” (ସୁରା ଅଲ-ଜାସିୟା : ୧୩)
ଇସଲାମ ଧର୍ମର ପ୍ରତିଷ୍ଠାତା ହଜରତ ମୁହମ୍ମଦ (ସ.ଅ.) କହିଛନ୍ତି – “ପୃଥିବୀ ଅଲ୍ଲାହ୍‌ଙ୍କର, ତାଙ୍କର ଭକ୍ତ ମାନେ ଏଥିରେ ମୁସାଫିର।” (ମୁସନଦ ଅହମଦ) – ଅର୍ଥାତ୍, ଆମେ ଏହି ପୃଥିବୀର ମାଲିକ ନୁହେଁ, ଜବାବଦେହ ଅତିଥି।
ପ୍ରକୃତି ସହ ବ୍ୟବହାରରେ ନବୀ କରୀମ (ସ.ଅ.) ଦୟା, ନିୟମ ଓ ମୂଲ୍ୟ ଦେଇଁଛନ୍ତି। ଆପଣ (ସ.ଅ.) ଜନ୍ତୁ ଓ ବୃକ୍ଷ କାଟିବାକୁ ବିରୋଧରେ ଥିଲେ। ଜଳ ଅପଚୟ ବିରୋଧରେ ଶକ୍ତ ବଚନ ଦେଇଥିଲେ। ଏହି ହଦିସ୍ ଦେଖନ୍ତୁ –
ଯିଏ ଗୋଟିଏ ଗଛ ଲାଗାଏ କିମ୍ବା ଚାଷ କରେ, ଯାହାରୁ ମନୁଷ୍ୟ, ପଶୁ କିମ୍ବା ପକ୍ଷୀ ଲାଭ ନେଇଥାଏ, ତାହା ତାଙ୍କ ପାଇଁ ସଦକା ହେବ।” (ସହିହ୍ ମୁସଲିମ)
ଆସନ୍ତୁ ଏକ ନୂଆ ପ୍ରତିଜ୍ଞା ନେବା, ଏହି ବିଶ୍ୱ ପରିବେଶ ଦିବସରେ ଆସନ୍ତୁ, ଏକ ଅନ୍ତଃକରଣରୁ ସଂକଳ୍ପ କରିବା–
“ଆମେ ପ୍ରକୃତିକୁ ଆଘାତ ଦେବା ନାହିଁ। ଆମେ ପ୍ରକୃତିର ସେବା କରିବା। ଗଛ ଲାଗେଇବା, ଜଳ ବଞ୍ଚାଇବା, ପ୍ଲାଷ୍ଟିକ ର ବ୍ୟବହାର କମେଇବା – ଏମିତି ଛୋଟ ଛୋଟ ପଦକ୍ଷେପ ଏକ ବଡ଼ ପରିବର୍ତ୍ତନ ଆଣିପାରିବ। ଆମ ପିଲାମାନେ ପ୍ରକୃତି ସହ ପ୍ରେମ କରିବା ଶିଖିବେ। ଧ୍ୟାନ ଦେବା ଉଚିତ୍ ଯିଏ ପ୍ରକୃତିକୁ ଭଲ ପାଏ, ସେ ଜୀବନକୁ ମୂଲ୍ୟ ଦେଉଛି।”
ପୃଥିବୀ ଆଜି ବେଦନାରେ କ୍ରନ୍ଦନ କରୁଛି। ଯଦି ଆମେ ଏବେ ଶୁଣିବାନି, ତେବେ ଆସନ୍ତାକାଲି ସେହି ନିରବ ଅଭିଯୋଗ ଏକ ଅଟୁଟ ଚିତ୍କାର ରେ ପରିଣତ ହେବ।

✍️ ଅନସାର ଅଲି ଖାଁ, ଢେଙ୍କାନାଳ ।

new life
You might also like
error: Content is protected !!