News
lipub
samparksetu

ଚୁମ୍ବନର ରଙ୍ଗ

ଚୁମ୍ବନର ରଙ୍ଗ ଖୋଜୁ ଖୋଜୁ
ପହଞ୍ଚିଲି ଯାଇ
କ୍ଷତାକ୍ତ ଏକ ହୃଦୟ ପାଖରେ
ବେହିସାବୀ ଗୋଟେ ମତୁଆଲାର
ଟଳମଳ ହଳେ ଓଠ ପାଖରେ…
ସମାନ ସେଇ ନାଲି ରଙ୍ଗ !

ତୃଷାର୍ତ୍ତ ଚଞ୍ଚୁ, କ୍ଷତରୁ ଧାରଧାର ବହୁଥିବା ରକ୍ତ ଓ
ବୈଶାଖ କରାଘାତରେ ଫୁଟିଥିବା କୃଷ୍ଣଚୂଡ଼ାର ପାଖୁଡ଼ା
ସବୁଠି ସେଇ
ଦାଉଦାଉ ଏକା ନାଲି ରଙ୍ଗ !

ଭଙ୍ଗୁର ଅଶ୍ରୁରେ ମିଶିଲାବେଳେ
ସେଇ ନାଲି ରଙ୍ଗ କିନ୍ତୁ
ପାଲଟୁଥିଲା ପାଟଳ
ଆଖିରେ ଆଞ୍ଜୁଳାଏ ଲୁହ ଧରି
କୋଇଲିର ସ୍ଵର
ଶୁଭୁଥିଲା ମୋତେ ଛଳଛଳ ।

ଚୁମ୍ବନର ରଙ୍ଗ ଖୋଜୁ ଖୋଜୁ
ପହଞ୍ଚିଥିଲି ଏକ
ଦାରୁଣ ବର୍ଷା ରାତିର ଅନ୍ଧାର ପାଖରେ
ନିର୍ଭୀକ ପ୍ରସାରିତ ଆକାଶର
ନିରବଧି ନିବିଡ଼ ଗୋଟିଏ ଆଶ୍ଳେଷରେ…

ସେତେବେଳକୁ
ଫିକା ପଡ଼ିସାରିଥିଲା
ପୁରୁଣା ନାଲି ରଙ୍ଗର ଗାଢତା
ବଦଳି ସାରିଥିଲା
ପ୍ରେମ ଋତୁ, ହଜିଲା ଦ୍ଵିପ୍ରହର, ହସୁଥିବା ସବୁଜ ପତର
ଇତିରେ, ସନ୍ଧାନର ତମାମ୍ ସୁଆଙ୍ଗ

✍️ନୀଳିମା ନିବେଦିତା

new life
You might also like
error: Content is protected !!