ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। ଅନେକ ତଳି ଅଞ୍ଚଳ, ନଦୀ କୂଳବର୍ତ୍ତି ସ୍ଥାନ ଜଳମଗ୍ନ ହୋଇପଡିଛି। କାମାକ୍ଷାନଗର ବ୍ଲକର ରାମିଆଳ ନଦୀ ର ତଟବର୍ତ୍ତୀ ଅଞ୍ଚଳ ଓ ବ୍ରାହ୍ମଣୀ ନଦୀର ବାମ ପାର୍ଶ୍ବରେ ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି। ଯଦିଓ ବର୍ଷା ଛାଡି ଯାଇଛି ନଦୀ ଦୁଇଟିର ଜଳସ୍ତରରେ ହ୍ରାସ ହେବା ଲକ୍ଷଣ ଦେଖାଯାଉ ନାହିଁ।
ବ୍ଲକର ସମସ୍ତ ନାଳ ଓ ଯୋର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଖବର ରହିଛି। ବ୍ଲକର ସମସ୍ତ ଗାଁ ଗୁଡିକ ପ୍ରଭାବିତ ହୋଇଥିଲା ବେଳେ ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇପଡିଛି।
କାମାକ୍ଷାନଗର ବ୍ଲକ ବାଉଁଶପାଳ ପଞ୍ଚାୟତର ବାହାଡା ଗାଁ ଦାଣ୍ଡରେ ଲହଡ଼ି ମାରୁଛି କଳାବିଲା ଯୋର ପାଣି। ଗାଁ ଦାଣ୍ଡରେ ତିନିଫୁଟ ଉଚ୍ଚରେ ପାଣି ସ୍ରୋତ। ଗାଁ ର ପ୍ରତ୍ୟେକ ଘରେ ପାଣି ପଶିଯିବାରୁ ଗତକାଲି ଠାରୁ ରୋଷେଇ ହୋଇ ନଥିଲା ବେଳେ ପିଇବା ପାଣି ସମସ୍ୟା ଉତ୍କଟ ହୋଇଛି। ବର୍ଷା ଯୋଗୁଁ ଗାଁ ର ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି
ଏହି ବ୍ଲକ ଅନ୍ତର୍ଗତ ପାରିମାଳର ଶ୍ରୀମୂଳା, ତୁମୁଁସିଙ୍ଗା, କନ୍ତିଓକାଟେଣୀ ପ୍ରଭୃତି ଗାଁ ର ଶହ ଶହ ଏକର ଧାନ ଚାଷ ପ୍ରଭାବିତ ହୋଇଛି। ଅଭାବି ବର୍ଷା ଯୋଗୁଁ ଚାଷ କାର୍ଯ୍ୟରେ ବିଳମ୍ବିତ ହୋଇଥିବାବେଳେ ଏବେ ବନ୍ୟା ପରିସ୍ଥିତି ଚାଷୀ ମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ କାମାକ୍ଷାନଗର ତହସିଲ ପକ୍ଷରୁ ପରିସ୍ଥିତି ଉପରେ ନଜର ରଖିବା ପାଇଁ ବ୍ଲକର ରାଜସ୍ବ ନୀରିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
