News
lipub
samparksetu

ପ୍ରଣମ୍ୟ ହେ ବୁଦ୍ଧ

ବେଦନା ବିଧୂର ବୋଧିସତ୍ତ୍ୱ ତୁମେ
ଜ୍ଞାନାଲୋକେ ହେଲ ସିକ୍ତ
ପୁନଶ୍ଚ ପୃଥିବୀ ଫେରି ପାଇଥିବା
ଦ୍ରୁପ୍ତ ଚେତନା ବ୍ରତ ll

ଶଇଳ ଶିଖରେ ସୀମନ୍ତିନୀ ସମ
ଶାନ୍ତ କି ସୁଧାର ମୂର୍ତ୍ତି
ମାନବବାଦର ମହାମିଳନରେ
ଭରିଛ ଅପାର ଶକ୍ତି ll

ସାଂସାରିକ କ୍ଷୁଧା କ୍ଷାନ୍ତ ହେ ପଥିକ
ପରିତ୍ୟକ୍ତ କଲ ଦର୍ପେ
ଅନୁସନ୍ଧିତ୍ସୁ ସେ ନୟନ ଯୁଗଳ
ଧାଇଁଲା ଶାନ୍ତିର ପଥେ ll

ନିରଞ୍ଜନା ନଦୀ ତନ୍ମୟ ତଟରେ
ଅଶ୍ୱତଥ ଦ୍ରୁମ ମୂଳେ
ସମାଧିସ୍ଥ ସେଇ ସପନ ସନ୍ୟାସୀ
ବିନିଦ୍ର ଜାଗର ଜାଳେ ll

ମହା କାରୁଣ୍ୟର କମଣ୍ଡଳୁ ନୀରେ
ବିଶ୍ୱେ ବୁଣିଲ ବାର୍ତ୍ତା
ପଥ ପ୍ରାନ୍ତ ଧାରେ ଶ୍ରମଣ ସାଧକ
କରନ୍ତି ସୁରମ୍ୟ ଯାତ୍ରା ll

ଚିର ପ୍ରଶାନ୍ତିର ତପୋବନ ଟିଏ
ଗଢ଼ିଲ ଜ୍ଞାନର ବଳେ
ଗରୀୟାନ ହେଲା ବୌଦ୍ଧିକ ଚେତନା
ସାଧନାର ସିଦ୍ଧି ତଳେ ll

ଦୁଃଖର କାରଣ କାମନା ବା ତୃଷ୍ଣା
ସମାଜରେ ଦେଲ ବୁଣି
କାମନା ବିନାଶେ ଦୁଃଖର ବିନାଶ
ମହାଜାଗତିକ ବାଣୀ ll

ମହା ନିର୍ବାଣର ମହନୀୟ ମନ୍ତ୍ର
ମନୋଜ୍ଞ ମଞ୍ଜୁଳ ଧାରା
ଯଜ୍ଞ ଉପବୀତ, ସମିଧ ସମକି
ଜଳୁଛି ଏ ବିଶ୍ୱ ସାରା ll

ପ୍ରଣମ୍ୟ ହେ ବୁଦ୍ଧ ବରେଣ୍ୟ ସାଧକ
ଯାତନାରୁ କର ମୁକ୍ତ
ମାନବ ରୂପରେ ଦେବତା ହେ ତୁମେ କରୁଛି ମୁଁ ମଥାନତ ll

✍️ଗୀତାଞ୍ଜଳି ପୃଷ୍ଟି

new life
You might also like
error: Content is protected !!