ସ୍ୱପ୍ନ ପାଲଟିଲା ସ୍ୱାସ୍ଥ୍ୟ ବିଭାଗର ସପ୍ତରଙ୍ଗ ବେଡ଼ସିଟ, ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ ଅନିୟମିତତା
ସପ୍ତାହକୁ ପଡିବ ସାତ ରଙ୍ଗର ବେଡ଼ସିଟ ଦିନ ଅନୁଯାୟୀ ଆସିବ ନୂଆ ବେଡ଼ସିଟ ଏବଂ ବଦଳିବ ପୁରୁଣା । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ମଳ ଯୋଜନା ଅନୁଯାୟୀ କିଛି ଏଭଳି ନିୟମ ଲାଗୁ କରାଯାଇଛି। ହେଲେ ଏହାର ବିପରୀତ ବ୍ୟବସ୍ଥା ଦେଖାଯାଇଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ । ରୋଗୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଅନୁଯାୟୀ ରୋଗୀଙ୍କୁ ସପ୍ତାହକୁ ୭ଟି କଣ ବେଳେବେଳେ ଗୋଟିଏ ମଧ୍ୟ ବେଡ଼ସିଟ ମଧ୍ୟ ମିଳୁନି ।
ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛି ବ୍ୟାପକ ଅବହେଳା, କେତେବେଳେ ଡାକ୍ତର ଅଭାବ କେତେବେଳେ ଆମ୍ବୁଲାନ୍ସ ସେବାରେ ବାଧାପ୍ରାପ୍ତ ତ କେତେବେଳେ ଚିକିତ୍ସାରେ ଅବହେଳା ଏଭଳି ବିଭିନ୍ନ ବାଦବିବାଦ ଭିତରେ ରହି ଆସିଛି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏହା ଭିତରେ ଆଉ ଏକ ଅଭିଯୋଗ ଆଣିଛନ୍ତି ରୋଗୀ ଏବଂ ତାଙ୍କ ସମ୍ପର୍କୀୟ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ରୋଗୀଙ୍କୁ ମିଳୁନି ବେଡ଼ସିଟ୍ ବେଡ୍ ଉପରେ ପଡ଼ିଥିବା ଗଦିଉପରେ ଶୋଉଛନ୍ତି ରୋଗୀ, ଯଦି ସମ୍ପର୍କୀୟ ଏନେଇ ଅଭିଯୋଗ କରୁଛନ୍ତି ତେବେ ଦାୟିତ୍ବ ତୁଳାଇବାକୁ ଗୋଟିଏ ବେଡ଼ସିଟ ଦିଆଯାଉଛି । ସେହି ବେଡ଼ସିଟ କୁ ଧୋଇ ଶୁଖାଇ ବେଡ଼ରେ ପକାଉଛନ୍ତି ରୋଗୀ ।
ଯଦି କୌଣସି ରୋଗୀ ଏକା ଆସୁଛନ୍ତି ତେବେ ବିନା ବେଡ଼ସିଟରେ ଶୋଉଛନ୍ତି ଯାହାଫଳରେ ସଂକ୍ରମଣ ବ୍ୟପିବାର ଭୟରହୁଛି । ଅନ୍ୟପଟେ ସ୍ଵାସ୍ଥ୍ୟ କେନ୍ଦ୍ରରେ ବ୍ୟାପକ ପରିମାଣର ବେଡ଼ସିଟ୍ ରହୁଥିବା ବେଳେ କାହିଁକି ରୋଗୀଙ୍କୁ ପ୍ରଦାନ କରାଯାଉନାହିଁ ଏନେଇ ପ୍ରଶ୍ନ ଉଠିଛି । ସ୍ୱାସ୍ଥ୍ୟକେନ୍ଦ୍ର ଭଳି ସମ୍ବେଦନଶୀଳ ଦିଗରେ କର୍ତ୍ତୃପକ୍ଷଙ୍କ ଏଭଳି ବେପାରୁଆ ମନୋଭାବ ଗଁଦିଆ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଯାଇଛି ।
