News
lipub
samparksetu

ମା ର ପୁରୁଣା ଲୁଗା

ମା ର ସେଇ ପୁରୁଣା ଲୁଗା ଖଣ୍ଡିଏ
ସିନ୍ଧୁକରେ ସାଇତା ଅଛି,
ଲୁଗା ନୁହେଁ ସେ ତ ସ୍ମୃତିର ପରଦା
ମୋ ବାଳୁତ ଛବିଟି ଦିଶୁଛି।

ଖାଇସାରି ସେଇ ଲୁଗା ପଣତରେ
ହାତକୁ ପୋଛିଚି ମୋର,
ମୁହଁକୁ ପୋଛିଚି ଖେଳକୁଦ ସାରି
ହୋଇ ଝାଳ ସରସର।

ଲୁଚି ଯାଇଛି ଲୁଗା ପଣତରେ
ବାପାଙ୍କ ଗାଳିକୁ ଡରି,
ଶୀତୁଆ ସଞ୍ଜରେ ଉଷୁମ ନେଇଛି
ମା କୋଳେ ଶୋଇକରି।

ଖରା ବରଷାରେ ଛତା ମୋ ସାଜିଛି
ମୋ ଦେହରେ ଢାଙ୍କି ହୋଇ,
ଆଦରରେ ମୋତେ କୋଳେଇ ନେଇଛି
ମୋ ଲୁହକୁ ପୋଛିଦେଇ।

ସାଙ୍ଗସାଥି ମେଳେ ଦୁଷ୍ଟାମୀ କରି
ଲୁଚିଛି ଲୁଗା ପଣତରେ,
ରକ୍ଷାକବଚ ହୋଇ ଅଭୟ ଦେଇଛି
ବିପଦ ସମୟରେ।

ସାଇତି ରହିଛି ସିନ୍ଧୁକ ଭିତରେ ସେ
ସାଇତିଛି ମୋ ପିଲାବେଳ,
ହାତଠାରି ଡାକେ ଚାଲ୍ ଫେରିଯିବା
ପୁଣି ସେଇ ଅତୀତ କୋଳ।

✍️ଗୋବିନ୍ଦ୍ ଚନ୍ଦ୍ର ପାତ୍ର

new life
You might also like
error: Content is protected !!