News
lipub
samparksetu

ଶୀତର ସକାଳ ଜୀବନ ମହ୍ଲାର

ଶୀତର ସକାଳ ଜୀବନ ମହ୍ଲାର
ପ୍ରସ୍ଫୁଟିତ ଯେବେ ହୁଏ,
ସୁଲୁସୁଲୁ ବାଆ କାକର ସାଥିରେ
ମନ ଆନନ୍ଦିତ ରହେ।

ଶୀତ ସକାଳର ପହିଲି କିରଣ
ଯେବେ ବିଚ୍ଛୁରିତ ହୁଏ,
ଘାସର ଅଗରେ ଜଳବିନ୍ଦୁ କଣା
ମୋତିପରି ଦେଖାଯାଏ ।

ଶୀତ ସକାଳରେ ବିଛଣା ଜାବୁଡ଼ି
ଅଳସ କେ ଭାଙ୍ଗୁଥାଏ,
ବୁଢ଼ୀ ମାଉସୀଟି ସଅଳ ଉଠିଣ
ନିଜ କାମେ ଲାଗିଯାଏ।

ପୁଣ୍ୟ ର ମାସରେ ପୁଣ୍ୟ କରିବାକୁ
ସକାଳୁ ସେ ବୁଡ଼ ଦିଏ,
ହରସ ମନରେ ଭାଗବତ ଘରେ
ଭାଗବତ ପଢ଼ିଥାଏ।

ତରବର ହୋଇ ନବବଧୂ ଉଠେ
ମୁହଁକୁ କରି ଅସନା,
ଶାଶୁ କାଳେ ତାର ବିଳମ୍ବିତ ହେଲେ
ପଛରେ ଦେବେ ଲାଞ୍ଛନା।

କ୍ଷେତକୁ ଅମଳ କରିବା ପାଇଁକି
ଚାଷୀ ଭାଇ ଉଠିଥାଏ ,
ଶୀତକୁ ଟିକିଏ ଖାତିର ନକରି
ଘରୁ ସେ ବାହାରି ଯାଏ।

ବାଳୁତ ପିଲାଟି ସଅଳ ଉଠିଣ
ନାନା ଖେଳ ରଚିଥାଏ,
ବାଲି,ମାଟି,ଧୂଳି ଦେହସାରା ବୋଳି
ଖିଲିଖିଲି ହସିଦିଏ।

ଶୀତ କାକରକୁ ଖାତିର ନକରି
ସକାଳୁ ଯେ ଉଠିଥାଏ,
ପ୍ରକୃତିର ଏହି ମନଲୋଭା ଦୃଶ୍ୟ
ପାଖରୁ ସେ ଦେଖିଥାଏ।

✍️ଅଜୟ କୁମାର ସାହୁ

new life
You might also like
error: Content is protected !!