News
lipub
samparksetu

ବୁଲି ଯିବା ବାଲି ଯାତରା

ପୁଣ୍ୟ କାର୍ତ୍ତିକର ଶେଷରେ ଆସିଛି
କାର୍ତ୍ତିକ ପୁନେଇଁ ତିଥି
ଭରି ଦେଇ ପ୍ରତି ପ୍ରାଣରେ ପୁଲକ
ଧର୍ମୀୟ ଭାବନା ପ୍ରୀତି ll

ଏ ଜାତିର ଧର୍ମ ପ୍ରଥା ପରମ୍ପରା
ବୋଇତ ବନ୍ଦାଣ ପର୍ବ
ଅତୀତର ସେହି ସାଧବ ପୁଅର
ନୌ- ଯାତ୍ରା ଆମ ଗର୍ବ ll

ସେହି ସ୍ମୃତି ଧୀରେ ଉଜ୍ଜୀବିତ ହୁଏ
ଗୌରବମୟ ଅଧ୍ୟାୟ
ଜାଭା,ବର୍ଣ୍ଣିଓ ବା ବାଲିଦ୍ୱୀପ ଠାରେ
ଚାଲୁଥିଲା ବ୍ୟବସାୟ ll

କର୍ପୂର ଯାଇଛି କନା ପଡ଼ିଅଛି
ଆଧୁନିକ ପରଶରେ
ବୋଇତ ସ୍ଥାନରେ ଜାହାଜ ଚାଲୁଛି
ଲଙ୍ଘି ସାତ ଦରିଆରେ ll

ପର ପିଢ଼ି ପାଇଁ ଇତିହାସେ ଲେଖା
କଳିଙ୍ଗର ପରିଚୟ
ଅତୀତର ସେହି ମହାନ ଐତିହ୍ୟ
ଲାଗେ କେଡ଼େ ଶୋଭନୀୟ ll

ସେହି ସ୍ମୃତିଟିକୁ ବଞ୍ଚାଇ ରଖିଛି
କଟକର ବାଲିଯାତ୍ରା
ନାହାନ୍ତି ଆଜି ସେ ସାଧବ ପୁଅ ବା
ନାହିଁ ତାଙ୍କ ବୀର ବାର୍ତ୍ତା ll

ମହାନଦୀ କୂଳ ବାଲୁକା ଶଯ୍ୟାରେ
ଭରା ବିପଣୀର ମାଳ
କେତେ ରଙ୍ଗେ ଦୋଳି ସର୍କସ ସାଥୀରେ
ଜାନ ବାହାନର ମେଳ ll

ଭଳି ଭଳି ଦ୍ରବ୍ୟ ବିକା କିଣା ସାଥେ
ଠୁଙ୍କା ପୁରି ତରକାରି
ଚାଟ୍,ଗୁପ୍ ଚୁପ୍, ଦହିବରା ଖାଇ
ଘରକରଣା କୁ ଧରି ll

ସାତ ଦିନ କାଳ ବାଣିଜ୍ୟିକ ମେଳା
ଚାଲୁଅଛି ସଗର୍ବ ରେ
କାହିଁ କେତେ ଆଡୁ ଆସନ୍ତି ଦର୍ଶକ
ଉପଭୋଗ କରିବାରେ ll

ଭରପୂର ଶୋଭା ମନୋରଞ୍ଜନର
ସମ୍ପୂର୍ଣ୍ଣ ଖୋରାକ ନେଇ
ଆସେ ବାଲିଯାତ୍ରା ବରଷକେ ଥରେ
କେତେ ଖୁସି ବାଣ୍ଟି ଦେଇ ll

ଐତିହ୍ୟ ନଗର ଧବଳ ଟଗର
କଟକ ଯାହାର ନାଆଁ
ପଡୋଶୀ ରାଇଜୁ ବେପାରୀ ଆସନ୍ତି
କଟକିଆ ତାଙ୍କୁ ସାହା ll

ଭାଇଚାରା ପଣେ କିଏ ସରି ହେବ
ଆମ କଟକର ଲୋକେ
ବନ୍ଧୁତ୍ୱର ହାତ ବଢ଼ାଇ ଦିଅନ୍ତି
ପରପାଇଁ ଦୁଃଖ ସୁଖେ ll

ଆସ ବୁଲିଯିବା ବାଲିଯାତରାକୁ
ବନ୍ଧୁ ବାନ୍ଧବଙ୍କୁ ନେଇ
ସମାଜ, ସଂସ୍କୃତି, ପ୍ରଥା, ପରମ୍ପରା
ସବୁ ଦେବା ତାଙ୍କୁ କାହି ll

✍️ଗୀତାଞ୍ଜଳି ପୃଷ୍ଟି

new life
You might also like
error: Content is protected !!