News
lipub
samparksetu

ଫେରିଲାନି ବର୍ଷା

ଶିକ୍ଷିତ ଅଭିଆଡି ପିଲାଟି ରେନି ରାଇମ୍ ଗାଉ ଗାଉ
ଓଦା ସରସର ହୁଏ ବାଲକୋନିର କାଚ
ଇଂରାଜୀ ବହି ମଲାଟ ଦେହରେ ତିଆରେ ଡଙ୍ଗା,
ନେଡି ଉଠା ନାବିକଟେ ପରି ପାଚେରୀକଟା
ନାଳରେ ଜାହାଜକୁ ଦିଏ ଆଲବିଦା
ଗଳି ଶେଷ ବଙ୍ଗଳାରୁ ଗାଳି ଖାଇ
ଫେରୁଥାଏ  ସହରର ଉଦାସ ବର୍ଷା
ଷ୍ଟ୍ରିଟଲାଇଟ୍ ତଳେ ଆତ୍ମାହୁତି ଦିଏ ଟାଇଟାନିକ।
ଡି’ କାଫ୍ରିଓ କିନ୍ତୁ ବିପର୍ଯ୍ୟୟଠୁ ବହୁଦୂରେ
ଖୋଜୁଥାଏ ଡଙ୍ଗାର ଦିଗ !!
ବୟସ ତାକୁ ବୁଝାଇ ପାରିନି
କାଗଜ ଡଙ୍ଗାରେ କେବଳ ମନ ଭାଷେ।

ଧୂସର ଧୁଆଁର ଜୁଆର
ଏବେ ବେଶୀ ଧକ୍କାଖାଉଥାଏ
ଟ୍ରାଫିକ ଛକ ନେତାଜୀଙ୍କ ନୀରବ ମୂର୍ତ୍ତୀଦେହେ,
ଗଗ୍ଲସ ପିନ୍ଧା କଲେଜ ବାହୁଡ଼ା ତରୁଣୀ ଜଣେ
ଉଣ୍ଡୁଥାଏ ଡାହାଣକୁ
ଛତାର ଛାତରୁ ବାହାରି ଦିହକୁ ଅଧା ଓଦା କରି,
ଆଉ ଅଧେ କାହା ସହ ଓଦା କରିବା ଅପେକ୍ଷାରେ,
ସବୁଜ ବତୀର ଆଲୁଅ ଲିଭି ନାଲି ଜଳେ
ସୁନା ପିଲାଟି ଭଳି ବର୍ଷା ଫେରେ ଟ୍ରାଫିକ ଡେଇଁ।
ତରୁଣୀ ଆଖିର ଉଦାସପଣ ଭୋଗୁଥାଏ
ଟ୍ୟାକ୍ସିର ଆଇନା।

ବୁଲୁ ଭାଇ ଚାହା ଦୋକାନରେ ଖଟି ମାରେ ବର୍ଷା
ଭାଗ ବସନ୍ତି ଅଜୁ କକାଙ୍କ ଫୁଲ ଦମ୍ ସିଗାରେଟ୍
ବେଣୁ ଭାଇର ଦାନ୍ତ କାମୁଡ଼ା ଚାହା କପ୍
ଭଙ୍ଗା ବୁରୁଜ ପଛରେ
ସଦ୍ୟବିଧବା ମାଇ କୁକୁର
ଗଣ୍ଡେ ପାଞ୍ଚଟା ପିଲା ସହ
ଥୁଡୁଥୁଡୁ ଥରି ଜୀବନ ଗୀତ ଗାଉଥାଆନ୍ତି
ଛିଣ୍ଡୁନଥିବା ଗୋଟେ ଦୀର୍ଘ ସ୍ଵରରେ।

ବର୍ଷା ଏବେ ଝୁଲୁଥିଲା
ତାଜା ପେଟୁନିଆର ପାଖୁଡ଼ାରେ
ବୁନା ଭାଇର କାଉଡ଼ିଆ ଭାରରେ
ତମାଳ ଆଇର ଦଦରା ଚାଳରେ
ବାଲକୋନୀରୁ ଶୁଖୁଥିବା ଅକ୍ତାମକ୍ତା
କାହାର ପୁଞ୍ଜାଏ ବାଳରେ।

✍️ଶିବାନନ୍ଦ ବାରିକ

new life
You might also like
error: Content is protected !!