News
lipub
samparksetu

ଅର୍ଜିତ ପୁଣ୍ୟର ପ୍ରତିଶ୍ରୁତି ତୁମେ

ଅର୍ଜିତ ପୁଣ୍ୟର ପ୍ରୀତି ପ୍ରତିଶ୍ରୁତି
ଅଦୃଶ୍ୟ ବିନ୍ଧାଣି ତୁମେ
ଅନିର୍ବଚନୀୟ ଅମୃତ ସର୍ଜନା
ଅପାନ୍ତେୟ ପଥ ଧାମେ ll

ଅସୀମ ତୁମର ସୃଷ୍ଟ ଏ ସଂସାରେ
ଅୟୁତ ଆଶାର ନଈ
ଅମଳିନ  ତବ ଅନୁଶାସନରେ
ଅବନୀ ଯାଉଛି ଧାଇଁ ll

ଅପରୂପ ତୁମ ସୌନ୍ଦର୍ଯ୍ୟ ସୁଷମା
ଅଜସ୍ର ଶୁଭେଚ୍ଛା ବାଣ୍ଟି
ଅସୁମାରୀ ପାପ ଧୋଇଦିଏ ତୁମ
ଅଧାଗଢ଼ା ତନୁ କାନ୍ତି ll

ଅନେକରେ ଏକ ଏକରେ ଅନେକ
ଅସମାପ୍ତ ଚିନ୍ତାଧାରା
ଅକ୍ଷୟ ଅମ୍ଳାନ ତୁମ ଅବଦାନ
ଅନ୍ତରଙ୍ଗେ ହେଉ ଭରା ll

ଅନ୍ତର୍ଯ୍ୟାମୀ ତୁମେ ପତିତପାବନ
ଅନୁସନ୍ଧିତ୍ସାର ଭାବ
ଅନ୍ଧାରି ମୁଲକେ ଆଶାର ଆଲୋକ
ଅପାର୍ଥିବ ଅନୁଭବ ll

ଅସରା ଲୁହରେ ଭରା ମୋ ପସରା
ଅଶାନ୍ତ ମୁଁ କାହିଁ କୁହ
ଅଯାଚିତ ତୁମ ପ୍ରେମ ପାରାବାରେ
ଅକୁଣ୍ଠେ ପଖାଳେ ଦେହ ll

ଅର୍ଘ୍ୟ ଥାଳି ଧରି ରହିଛି ଅନାଇ
ଅରକ୍ଷିତା ଗୀତାଞ୍ଜଳି
ଅର୍ପଣ କରୁଛି ନିବିଡ଼ ନୈବେଦ୍ୟ
ଅସରନ୍ତି ଶ୍ରଦ୍ଧାଞ୍ଜଳି ll

✍️ଗୀତାଞ୍ଜଳି ପୃଷ୍ଟି

new life
You might also like
error: Content is protected !!