ବିଦେଶୀ ପକ୍ଷୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି ଢେଙ୍କାନାଳ ସହରରୁ ୪୦ କିମି ଦୂରରେ ଅବସ୍ଥିତ ଗଁଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ । ଗାଁ କୁ ଆସୁଥିବା ହଜାର ହଜାର ସଂଖ୍ୟାରେ ଗେଣ୍ଡାଳିଆ ପକ୍ଷୀଙ୍କ ଆଗମନ ହେଲେ ଏଠାକାର ଚାଷୀ ଚାଷ କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୁଏ। ମୌସୁମୀ ଆସିଲେ ଦଳ ଦଳ ହୋଇ ଗେଣ୍ଡାଳିଆ ଛୁଟି ଆସନ୍ତି । ଶୀତ ଆସିଲେ ଏମାନେ ଘରକୁ ବାହୁଡି ଯାଆନ୍ତି।
ଦୀର୍ଘବର୍ଷ ଧରି ଗେଣ୍ଡାଳିଆ ଦଳ ଦୂର ଜଙ୍ଗଲ ନିକଟ କୋୖଣସି ବୃକ୍ଷରେ ବାସ ନ କରି କୋଳାହଳମୟ ଷଡ଼ଙ୍ଗୀ ବଜାର ଉପରେ ଥିବା ବର ଓ ଆମ୍ବ ଗଛରେ ବସା ବାନ୍ଧନ୍ତି ।
ସାଧାରଣତଃ ବର୍ଷା ଋତୁ ଆସିଲେ ଚାଷୀ ଚାଷ କାର୍ଯ୍ୟ କରିବା ପାଇଁ ଅଣ୍ଟା ଭିଡ଼ିଥାଏ। ଭଲ ଫସଲ ପାଇଁ ଚାଷୀ ଇନ୍ଦ୍ର ଦେବତାଙ୍କ ଉପରେ ନିର୍ଭର କରିଥାଏ। ଗାଁ ଲୋକେ ଗେଣ୍ଡାଳିଆଙ୍କୁ ଇନ୍ଦ୍ରଦେବତା ବୋଲି ବିଶ୍ୱାସ କରନ୍ତି।ଗାଁର ଲୋକେ କୁହନ୍ତି ଆମ ଗାଁକୁ ଗେଣ୍ଡାଳିଆ ଆସିଲେ ଆମକୁ ଖୁସି ଲାଗେ। ଆମ ପୂର୍ବ ପୁରୁଷ ଅମଳରୁ ଆମେ ଜାଣିଛୁ ଗେଣ୍ଡାଳିଆ ଆମ ଗାଁକୁ ଆସିଲେ ଚାଷ ବାସ ଖୁବ୍ ଭଲ ହୁଏ। ଯଦି ଗେଣ୍ଡଳିଆ ଗାଁରୁ ହଠାତ୍ ଚାଲି ଯାଆନ୍ତି, କୌଣସି ଦୁର୍ଘଟଣା କିମ୍ୱା ଚାଷରେ କ୍ଷତି ହୋଇଥାଏ।
ଗଛ ଉପରେ ଦଳ ଦଳ ଗେଣ୍ଡାଳିଆଙ୍କ କାକଳିରେ କମ୍ପି ଉଠେ ଅଞ୍ଚଳ, ପ୍ରତିବର୍ଷ ଏଇ ସମୟରେ ଦେଖିବାକୁ ମିଳେ ଏଭଳି ମନୋରମ ଦୃଶ୍ୟ। ସବୁ ବସାରେ ସ୍ତ୍ରୀ-ପୁରୁଷ ଯୋଡି ପକ୍ଷୀ ଏକାଠି ଦେଖିବାକୁ ମିଳନ୍ତି ।ଏଠାରେ ରହି ଡିମ୍ବ ଫୁଟାଇ ଛୁଆ ଉଡିବା ସକ୍ଷମ ହେଲେ ଫେରିବା ଆରମ୍ଭ କରନ୍ତି ।
ଯେଉଁ ବର୍ଷ ଯେତେ ଗେଣ୍ଡାଳିଆ ଆସିବେ ସେ ବର୍ଷ ସେତେ ଭଲ ଫସଲ ହୁଏ ବୋଲି ଗାଁ ଲୋକଙ୍କ ବିଶ୍ୱାସ ରହିଛି।ଏହାକୁ ଦେଖିବାକୁ ସ୍ଥାନୀୟ ଲୋକେ ମଧ୍ୟ ବେଶ୍ ଉତ୍ସାହିତ ରହିଥାନ୍ତି। ସେଥିପାଇଁ ଏଠାକୁ ଅତିଥି ହୋଇ ଆସୁଥିବା ପକ୍ଷୀମାନଙ୍କୁ ସ୍ଥାନୀୟ ଲୋକେ ସୁରକ୍ଷା ଦେଇଥାନ୍ତି । ପକ୍ଷୀ ଶିକାର ଏଠାରେ କଡାକଡି ଭାବେ ନିଷେଧ କରାଯାଇଛି ।
