ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଦୀର୍ଘ ୧୪/୧୫ବର୍ଷ ଧରି ଡାକ୍ତର ବିହୀନ ହୋଇ ଅବହେଳିତ ହୋଇ ରହିଥିଲେ ବି ଚିକିତ୍ସା କ୍ଷେତ୍ରରେ ଉନ୍ନତି ପରିଲିକ୍ଷିତ ହେଉନାହିଁ।ଏଠାରେ ଗତ ୨୦୦୪ ମସିହାରେ ତତ୍କାଳୀନ ବିଧାୟିକା ଅଞ୍ଜଳି ବେହେରାଙ୍କ ଉଦ୍ୟମରେ ସ୍ବର୍ଗତ ମନ୍ତ୍ରୀ କାଳନ୍ଦୀ ଚରଣ ବେହେରାଙ୍କ ଦ୍ୱାରା ଉଦଘାଟିତ ୧୦ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଚକ୍ଷୁ ବିଭାଗ ଆଜି ସରକାରୀ ସ୍ତରରେ ପରିଚାଳନା ଅଭାବରୁ ଅବହେଳିତ ଅବସ୍ଥାରେ ତାଲା ପଡ଼ିରହିଛି।
ବିଭାଗୀୟ ଡାକ୍ତର, ଆସିଷ୍ଟାଣ୍ଟ ଓ କର୍ମଚାରୀ ଅଭାବ ସହ ଆବଶ୍ୟକ ଯନ୍ତ୍ରପାତି ଅଭାବ ଚକ୍ଷୁ ବିଭାଗଟିକୁ ସ୍ଥାଣୁ କରି ଦେଇଛି। ୨୧ ବର୍ଷ ମଧ୍ୟରେ ମାତ୍ର ୩ ଜଣ ଡାକ୍ତର ବିଭିନ୍ନ ସମୟରେ ଯୋଗ ଦେଇଥିବା ବେଳେ ଦୀର୍ଘ ବର୍ଷଧରି ଜଣେ ଆସିଷ୍ଟାଣ୍ଟ କାର୍ଯ୍ୟ ଅବସର ନେବାପରେ ଚକ୍ଷୁ ବିଭାଗ ସମ୍ପୂର୍ଣ୍ଣ ତାଲା ପଡିଯାଇଛି। ହିନ୍ଦୋଳ ଡାକ୍ତରଖାନା ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ପ୍ରାୟ ୨ ବର୍ଷ ପୂର୍ବେ ସଂପୃକ୍ତ ଟେକନିସିଆନଙ୍କୁ କିଛି ମାସ ଦରମା ଦେବା ପରେ ଏଥିରେ ବିଭ୍ରାଟ ହେବାରୁ ସେ କାର୍ଯ୍ୟରେ ଯୋଗ ଦେଇ ନଥିଲେ। ତା ପରଠାରୁ ଆଜକୁ ପ୍ରାୟ ୨/୩ ବର୍ଷ ହେବ ତାଲା ବନ୍ଦ ହୋଇ ରହିଛି ଚକ୍ଷୁ ବିଭାଗ। ତାମଧ୍ୟରେ ଖତ ଖାଉଛି ଅନେକ ଯନ୍ତ୍ରପାତି।
ପ୍ରାୟ ୪/୫ ବର୍ଷ ପୂର୍ବେ ଆବଶ୍ୟକ ମରାମତି ଅଭାବରୁ ବିଭାଗର ସଂଲଗ୍ନ କାନ୍ଥ କୋଣ ଗୁଡିକରେ ଫାଟସୃଷ୍ଟି ହେବାସହ ଚଟାଣ ଗୁଡ଼ିକ ଦବି ଯାଇଥିବାର ଦେଖାଯାଇଥିଲା। ପରେ ମରାମତି କରାଯାଇ ବାହାରେ ରଙ୍ଗବୋଳି ତାଲାବନ୍ଦ କରି ରଖାଯାଇଛି। ବିଭାଗୀୟ ଡାକ୍ତର କାର୍ଯ୍ୟରତ ଥିବା ସମୟରେ ଜିଲ୍ଲା ଅନ୍ଧତ୍ବ ଦୁରି କରଣ ସଂସ୍ଥା ପକ୍ଷରୁ ବିଭିନ୍ନ ସମୟରେ ଚକ୍ଷୁ ଅସ୍ତ୍ର ପ୍ରଚାର କ୍ୟାମ୍ପ କରାଯାଇ ରୋଗୀ ମାନଙ୍କୁ ଚିକିତ୍ସା ସେବା ସୁବିଧା ଯୋଗାଇ ଦିଆ ଯାଇଥିଲା,ମାତ୍ର ଏବେ ସେସୁବିଧା ଉପଲବ୍ଧ ହେଉନାହିଁ। ଗାଁ ଗହଳିରୁ ସାଧାରଣ ରୋଗୀଟିଏ ଚକ୍ଷୁ ସମସ୍ୟା ନେଇ ଏବେ ଦୁରାନ୍ତ ଅନୁଗୋଳ, ତାଳଚେର, ଢେଙ୍କାନାଳ, କଟକ ଭୁବନେଶ୍ୱର ଘରୋଇ ଚକ୍ଷୁ ଚିକିତ୍ସାଳୟକୁ ଦୌଡ଼ିଦୌଡ଼ି ଅକଥନିୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ତେବେ କାହିଁକି ନିର୍ବାଚିତ ଜନ ପ୍ରତିନିଧିଙ୍କର ଓ ସ୍ୱାସ୍ଥ୍ୟ ବିଭାଗର ଏହି ଡାକ୍ତରଖାନା ପ୍ରତି ବୈମାତୃକ ମନୋଭାବ ବୋଲି ଜନସାଧାରଣ ପ୍ରଶ୍ନ କରିବାସହ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ଜନପ୍ରତିନିଧି,ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ସମସ୍ୟା ପ୍ରତି ଗମ୍ଭୀରତାର ସହ ବିଚାର କରି ପଦକ୍ଷେପ ନେବାକୁ ଜନ ସାଧାରଣରେ ଦୃଢ଼ଦାବି ହେଉଛି।
