News
WhatsApp Image 2023-10-04 at 17.25.00
samparksetu

ଥଇଥାନ ନକରି ଘର ଭାଙ୍ଗିଲା ପ୍ରଶାସନ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କନ୍ତାମିଲା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗତ ବୁଧବାର ଅପରାହ୍ନରେ ହିନ୍ଦୋଳ ଉପଖଣ୍ଡ ପ୍ରଶାସନ ପକ୍ଷରୁ ତହସିଲଦାର ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ଆଦେଶ ମୁତାବକ ଜଣେ ଗରିବ ପରିବାରର ବାସ ଉପଯୋଗୀ ଘର ଭାଙ୍ଗି ଦେଇଛନ୍ତି ।

ସୂଚନା ମୁତାବକ ଗ୍ରାମର ଯୁଧିଷ୍ଠିର ସାହୁ ନିଜର ବାପା ଜେଜ ଅମଳରୁ ଆବାସ ଯୋଗ୍ୟ ଅନାବାଦୀ ଖାତା ସଂଖ୍ୟା ୧୧୭, ପ୍ଲଟ ସଂଖ୍ୟା ୧୯୨୯/୨୩୩୩ ଉପରେ ୬ ଡିସିମିଲ ଜାଗାରେ ଘର କରି ରହି ଆସୁଥିଲେ । ଇତି ମଧ୍ୟରେ ଭୂମିହୀନ ହେତୁ ଯୁଧିଷ୍ଠିରଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ୬ ଡିସିମିଲର ଏକ ଲିଜ୍ ଜମି ପ୍ରଦାନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଉକ୍ତ ଜମି ଚିହ୍ନଟ କରାଯାଇଥିଲେ ମଧ୍ୟ ଜାଗାର ମାଲିକାନା ଯୁଧିଷ୍ଠିର ପାଇ ପାରି ନଥିଲେ ।ଏହି ଜାଗାର କିଛି ଅଂଶରେ ସେହି ଗ୍ରାମର ଜଣେ ବ୍ୟକ୍ତି ଜୋରଜବରଦସ୍ତ ମଡ଼ାଇ ବାସ ଉପଯୋଗୀ ଗୃହ ନିର୍ମାଣ କରିଥିବାରୁ ଯୁଧିଷ୍ଠିରଙ୍କ ପରିବାର ଏଥିରୁ ବଞ୍ଚିତ ରହିଥିଲେ । ଏନେଇ ଯୁଧିଷ୍ଠିର ମାନ୍ୟବର ସିଭିଲ ଜର୍ଜ ହିନ୍ଦୋଳଙ୍କ ଅଦାଲତରେ ଦୁଇ ଦୁଇ ଥର ମାମଲା ଦାୟର କରିଥିଲେ ।

ଏଥିରେ ନିଷ୍ଫଳ ହେବାରୁ ଯୁଧିଷ୍ଠିର ଶେଷରେ ମାନ୍ୟବର ଉଚ୍ଚ ନ୍ୟାୟଳୟଙ୍କ ଅଦାଲତର ଆଶ୍ରୟ ନେଇଥିଲେ । ତାହାର କେସ ନଂ ଡବ୍ଲୁପିସି ସଂଖ୍ୟା ୧୦୨୩୩/୨୪ ମାମଲାଟି ଅଦ୍ୟାବଧି ମାନ୍ୟବର ଉଚ୍ଚନ୍ୟାୟଳୟଙ୍କ ବିଚାରଧୀନ ଥିବା ବେଳେ କିଭଳି ତହସିଲଦାର ତରବରିଆ ନିଷ୍ପତି ନେଇ ଚଳିତ ମାସ ୨୪ ତାରିଖରେ ନୋଟିସ ଜାରି କରି ୨୬ ତାରିଖରେ ବେଦଖଲ କଲେ ପ୍ରଶ୍ନ ସାପେକ୍ଷ । ପୁଣି ଜମି ଚିହ୍ନଟରେ ଭୁଲ ନିଷ୍ପତ୍ତି ଯୋଗୁଁ କିଏ ଯୁଧିଷ୍ଠିରଙ୍କୁ ଆବାସ ଯୋଜନା ଗୃହ ନିର୍ମାଣ ପାଇଁ ୨୦୨୧ /୨୨ ମସିହାରେ କାର୍ଯ୍ୟାଦେଶ ଦେବା ସହ ପାଇଖାନା ନିର୍ମାଣ ଓ ଘର ତିଆରି ଅନୁମତି ଦେଇଥିଲେ ତାହା ତଦନ୍ତ ସାପେକ୍ଷ ।

ବ୍ୟାପକ ପୋଲିସ ଫୋର୍ସ, ଅମିନ, ଆରଆଇ ଓ ତହସିଲ କର୍ମଚାରୀଙ୍କୁ ନେଇ ତହସିଲଦାର ଜେସିପି ଲଗାଇ ଘର ଉଚ୍ଛେଦ କରିବା ସମୟରେ ସପରିବାରଙ୍କ କାନ୍ଦଣା ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଥିଲା । ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅଦ୍ୱୈତ ଅମାନ୍ତ, ପୂର୍ବତନ ସରପଞ୍ଚ ସିଶିରିକା ଅମାନ୍ତ ପ୍ରମୁଖ ଏହାର ଦୃଢ ବିରୋଧ କରିବା ସହ ପ୍ରଶାସନର ପଦକ୍ଷେପକୁ ନିନ୍ଦା କରିଥିଲେ । ହିତାଧିକାରୀଙ୍କୁ ତାର ନ୍ୟାର୍ଯ୍ୟ ଦାବି ପ୍ରଦାନ ପରିବର୍ତ୍ତେ ତାକୁ ଏହିଭଳି ବେସାହାରା କରିବା କେତେ ଯୁକ୍ତି ଯୁକ୍ତ ତାହା ଯୁଧିଷ୍ଠିରଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାରୁ ଶୁଣାଣି ପରେ ଜଣାପଡ଼ିବ ।ହିନ୍ଦୋଳ ଉପଖଣ୍ଡ ତଥା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏହିଭଳି ଗୋଚର ଓ ଅନାବାଦୀ ଜମି ଉପରେ ବହୁ ବ୍ୟକ୍ତି ବିଶେଷ କୋଠା ବାଡ଼ି ଓ ଘର କରି ରହି ଆସୁଥିଲେ ହେଁ ସେଥି ପ୍ରତି ବ୍ଲକ ଓ ଉପଖଣ୍ଡ ପ୍ରଶାସନ ନଜର ଦେଉ ନଥିବାରୁ ସାଧାରଣରେ ସମାଲୋଚନା କରାଯାଉଛି ଏବଂ ଯୁଧିଷ୍ଠିରଙ୍କ ପାଇଁ ନିଆଯାଇଥିବା ପଦକ୍ଷେପ ଭଳି କେବେ ଅନ୍ୟ ଜବରଦଖଲ କାରୀଙ୍କ କ୍ଷେତ୍ରରେ ପଦକ୍ଷେପ ନିଆଯିବ ଦେଖିବାକୁ ବାକି ରହିଲା ।

new life
You might also like
error: Content is protected !!