କେନ୍ଦ୍ରୀୟ ଶିକ୍ଷା ମାଧ୍ୟମିକ ବୋର୍ଡ (ସିବିଏସଇ)ର ସହବନ୍ଧିତ ଆଇନ ୨୦୧୮ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ, ଘରୋଇ ବିଦ୍ୟାଳୟ ଖୋଲିବା ପାଇଁ ଟ୍ରଷ୍ଟରେ ଗୋଟିଏ ପରିବାରର ଏକାଧିକ ସଦସ୍ୟ ରହିପାରିବେ ନାହିଁ । ଏହାବାଦ ନନପ୍ରଫିଟ ଶିକ୍ଷାନୁଷ୍ଠାନ ଭାବରେ ସ୍କୁଲଗୁଡ଼ିକ ପଞ୍ଜୀକରଣ ହେଉଛି ସତ, କିନ୍ତୁ ପରିଚାଳନା ଖର୍ଚ୍ଚକୁ ବାଦ ଦେଲେ ଘରୋଇ ସ୍କୁଲ ମାଲିକମାନେ ଅତ୍ୟଧିକ ଲାଭ ରଖୁଛନ୍ତି ।
ଶିଳ୍ପ ସମୃଦ୍ଧ ଢେଙ୍କାନାଳ ଜିଲାରେ ଅନେକ ଘରୋଇ ସ୍କୁଲ ମାଲିକ କୋଟିପତି ସାଜିଥିବାବେଳେ ଶିକ୍ଷା ବିଭାଗ ଅଧିକାରୀମାନେ ଆୟ ବହିର୍ଭୂତ ସମ୍ପତି ଠୁଳ କରୁଥିବା ଅଭିଯୋଗ ହେଉଛି। ଘରୋଇ ସ୍କୁଲରେ ଶିକ୍ଷା ବାବଦକୁ ଦାବି ହେଉଥିବା ଦେୟ ଓ ମିଳୁଥିବା ସୁବିଧାସୁଯୋଗକୁ ଅବଲୋକନ କଲେ ଶିକ୍ଷା ଅଧିକାର ଆଇନ ଓ ସିଟିଏସ୍ର ଆଇନର ଉଲଂଘନ ହେଉଛି। ଏହିକ୍ରମରେ ବରିଷ୍ଠ ଅଧିବକ୍ତା ଅଲେଖ ଚନ୍ଦ୍ର ତ୍ରିପାଠୀ ଜିଲାପାଳଙ୍କ ସମେତ ସିବିଏସଇ ସେକ୍ରେଟାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି। ସେ ପତ୍ରରେ ଘରୋଇ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦୈୟ ଜିଲା ପ୍ରଶାସନ ନିର୍ଦ୍ଧାରଣ କରିବା ସହ ବେଆଇନ କାର୍ଯ୍ୟ ବିରୋଧରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସିବିଏସଇ ଆଇନକୁ ଉଲଂଘନ କରି ସହବନ୍ଧିତ ପ୍ରମାଣପତ୍ର ହାତେଇ ଥିବା ଅନେକ ଘରୋଇ ବିଦ୍ୟାଳୟକୁ ଜିଲା ପ୍ରଶାସନ ପକ୍ଷରୁ ସ୍ବୀକୃତି ମିଳି ନ ଥିବା ଦେଖିବାକୁ ମିଳିଛି। ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲସ୍ଥାପନ କରିବା ପାଇଁ ଉଭୟ ଜିଲା ପ୍ରଶାସନ ଓ ସିବିଏସଇ ଅନୁମତି ପତ୍ର ଆବଶ୍ୟକ ହୋଇଥାଏ। ମାତ୍ର ଜିଲାର କେତେକ ଘରୋଇ ସ୍କୁଲର ଟ୍ରଷ୍ଟ ସମ୍ପର୍କରେ ଅନୁଧ୍ୟାନ କଲେ ଜଣାପଡ଼ିଛି ଯେ, ଏକାଧିକ ପରିବାର ସଦସ୍ୟ ସେଥିରେ ରହିଛନ୍ତି। ସେହିପରି ଅନେକ ବିଦ୍ୟାଳୟରେ ଶିକ୍ଷା ଅଧିକାର ଆଇନ ଅନୁଯାୟୀ ୨୫% ପ୍ରତିଶତ ସଂରକ୍ଷିତ ସିଟ୍ରେ ଗରିବ ଛାତ୍ରୀଛାତ୍ରଙ୍କ ନାମଲେଖାକୁ ବାଦ୍ ଦିଆଯାଉଛି। ଏହାସହ ସ୍କୁଲଗୁଡ଼ିକରେ ଦିବ୍ୟାଙ୍ଗ ମୈତ୍ରୀ ପରିବେଶ ନିର୍ମାଣ ହୋଇ ନ ଥିବା ଦେଖିବାକୁ ମିଳିଛି।ଏ ନେଇ ବହୁ ପୂର୍ବରୁ ଜନତା ଦରବାରକୁ ଯାଇ ଜନମତ ଗଢ଼ି ତୋଳିବାକୁ ଓଷ୍ଟାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପରି ଗ୍ରହଣ କରାଯାଇଥିଲା। ଏହା ସତ୍ତ୍ୱେ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଇ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ପରୋକ୍ଷରେ ପ୍ରୋସାହନ ଦିଆଯାଉଥିବା ଅଭିଯୋଗ ହେଉଛି।
କେତେକ ଘରୋଇ ଶିକ୍ଷାନୁଷ୍ଠାନରେ ସ୍ବୀକୃତି ପ୍ରମାଣପତ୍ର ବା ସିଓଆର୍( ସାର୍ଟିଫିକେଟ ଅଫ ରିକଗ୍ନାଇଜେଶନ) ନାହିଁ ଏହାସହ ଆବଶ୍ୟକ ଡିଗ୍ରୀ ନ ଥିବା ଶିକ୍ଷୟିତ୍ରୀ
ଶିକ୍ଷକ ମାନଙ୍କୁ ନିଯୁକ୍ତି ଦେଇ ଘରୋଇ ସ୍କୁଲଗୁଡ଼ିକ ବ୍ୟବସାୟରେ ମାତିଛନ୍ତି। ଅଥଚ ଏହାର ନିରାକରଣ ପାଇଁ ଗଣଶିକ୍ଷା ଓ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ଏଯାଏ ଗ୍ରହଣ ହୋଇନାହିଁ। ଶିକ୍ଷାନୁଷ୍ଠାନ ଗୁଡ଼ିକର ଭିତ୍ତିଭୂମି ତଥା ଅନ୍ୟାନ୍ୟ ଦିଗଗୁଡିକୁ ଯାଞ୍ଚ କରା ନ ଯାଇ ସ୍ବୀକୃତି ଦିଆଯାଇଛି। ସ୍ବୀକୃତି ପାଇଥିବା ଶିକ୍ଷାନୁଷ୍ଠାନ ଗୁଡ଼ିକର ଆବଶ୍ୟକ ଜମି ଏବଂ ଶ୍ରେଣୀ ଗୃହ ଅଛି କି ନାହିଁ, ଉପଯୁକ୍ତ ଫୋରମରେ ପରିଚାଳନା କମିଟି ଗଠନ ହୋଇଛି ନା ନାହିଁ, କମିଟି ରେଜିଷ୍ଟ୍ରି ଭୁକ୍ତ କି ନୁହେଁ ପ୍ରଭୃତି ଦିଗ ଉପରେ ମନୋନୀତ ଏକ ସ୍ବତନ୍ତ୍ର ଟିମ ଯାଞ୍ଚ କରିବେ ବୋଲି ଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଥିଲା।ହେଲେ କୌଣସି ଯାଞ୍ଚ କିମ୍ବା କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏପରିକି ଭଡାଘରେ ସ୍କୁଲ ଚାଲିଥିଲେ ହେଁ ତାଜୁ ସ୍ବୀକୃତି ଦିଆଯାଉଛି ବୋଲି ଅଭିଯୋଗ ହୋଇଛି। ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀ, ନିର୍ବାଚିତ ନେତୃବର୍ଗଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାଇବାକୁ ବାଧ୍ୟତାମୂଳକ କରାଗଲେ ସରକାରଙ୍କ ଶିକ୍ଷା ଅଧିକାର ଆଇନର ଯଥାର୍ଥତା ରହିବ ବୋଲି ମତ ପ୍ରକାଶ ପାଇଛି। ଯାହାର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ମାନବାଧିକାର କର୍ମୀ ସଞ୍ଜୟ ନାୟକ। ଜିରାଳ ଠାରେ ନୂତନ ଭାବେ ଖୋଲିବାକୁ ଯାଉଥିବା ଏକ ବିଦ୍ୟାଳୟରେ ନାମ ନ ଲେଖାଇବାକୁ ଜିରାଳ ସି ଆର୍ ସି ସି ଅଶୋକ ମିଶ୍ରଙ୍କ WhatsApp କୁ. ଆସିଥିବା ଚିଠି ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଚିଠିରେ ନମ୍ବର ଓ ତାରିଖ ନଥିବାରୁ ସନ୍ଦେହ ସୃଷ୍ଟି ହୋଇଛି। ଜିରାଳ ସି ଆର୍ ସି ସି ଅଶୋକ ମିଶ୍ର କୁହନ୍ତି ବି ଇ ଓ ଅଫିସ ରୁ ଚିଠି ଆସିଥିଲା । ସଂପୃକ୍ତ ସଂସ୍ଥା କୁ ପ୍ରଦାନ କରିଛି।
