News
lipub
samparksetu

ବ୍ଲକ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ

ଢେଙ୍କାନାଳ ସହର ଅନ୍ତର୍ଗତ ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ୍‌ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ବୁଧବାର ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ସେ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଉକ୍ତ “ଜୟ ଜବାନ୍‌ ଜୟ କିଶାନ୍‌, ଓ ଜୟ ବିଜ୍ଞାନ ” କୁ ଉଦ୍ଧାର କରି କହିଲେ ଯେ, ଯେଉଁ ସମାଜରେ ସୈନିକ, କୃଷକ ଓ ବିଜ୍ଞାନର ବିକାଶ ଘଟିବ ସେ ସମାଜ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜରେ ପରିଣତ ହୋଇପାରିବ । ତେଣୁ ସେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନମନସ୍କ ହୋଇ କାର୍ଯ୍ୟସମ୍ପାଦନ କରିବାକୁ ପରାମର୍ଶ ଦେଇଥିଲେ ।

ସଦର ବି.ଇ.ଓ. ବ୍ରହ୍ମାନନ୍ଦ ରାଉତ, ଅଧ୍ୟକ୍ଷତା କରି ବିଜ୍ଞାନ ପ୍ରଯୁକ୍ତି ବଦ୍ୟା ଆମର ଜୀବନକୁ ସୁରକ୍ଷିତ ଓ ଦୀର୍ଘଜୀବି କରିଛି । କୁନି ବୈଜ୍ଞାନିକମାନେ ଏହି ଜ୍ଞାନକୁ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ସଂପ୍ରସାରିତ କରି ଏକ ସୁସ୍ଥ ସମୃଦ୍ଧଶାଳୀ ସମାଜ ଗଠନ କରିବାକୁ ପରାମର୍ଶ ଦେଇଥିଲେ । ଡି.ଇ.ଓ. ନିବେଦିତା ପାଣି ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନର ଦୂରୁପୋଯୋଗ ହେତୁ ୟୁକ୍ରେନ୍‌ରେ କିପରି ଧ୍ୱଂସର ତାଣ୍ଡବ ସୃଷ୍ଟି ହୋଇଛି ସେ ସଂପର୍କରେ ଆଲୋକପାତ କରିଥିଲେ । ତେଣୁ ବିଜ୍ଞାନର ଗବେଷଣାଲବ୍ଧ ଜ୍ଞାନକୁ ଜନକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ସେ ମତପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ମିନତୀ ଦେହୁରୀ ଓ ରାଧାଦେଈପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବନବିହାରୀ ବାରିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀର ଆଭିମୁଖ୍ୟ ଓ ଉପଯୋଗିତା ସଂପର୍କରେ ଆଲୋକପାତ କରିଥିଲେ ।

ଏହି ଅବସରରେ ପ୍ରାଥମିକ ସ୍ତରରେ ୩୭ଟି ଓ ମାଧ୍ୟମିକ ସ୍ତରରେ ୩୪ଟି ପ୍ରକଳ୍ପ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା । ସିମିଲିଆ ଉ.ପ୍ରା. ବିଦ୍ୟାଳୟର ଛାତ୍ର ସୂର୍ଯ୍ୟନାରାୟଣ ପୃଷ୍ଟି, ବଣସିଂହ ଉ.ପ୍ରା.
ବିଦ୍ୟାଳୟର ଛାତ୍ରୀ ସୁପ୍ରିୟା ସ୍ୱାଇଁ, ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟର ଛାତ୍ର ଆଶୁତୋଷ ତ୍ରିପାଠୀ, ଫକୀର ମୋହନ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଭାଗ୍ୟଶ୍ରୀ ସାହୁ ଓ ଶ୍ରୀ ଅରବିନ୍ଦ ସମନ୍ୱିତ ଶିକ୍ଷା କେନ୍ଦ୍ର, ମାତୃଭବନ, ବାରଦାର ଛାତ୍ରୀ ପ୍ରଜ୍ଞାସିନୀ ବେହେରାଙ୍କ ଦ୍ୱାରା ନିର୍ମିତ ପ୍ରକଳ୍ପ ଗୁଡିକ ଶ୍ରେଷ୍ଠ ବିବେଚିତ ହୋଇ ଜିଲ୍ଲାସ୍ତରକୁ ମନୋନିତ ହୋଇଛନ୍ତି ।

ଅପରାହ୍ନରେ ଏବିଇଓ ଅଦ୍ୱୈତ କୁମାର ସମାଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଏ.ଡି.ଇ.ଓ ସସ୍ମିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରିଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସୁକାନ୍ତ ସାହୁ, ଓ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଙ୍କରାନ୍ତିପୁରର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ମଲ୍ଲିକ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପଗୁଡିକର ମୂଲ୍ୟାୟନ କରିଥିଲେ । ପ୍ରାରମ୍ଭରେ ଏସଡି ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଶିକ୍ଷକ ପ୍ରଦ୍ୟୁମ୍ନ ଦାସ ଓ ମାନସ ସାହୁ ଏ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଏବିଇଓ ଦେବବ୍ରତ ନାଥ, ଭଗବାନ ବେହେରା, ସମସ୍ତ ସିଆର୍‌ସିସି, ଶିକ୍ଷକ ପ୍ରଶାନ୍ତ ପଣ୍ଡା, ଦେବୀ ପ୍ରସାଦ ମିଶ୍ର, ବିଷ୍ଣୁ ମଲ୍ଲିକ, ବିଚିତ୍ରାନନ୍ଦ ବେହେରା, ଲାଲୁ ପ୍ରସାଦ ସେନ୍‌, ଶିକ୍ଷୟିତ୍ରୀ ସୁଲୋଚନା ଭୂତିଆ, ରୂପାଲି ସିଂହ ପ୍ରମୁଖ ସହଯୋଗ କରିଥିଲେ ।

new life
You might also like
error: Content is protected !!