News
lipub
samparksetu

ଶମଶାନେ ଦୀପାବଳି

ଶମଶାନେ ଏ କି! ଦୀପାବଳି,
ଦେଉଛି କେ ମଣିଷର ବଳି।
ହାଡ଼ର ଆହୁତି ଦିଏ,
ଅଥର୍ବ ଏ ଶାସନର ଗଳି।

କାହିଁ ସେଇ ଅଦୃଶ୍ୟ ଜୀବାଣୁ,
ସ୍ପନ୍ଦନ ରହିତ କରି
ଦୁନିଆକୁ କରିଛି ଯେ ସ୍ଥାଣୁ ।

ବେତାଳଙ୍କ ନିର୍ବାଚନୀ ସଭା,
ନରହନ୍ତା ହୁଏ ସେଠି ଉଭା।
ହଳାହଳ ବିଷର ପ୍ରସାଦ,
ଚଳୁ କରି ନାଚେ ମଦମତ୍ତ।

ରଚି ଏହି ମୃତ୍ୟୁ ବିଭୀଷିକା,
ଉଡାଏ ଯେ ବିଜୟ ପତାକା।
ଶ୍ୱାସରୁଦ୍ଧ ଶବ ପରେ ଚଢି,
ଗର୍ବେ ଗଢେ ପ୍ରାସାଦର ଚୂଡ଼ା।

ସେଥିରେ ଏ ଶାନ୍ତ ଶୁଭ୍ର ଛବି,
ସତେ ଅବ ଫୁଟନ୍ତା କରବୀ!
ପ୍ରେତାତ୍ମା ସେ ଯେ ବହୁରୂପୀ।
କହିରଖେ ଥିବ ନିଶ୍ଚେ ଜଗି।

ଉଠେ ଯେତେ ଚିତାଭସ୍ମ ଝଡ଼,
ଉଲଗ୍ନ ସେ ଭାସମାନ ମଢ଼।
ଖୋଲେ ନୂଆ ମୃତ୍ୟୁର ଦୋକାନ।
ସାରା ଦେଶ ହେଲା ଶମଶାନ।

ଧୂର୍ତ ଏହି ପିଶାଚର ଦଳ,
ଚଳାଇଛି ଛଦ୍ମବେଶୀ କଳ।
ଜାତିଟାକୁ କରି ବାଟ ବଣା,
କରିଛି ସେ ମୃତ୍ୟୁର ସର୍ଜନା।

ଧୂଳି ଝାଡି ଉଠିବ କପାଳୀ,
ମୃତ୍ୟୁ ଶେଷେ ନାହିଁ ତାର ଧର୍ମ,
ନାହିଁ କିଛି କଳି।
ଶବାଧାରେ ଯାଇଥିଲା ସଢ଼ୀ।
ନିରବ ଆତ୍ମାରୁ ତାର,
ଉଠିବ ଯେ ଭୟାବହ ରଡି।
ଧୋଇଦେଵ ଆଖିରୁ ପରଳ,
ଜାଳିଦେଵ ସବୁ ମାୟାଜାଲ।
ସ୍ନେହରେ ବିକଳ ମନ
ଖୋଜିବ ସେ ନୂତନ ସକାଳ।

✍️ଡ଼ଃ ସିଦ୍ଧାର୍ଥ ଭରଦ୍ୱାଜ

new life
You might also like
error: Content is protected !!