News
lipub
samparksetu

ଘୋଷ ଯାତ୍ରା

ଆଷାଢ଼ ଶୁକ୍ଳ ଦ୍ଵିତୀୟା ଗୋ
       ଫୁଲ ବଉଳ ବେଣୀ
ଶ୍ରୀକ୍ଷେତ୍ରେ ଚାଲିଛି ଶ୍ରୀଗୁଣ୍ଡିଚା ଯାତ
ପଡେ ଉଠେ ବଡ଼ଦାଣ୍ଡ ଗୋ
        ଫୁଲ ବଉଳ ବେଣୀ…  ।

ତାଳଧ୍ୱଜେ ବଳଭଦ୍ର ଗୋ
       ଫୁଲ ବଉଳ ବେଣୀ
ଦର୍ପଦଳନରେ ସୁଭଦ୍ରା ଭଉଣୀ
ନନ୍ଦିଘୋଷେ ଚକାଆଖି ଗୋ
       ଫୁଲ ବଉଳ ବେଣୀ… ।

ବାଇଶି ପାହାଚେ ଦେଖ ଗୋ
        ଫୁଲ ବଉଳ ବେଣୀ
ଧାଡ଼ି ପହଣ୍ଡିରେ ଠାକୁରେ ଆସନ୍ତି
ମଥାରେ ଟାହିଆ ଝୁମ୍ପା ଗୋ
         ଫୁଲ ବଉଳ ବେଣୀ… ।

ତୂରୀ ଭେରି ଘଣ୍ଟ ମାଡ ଗୋ
       ଫୁଲ ବଉଳ ବେଣୀ
ଦଇତା ପତିଏ ବ୍ରହ୍ମଙ୍କୁ କୁଣ୍ଢେଇ
ପୋଛନ୍ତି ଶ୍ରୀଅଙ୍ଗୁ ଝାଳ ଗୋ
       ଫୁଲ ବଉଳ ବେଣୀ…।

ତାମ୍ ଜାନେ ଗଜପତି ଗୋ
       ଫୁଲ ବଉଳ ବେଣୀ
ତିନି ରଥେ ଛେରା ପହଁରା କରିବେ
ସୁନା ଝାଡୁ ହାତେ ଧରି ଗୋ
       ଫୁଲ ବଉଳ ବେଣୀ…।

ଡାହୁକ ଛାଡ଼ିବ ରଡ଼ି ଗୋ
       ଫୁଲ ବଉଳ ବେଣୀ
ଭକତ ହାତରେ ରଥର ଦଉଡ଼ି
ଘିଡି ଘିଡି ଯିବ ଗଡି ଗୋ
       ଫୁଲ ବଉଳ ବେଣୀ…।

ମୁଖରିତ ନୀଳାଚଳ ଗୋ
       ଫୁଲ ବଉଳ ବେଣୀ
ଜଗତ ଜନଙ୍କୁ ଉଦ୍ଧାରିବା ପାଇଁ
ଉଭା ସ୍ଵୟଂ କ୍ଷେତ୍ରପାଳ ଗୋ
       ଫୁଲ ବଉଳ ବେଣୀ…।

ଜନ୍ମବେଦୀ ଅଛି ଯହିଁ ଗୋ
       ଫୁଲ ବଉଳ ବେଣୀ
ସେଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ
ସାତ ଦିନ ପାଇଁ ସାଇଁ ଗୋ
       ଫୁଲ ବଉଳ ବେଣୀ…।

ହୋଇଲେ ଦଶମୀ ତିଥି ଗୋ
       ଫୁଲ ବଉଳ ବେଣୀ
ବାହୁଡି ଆସିବେ ଚତୁର୍ଦ୍ଧା ମୂରତି
ଝୁରୁଥିବ ରତ୍ନବେଦୀ ଗୋ
       ଫୁଲ ବଉଳ ବେଣୀ…।

ସୁନାବେଶ ହେବେ ନାଥ ଗୋ
       ଫୁଲ ବଉଳ ବେଣୀ
ସଞ୍ଜେ ଲାଗି ହେବ ଶ୍ରୀଅଧରେ ପଣା
ତା ପରେ ନୀଳାଦ୍ରି ବିଜେ ଗୋ
        ଫୁଲ ବଉଳ ବେଣୀ…।

          
✍️ଡ଼.ସୌମ୍ୟେନ୍ଦ୍ର ମିଶ୍ର
         

new life
You might also like
error: Content is protected !!