News
lipub
samparksetu

ମାଆ ଆସୁଛନ୍ତି ସରଗୁ ଓହ୍ଲାଇ

ବରଷାର ଅନ୍ତେ ଆସିଛି ଶରତ
ଚପଳା ପ୍ରକୃତି ସାଥେ
ଚାମର ହଲେଇ ହସେ କାଶତଣ୍ଡୀ
ଶୁଭ୍ର ଧବଳ ପଥେ ll

ଆସିବ ଆସିବ ପାରବଣ ଋତୁ
ଧରା ହେବ ଚମତ୍କାର
ଘୁଞ୍ଚିଯିବ କ୍ଳେଶ ଭରିଯିବ ହସ
ପ୍ରାଣେ ପ୍ରାଣେ ପୁଲକର ll

ମାଆ ଆସୁଛନ୍ତି ସରଗୁ ଓହ୍ଲାଇ
ଦିବ୍ୟ ସାଜସଜା ନେଇ
ଦରଶନ କରି ମାନବ ପରାଣ
ଶାନ୍ତ ହେବ ଦୁଃଖ ଫେଇ ll

ପଡ଼ିଆ ପ୍ରାନ୍ତର ନଈପଠା ବିଲେ
ନୈସର୍ଗିକ ଶୋଭା ରାଶି
ଭରା କାଶତଣ୍ଡୀ ଧବଳ ମୂରତି
ସତେକି ଦେଉଛି ହସି ll

ନିର୍ମଳ ଗଗନେ ରୂପା ଜହ୍ନ ଶୋହେ
ଦିଶେ କେଡ଼େ ଶୋଭାମୟ
ସରସୀରେ ପଦ୍ମ,କଇଁ ଫୁଟିଲେଣି
ଚନ୍ଦ୍ରମାରେ ରଖି ଲୟ ll

ଶକ୍ତି ଦାୟିନୀ ସେ ମୁକ୍ତି ପ୍ରଦାୟିନୀ
ମାଆଙ୍କର ଆବାହନ
ଉଛୁଳି ଉଠୁଛି ଦିବ୍ୟ ଶୋଭା ରାଶି
ମର୍ତ୍ତ୍ୟେ ରଚି ପୁଷ୍ପାଙ୍ଗନ ll

ହେନା,ଯାଈ,ଯୁଇ,ବଉଳ,ମାଳତୀ
ଧବଳ ଲୋହିତ ବର୍ଣ୍ଣେ
ବିଛାଡି ଦିଅନ୍ତି ସରଗ ସୁଷମା
ଦେବତାର ମନ ଜିଣେ ll

ଭଳି ଭଳି ରଙ୍ଗ ସୁବାସ ସାଥୀରେ
ରହିଛି ଅମୀୟ ଭରି
କି ସୁନ୍ଦର ଶୋଭା କେଡ଼େ ମନ ଲୋଭା
ମରତ ଉଠୁଛି ପୂରି ll

ଘେନ ମା’ ପ୍ରଣତି କରୁଛି ମିନତି
ଅଧମ ଏ ତୁମ ପଦେ
ତଵ ଶ୍ରଦ୍ଧା ଦୃଷ୍ଟି ରଖିବ ମୋ ଠାରେ
ଛନ୍ଦ ତୋଳୁଥିବି ଶବ୍ଦେ ll

   ✍️ ଗୀତାଞ୍ଜଳି ପୃଷ୍ଟି

new life
You might also like
error: Content is protected !!