News
lipub
samparksetu

ମୋ ଗାଁ

ଦୂର ଦିଗବଳୟ ରେ ବାଦଲ ପରି
ସ୍ମୃତି କାନଭାସ ରେ ଆଜି, ଉଙ୍କି ଉଠେ ମୋର ଗାଁ
ବ୍ରାହ୍ମଣୀ ତୀରରେ ଅବସ୍ଥିତି ଯାର
ରାୟନୃସିଂହ ପୁର ତା ନାଁ

କେତେ ଯେ ପଣ୍ଡିତ ଜ୍ଞାନୀ ବଇଷ୍ଣବ
ଜନମି ଯା ଅଙ୍କ କଲେ ଉନ୍ନତ
ଢେଙ୍କାନାଳ ଗଡ ରାଜା ପରା ଏଠି
ଦିନେ କରୁଥିଲେ ସସମ୍ମାନେ ମଥାକୁ ନତ

ଏଇ ଗାଁ ବିଲ ଆମ୍ବତୋଟାରେ
କଟିଥିଲା ଯହିଁ ମୋ ପିଲାଦିନ
ପେଚିଠାକୁରଣୀ କଇଁଆ ମୂଳରେ
କେବେ ସରିଲା ସମୟ ହେଲାନି ଜ୍ଞାନ

ଆଶ୍ୱିନ ମାସର ଷୋଳପୂଜା ରେ
ମାଆ ସିଦ୍ଧେଶ୍ୱରୀ ମନ୍ଦିରେ ଯାଇ
ସନ୍ଧ୍ୟା ଆଳତି ରେ ଦେଉଳ ବେଢା ରେ
ଖାଉଥିଲୁ ଭୋଗ ଧାଡ଼ି ଲଗେଇ

ଦଶହରା ଯଜ୍ଞ ମନ୍ତ୍ର ଉଚ୍ଚାରଣ
କାମନା ମନ୍ଦିର ଝାମୁ ଯାତରା
ଚଇତ ମାସରେ ଦଣ୍ଡ ପରବରେ
ଦଣ୍ଡୁଆ ନାଚନ୍ତି ଖାତିର ନକରି ଖରା

ଗଡଚଣ୍ଡୀ ଛନ୍ତି ହଦଗଡ଼ ଠାରେ
ଡାକିଲେ ଭକତ ହରନ୍ତି ଦୁଃଖ
ମକର ଯାତ ଯେ ଦେଖିଛି ସେଠାରେ
ବୁଲିଛି ସେ ଘଞ୍ଚ ବଣମୁଲକ

ଫଗୁଣ ମାସର ଦୋଳ ଯାତରା ରେ
ରାଧାକୃଷ୍ଣ ଦୁଇ ଯୁଗଳ ମୂର୍ତ୍ତି
ଗୋପାଳ ପୁଅଙ୍କ ଲଉଡି ଖେଳରେ
ଅବିର ଖେଳନ୍ତି ଆନନ୍ଦେ ମାତି

ଦ୍ଵାପର ଯୁଗର ଗୋପ ବୃନ୍ଦାବନ
ଗାଁ ଆମ ସତେ ଯାଏ ପାଲଟି
ଚାଚେରୀ ବୁଲନ୍ତି ଫଗୁଦଶମୀ ରୁ
ବିମାନ ରେ ରାଧାକୃଷ୍ଣ ଙ୍କ ମୂର୍ତ୍ତି

ଦୋଳମଣ୍ଡପ କୁ ମେଳଣ ପଡିଆ
ହେରିକା ଦହନ ଚାଚେରୀ ବୁଲା
ଲଉଡି ଖେଳର ମତୁଆଲା ଦୃଶ୍ୟ
ଆଜି ସତେ ମୋତେ ସପନ ହେଲା

ନିଘଞ୍ଚ ଅନ୍ଧାର ଆମ୍ବତୋଟା ମଧ୍ୟେ
ଅନ୍ଧାରୀ ବାଉତୀ ମାଆ ଙ୍କ ପୀଠ
ମାଜଣା ହୁଅଇ ସଙ୍କରାନ୍ତି ଦିନ
ଦିନ ଥାଉ ଥାଉ ନକରି ମଠ

ଶ୍ରୀ କୁମ୍ଭେଶ୍ୱରଙ୍କ ଠାରେ ଗ୍ରାମହୋମ
ବୁଢ଼ାଲିଙ୍ଗ ସେ ଅଟନ୍ତି ପ୍ରତ୍ୟକ୍ଷ
ଗ୍ରାମସଭାରେ ଯେ ନିଶାପ ହୁଅଇ
ସଭିଏଁ ରଖନ୍ତି ନିଜର ପକ୍ଷ

କାର୍ତ୍ତିକ ପୂର୍ଣ୍ଣିମା ଦିନ ଡଙ୍ଗା ଭସା
ବଡ଼ି ସକାଳରୁ ନଦୀ ଗାଧୁଆ
ବୋଇତ ବନ୍ଦାଣ ଦେବତା ଦର୍ଶନ
ମାସଟି ଯାକର ହବିଷ ଖିଆ

କୁଆଁର ପୁନେଇ ଜହ୍ନିଓଷା ଗୀତ
ଭୋଦୁଅ ମାସରେ ଖୁଦୁରୁକୁଣୀ
ରଜଗୀତ ଗାଇ ଦୋଳି ଖେଳୁଥିଲେ
ଆନନ୍ଦ ମନରେ ଆମ ଗାଁ ତରୁଣୀ

ବଇଶାଖ ମାସେ ସପତା ହୁଅଇ
ଭାଗବତ ନିତି ହୁଏ ପଠନ
ବହି ବଢ଼ାହୁଏ ଖିରିସା ଭୋଗରେ
ବୈଶାଖ ମାସର ପୁନେଇଁ ଦିନ

ରଥଯାତ୍ରା ହୁଏ ଦାଣ୍ଡପହଁରା ଯେ
ଆଉ ଯେତେ ଓଷା ବରତ ମାନ
ଯେତେ ବଖାଣିଲେ ସରିବ ଟି ନାହିଁ
ସରିଗଲା ସିନା ମୋ ପିଲାଦିନ

ମନେପଡେ ପୁଣି ଗାଁ ପାଟକୂଳ
ଖପରମୂଳକ ଗାଧୁଆ ବେଳ
ଡେଇଁଡେଇଁ ଯେବେ ଧରା ପଡୁଥିଲୁ
ହୁରୁଦା ସାରେ ଆସି ଧରନ୍ତି ଚୁଳ

ଗାଁ ସ୍କୁଲ ର ପ୍ରାର୍ଥନା ସଭାରେ
ଏକ ସୁରେ ଆମେ ପ୍ରାର୍ଥନା ବୋଲୁ
ଛୁଟି ହେଲା ପରେ କୁଦିଆ ବାଡ଼ିରେ
ସାଙ୍ଗସାଥୀ କେତେ ପ୍ରକାରେ ଖେଳୁ

ବ୍ରାହ୍ମଣୀ ନଦୀର ସୁଅ ପରି କେବେ
ଚାଲିଗଲା ଏ ସମୟ ହେଲାଣି ଜାଣି
ମନେ ପଡିଗଲେ ପିଲାଦିନ କଥା
ଅଜାଣତେ ବହେ ଆଖିରୁ ପାଣି

ଫେରି ଆସନ୍ତା କି ସେ ଖୁସିର ଦିନ
ଦେବାକୁ ଉତ୍କୋଚ ନୁହେଁ ଅମଙ୍ଗ
ସମୟ କରନ୍ତା ପୁଣି ପଛକୁ ଯେ ଗତି
ଫେରି ଆସନ୍ତା ମୋର ଏ ଜୀବନେ ରଙ୍ଗ

new life
You might also like
error: Content is protected !!