News
lipub
samparksetu

।। ଅସ୍ପଷ୍ଟ କଳ୍ପନାର ସ୍ପଷ୍ଟ ଏକ ପରିଭାଷା ।।

ମୋର ଭାବନାର ଝରଣାରେ
କୁଳୁ କୁଳୁ ହୋଇ ବହିଯାଉଥିବା
ସ୍ରୋତଟେ ତୁ
ମୋ ଜୀବନର ଅଭୁଲା ସ୍ମୃତିର ଅନୁଭୁତିରେ
ଧଳା କାଗଜର ପୃଷ୍ଠଭୂମିକୁ
ଆଲୋଡ଼ିତ କରୁଥିବା ଓ
ଲେଖନୀ ମୁନରୁ ଝରି ଆସୁଥିବା
ସ୍ୟାହିଟେ ତୁ
ମୋ କବିତାର ଅସ୍ପଷ୍ଟ କଳ୍ପନାର
ସ୍ପଷ୍ଟ ଏକ ପରିଭାଷାଟେ ତୁ

ପ୍ରତିଟି ବିନିଦ୍ର ରଜନୀର ଅବଶେଷେ
ପୃଥିବୀ କୋଳରେ ଲୋଟି ପଡ଼ୁଥିବା
ଗଙ୍ଗଶିଉଳିର ଆତ୍ମତୃପ୍ତିଟେ ତୁ
ଘାସ ଗଲିଚାର କାକର ବିନ୍ଦୁରେ
ଉଷ୍ମତାର ଆନନ୍ଦକୁ କ୍ଷଣେ ଅନୁଭବର
ଅଭିନବ ଅପେକ୍ଷାଟେ ତୁ
ମୋ କବିତାର ଅସ୍ପଷ୍ଟ କଳ୍ପନାର
ସ୍ପଷ୍ଟ ଏକ ପରିଭାଷାଟେ ତୁ

ଉଡି ବୁଲୁଥିବା ଚଢ଼େଇର
ଆକାଶ ଉପରେ ଅଧିକାର ଜାହିର
ଓ ଅଭିମାନର ଅନନ୍ୟ ମିଶ୍ରଣଟେ ତୁ
ଅପରିଚିତ ଚଲାପଥରେ
ପରିଚିତ ଏକ କାହାଣୀର
ଉପସଂହାରର ଦୀର୍ଘଶ୍ୱାସରେ
ଶାନ୍ତିର ଆଶ୍ଵାସନାଟେ ତୁ
ମୋ କବିତାର ଅସ୍ପଷ୍ଟ କଳ୍ପନାର
ସ୍ପଷ୍ଟ ଏକ ପରିଭାଷାଟେ ତୁ ।

✍️ ମନୀଷା ତ୍ରିପାଠୀ

new life
You might also like
error: Content is protected !!