News
lipub
samparksetu

ତୁମେ ଗଲା ପରେ

ତମାମ ଆକର୍ଷଣରେ ବିରାମ ଲଗେଇ ଦେଇ,
ତୁମେ ଗଲା ପରେ,
କେବଳ ମୁଁ ଆଉ ମୁଁ ଅଛି,
ତୁମେ କ’ଣ ଭାବିଥିଲ !?
ମୁଁ ବି କ’ଣ ମୋଠାରେ ବିରାମ ଲଗେଇ ଥା’ନ୍ତି??

କେମିତି ଲଗେଇ ଥା’ନ୍ତି !!
ଏ ମୋ ପଣରେ ଏବେ ବି ପା’ ତୁମେ ଅଛ,
ଦୂରତା ଲମ୍ବି ଗଲେ କ’ଣ ହେଲା,
ଏବେ ବି ମୁଁ ପା’ ତୁମପାଖେ ଝୁଣ୍ଟୁଛି,
ସେ ନଥିବା ପଣରେ ବି ତୁମକୁ ଅନୁଭବୁଛି ।

ମୋ ଇଚ୍ଛାର ପକ୍ଷୀକୁ କେବେଠୁ ଉଡେଇ ଦେଇଛି,
ପଞ୍ଜୁରୀକୁ ଖାଲି କରିଦେଇ ନିଜକୁ ବାନ୍ଧି ଦେଇଛି,
ଅଳଙ୍କାରକୁ ଅଙ୍ଗରୁ କାଢି ଦେଇ ତୁମକୁ ବୋଳି ଦେଇଛି,
ଯେମିତି ମୋ ଶ୍ରୀଙ୍ଗାରରେ ତୁମ ପ୍ରତିଛବି ଆଙ୍କିଛି ।

ସେବେ ମୋ ଲଜ୍ଜା ସବୁ ଉତୁରୁ ଥିଲେ,
ତୁମ ମୋହର ଆଖି ସାମ୍ନାରେ,
ଏବେ ଶ୍ରୀଙ୍ଗାର ସବୁ ଉତୁରୁଛନ୍ତି ଆଇନା ସାମ୍ନାରେ,
ତଥାପି ତୁମେ ଲୁଟୁଛ ମୋପଣର ବୈଦେହୀକୁ,
ତୁମ ଅସ୍ତିତ୍ବର ଆବେଶ ଲଗେଇ,
ଲୁହତକ ନିଗିଡି ସିନା ପଡନ୍ତି କଜ୍ଜଳତଳୁ,
ହେଲେ କଷ୍ଟ ସବୁକୁ ଜାବୁଡି ଧରି,
ମୋ ନାଲି ଓଠ ଏବେ ତୁମ ନାମ ଉଚ୍ଚାରୁଛି ।

ତୁମେ କ’ଣ ଭାବିଥିଲ !?
ତୁମେ ଗଲା ପରେ ,
ମୁଁ ବି ବାଛିନେବି ମୋ ଭାଗର ଅମଡା ବାଟକୁ,
ହେଲେ ସେଠି ବି ମୋ ପାଦ ଏବେ ବି ଝୁଣ୍ଟୁଛି,
ତଳେ ପଡୁ ପଡୁ ନିଜକୁ ସମ୍ଭାଳି ନେଉଛି,
କାହିଁକି ଜାଣ??
ମୋ ହାତଧରି ତୁମେ ଏବେ ବି କହୁଛ,
ବାଟ ଭାଙ୍ଗିପାରେ,
ହେଲେ ତୁମେ ଭାଙ୍ଗି ପାରିବନି ମୁଁ ଥିବା ଯାଏଁ ।

✍️ଜ୍ୟୋତିର୍ମୟୀ ସାହୁ

new life
You might also like
error: Content is protected !!