News
lipub
samparksetu

ଗୋଲାପ ଋଷିଛି

ଗୋଲାପ ଋଷିଛି ହାତରେ ମୋହର
ପ୍ରିୟାର ସ୍ପର୍ଶକୁ ଭୁଲି
ପ୍ରିୟାର ବିରହେ ଅଶ୍ରୁର ରୁଧିରେ
ରଙ୍ଗ ତା’ ହୋଇଛି ନାଲି
କାଳେ ପ୍ରିୟା ମୋ ଫେରିବ ବୋଲି,
ଏତିକି ଆଶାରେ ବଂଚିଛି ଗୋଲାପ
ପାଇବାକୁ ସେଇ ସ୍ପର୍ଶ ଟିକେ ଖାଲି    ||

ଡାଏରୀ ଭିତରେ ଚିଠିର ମେଳରେ
ତୁମ ଶବ୍ଦର ଚୁମ୍ବନ
ଚୁମ୍ବନକୁ ପାଇ ଶୁଖିଯିବ ହେଲେ
ମରିବନି ଏଇ ମନ
କେଡ଼େ ନିରୀହ ତୋର ଜୀବନ
ଝୁରି ଝୁରି ପଛେ ଝଡ଼ି ଯିବ ସିନା
ହେଲେ ଆସିବନି ସେଇ ଦିନ     ||

କଳଙ୍କ ରଙ୍ଗରେ ରଙ୍ଗୀନ କାଗଜ
କବିତା ବି କଳଙ୍କିତ
କଳଙ୍କିତ କବି କବିତା ବା ଶୁଣି
ପ୍ରିୟା ହେବ ଆଚମ୍ଭିତ ?
ଗୋଲାପ ତୁ ହଅ ପ୍ରକୃତିସ୍ଥ,
ହୃଦୟ ବିହୀନ ସମାଜ କି ବୁଝେ
ଶାଶ୍ୱତ ଏ ପ୍ରେମର ମାନ ମହତ    ||

ପ୍ରେମର ସଂହିତା ଚାଦର ଘୋଡ଼ାଇ
ଯହିଁ ନେଇଛି ସମାଧି
ତୋ ପ୍ରେମଟି ସେଠି ଶାଶ୍ଵତ କିପରି
ଅଟେ ଖାଲି ଯାହା ବ୍ୟାଧି
ସେଇ ବ୍ୟାଧିକୁ ନକରି ବୃଦ୍ଧି,
ଗୋଲାପ ତୁ ଶୋଇଯା ସେ ସମାଧିରେ
ଉଠିବୁ ଆସିଲେ ପ୍ରେମର ଶତାବ୍ଦୀ   ||

 
✍️ହୃଦୟ ରଂଜନ ପରିଡ଼ା

new life
You might also like
error: Content is protected !!