କପିଳାସ ଶିବ ମନ୍ଦିର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର । ଏହି ମନ୍ଦିରରେ ଚନ୍ଦ୍ରଶେଖର ମହାଦେବ ପୂଜା ପାଆନ୍ତି । କପିଳାସ ପର୍ବତ ଓଡ଼ିଶା ରାଜ୍ୟର ଢେଙ୍କାନାଳ ସହର ର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଏହା ଢେଙ୍କାନାଳ ସହର ଠାରୁ ପ୍ରାୟ ୨୬ କି.ମି. ଦୂର ରେ ଅବସ୍ଥିତ ।
ଏହା ସମୁଦ୍ର ପତ୍ତନ ଠାରୁ ୨୨୩୯ ଫୁଟ ଉଚ୍ଚରେ ଅବସ୍ଥିତ । ଏହାର ମୁଖ୍ୟ ମନ୍ଦିରର ଉଚ୍ଚତା ୬୦ ଫୁଟ । ମନ୍ଦିର କୁ ଦୁଇଟି ରାସ୍ତା ଦେଇକି ଯାଇହୁଏ । ୧୩୫୨ ପାହାଚ ଚଢି ଅଥବା ବାରବାଙ୍କି ଘାଟି ରାସ୍ତା ଦ୍ଵାରା ୮ କିଲୋମିଟର ରାସ୍ତା ଦେଇ ଅନାୟାସରେ ମନ୍ଦିର ଉପରକୁ ଯାଇହୁଏ । ଗଙ୍ଗ ବଂଶ ର ରାଜା ପ୍ରଥମ ପୁରୁଷୋତ୍ତମ ଦେବ ଏହି ମନ୍ଦିର କୁ ୧୨୪୬ ଖ୍ରୀଷ୍ଟାବ୍ଦ ରେ ନିର୍ମାଣ କରାଇଥିଲେ । ଏହାର ବାମ ପାର୍ଶ୍ଵ ରେ ପୟମାର୍ତ କୁଣ୍ଡ ଓ ଡାହାଣ ପାର୍ଶ୍ଵ ରେ ମରୀଚି କୁଣ୍ଡ ଅବସ୍ଥିତ । ଏହାର ଜଗନମୋହନ କାଠ ରେ ତିଆରି । ମହାଦେବଙ୍କ ବ୍ୟତୀତ ଦେବୀ ପାର୍ବତୀ,ଗଣେଶ, କାର୍ତ୍ତିକେୟ, ବିଷ୍ଣୁ, ଶ୍ରୀରାମ ଓ ଗଙ୍ଗା ମାତାଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ଶ୍ରୀଜଗନ୍ନାଥ ଙ୍କୁ ପାର୍ଶ୍ଵଦେବତା ଭାବେ ଅବସ୍ଥାପିତ । ଚନ୍ଦ୍ରଶେଖରଙ୍କ ବ୍ୟତୀତ ଏଠାରେ ବିଶ୍ଵନାଥଙ୍କ ମନ୍ଦିର ମଧ୍ୟ ଅବସ୍ଥିତ । ସ୍ଥାନୀୟ ଲୋକମାନଙ୍କ ଅନୁସାରେ ବିଶ୍ଵନାଥ ମନ୍ଦିର ଚନ୍ଦ୍ରଶେଖରଙ୍କ ମନ୍ଦିର ଠାରୁ ଆହୁରି ପୁରୁଣା ସେଥିପାଇଁ ଏହାକୁ ବୁଢା ଲିଙ୍ଗ ମଧ୍ୟ କୁହାଯାଏ।
କପିଳାସ ବାବଦରେ ଅନେକ କିମ୍ବଦନ୍ତୀ ରହିଛି । ଏହାକୁ ଶିବଙ୍କର ଦ୍ଵିତୀୟ କୈଳାସ କୁହାଯାଉଥିଲା ବେଳେ ମର୍ତ୍ତ୍ୟରେ ଦେବତା ମାନେ ଏଠାରେ ସଭା କରୁଥିବାର ମଧ୍ୟ ପୁରାଣରୁ ଜଣାଯାଏ । ଏଠାରେ କପିଳ ମୁନି ଙ୍କ ଆଶ୍ରମ ଥିଲା ବୋଲି ଏହାକୁ (କପିଳ ଙ୍କ ଉଆସ) କପିଳାସ ବୋଲି କୁହାଯାଏ । ଆହୁରି ମଧ୍ୟ ତ୍ରେତୟା ଯୁଗ ବେଳେ ଶ୍ରୀରାମଚନ୍ଦ୍ର ସୀତା ଙ୍କୁ ତ୍ୟାଗ କରିବା ପରେ ବାଲ୍ମୀକି ଆଶ୍ରମରେ ଲବ ଓ କୁଶ ଙ୍କ ସହ ରହୁଥିବା ସ୍ଥାନ ମଧ୍ୟ ଏଠାରେ ରହିଛି ବୋଲି ବିଶ୍ଵାସ କରାଯାଉଛି।
ଏହି ପୀଠରେ ନାରାୟଣ, ମା ପାର୍ବତୀ ଆଦି ଅନେକ ଦିଅଁ ପୂଜା ପାଇଥାନ୍ତି। ଅନେକ ଗୁମ୍ଫା ମଠ ମନ୍ଦିରର ଶୋଭାବର୍ଦ୍ଧନ କରିଥାନ୍ତି ଏବଂ ଭିନ୍ନ ଭିନ୍ନ ପୌରାଣିକଅଧରକୁ ପରିପ୍ରକାଶ କରିଥାନ୍ତି। ପ୍ରସିଦ୍ଧ ଟୀକାକାର ଭାଗବତର ଟୀକା କରିଥିବାବେଳେ କପିଳମୁନି କପିଳ ସ॰ହିତା ରଚନା କରିଥିବାର ଜଣାଯାଏ। ସେହିପରି ମହିମା ଧର୍ମର ପ୍ରତିଷ୍ଠାତା ମହିମା ସ୍ଵାମୀ କପିଳାସରେ ସିଦ୍ଧି ଲାଭ କରି ମହିମା ଧର୍ମରପ୍ରଚାର ପ୍ରସାର କରିଥିଲେ। ବର୍ଷସାରା ଭକ୍ତ ଏବଂ ପର୍ଯ୍ୟଟକଙ୍କ ଭିଡ ଲାଗିଥାଏ।
ପ୍ରତ୍ଯେକ ବର୍ଷ ଶ୍ରାବଣମାସରେ ଲକ୍ଷ ଲକ୍ଷ ଭକ୍ତ ରାଜ୍ୟ ଏବଂରାଜ୍ୟ ବାହାରୁ ଜଳାଭିଷେକ କରି ମନସ୍କାମନା ପୂର୍ଣ୍ଣ ପାଇଁ କାଉଁରିଆ ଆସିଥାନ୍ତି। ଅନ୍ୟ ପକ୍ଷରେ ଠାକୁରଙ୍କ ମହାଶିବରାତ୍ରୀ ବା ଜାଗରଯାତ୍ରାରେ ପୀଠରେ ଲକ୍ଷ ଲକ୍ଷ ଭକ୍ତ ଦୀପ ଜାଳିବାର ଦୃଶ୍ୟ ଆକର୍ଷଣୀୟ ହୋଇଥାଏ।